ଯଦି ଖରା ଯୋଗୁ ଆପଣଙ୍କ ଚେହେରା ହୋଇଯାଇଛି କଳା, ତା’ହେଲେ ଏମିତି କରି ତ୍ୱଚାକୁ କରନ୍ତୁ ସଫା
ଖରାରେ ଅଧିକ ସମୟ ଧରି ରହିବା ଦ୍ୱାରା ତ୍ୱଚା ଡ୍ୟାମେଜ୍ ଏବଂ କଳା ପଡ଼ି ଯାଇଥାଏ। ଏହା ସୂର୍ଯ୍ୟଙ୍କ ହାନିକାରକ ରଶ୍ମୀ ଯୋଗୁ ହୋଇଥାଏ। ଏହି ସମସ୍ୟାକୁ ଟ୍ୟାନିଙ୍ଗ୍ କୁହାଯାଏ। ଏମିତିରେ ବିୟୁଟି ପାର୍ଲରରେ ଟ୍ୟାନିଙ୍ଗ୍ର ଅନେକ ପ୍ରକାରର ଟ୍ରିଟ୍ମେଣ୍ଟ କରାଯାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଘରୋଇ ଉପାୟ କହିବାକୁ ଯାଉଛୁ, ତାହା ବେଶ୍ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରେ। ଏହା ଅଯଥା ଖର୍ଚ୍ଚକୁ ବଞ୍ଚାଇବା ସହ ତ୍ୱଚାକୁ ସୁସ୍ଥ ରଖିଥାଏ। ଏଥିପାଇଁ ଆପଣଙ୍କୁ କେବଳ ନଡ଼ିଆ ତେଲ ବ୍ୟବହାର କରିବାକୁ ପଡ଼ିବ।
ନଡ଼ିଆ ତେଲରେ ଅନେକ ପ୍ରକାରର ଔଷଧୀୟ ଗୁଣ ଭରି ରହିଥାଏ। ଏଥିରେ ଆଣ୍ଟି ଇନ୍ଫ୍ଲାମେଟରୀ, ଆଣ୍ଟି ଅକ୍ସିଡେଣ୍ଟ, ଫ୍ୟାଟି ଏସିଡ୍, ଆଣ୍ଟି ମାଇକ୍ରୋବିୟଲ, ଭିଟାମିନ-ଇ, ଭିଟାମିନ୍-କେ ଭଳି ପୋଷକ ତତ୍ତ୍ୱ ମହଜୁଦ ରହିଛି। ଏଥି ସହିତ ଏହି ତେଲରେ ସୂର୍ଯ୍ୟଙ୍କ ହାନିକାରକ କିରଣରୁ ସୁରକ୍ଷା ପ୍ରଦାନ କରୁଥିବା ଭିଟାମିନ୍-ଡି ମଧ୍ୟ ମହଜୁଦ ରହିଛି।
ଟ୍ୟାନିଙ୍ଗ୍ ଦୂର କରିବା ପାଇଁ ଆପଣଙ୍କୁ ନଡ଼ିଆ ତେଲକୁ ଟ୍ୟାନିଙ୍ଗ୍ ପ୍ରଭାବିତ ଜାଗାରେ ଲଗାଇବାକୁ ପଡ଼ିବ। ଏହାକୁ ଲଗାଇବା ପାଇଁ ରାତିରେ ପ୍ରଥମେ ନିଜ ଚେହେରାକୁ ଧୁଅନ୍ତୁ। ଏହାପରେ ତଉଲିଆ ସାହାଯ୍ୟରେ ହାଲୁକା ହାତରେ ମୁହଁ ପୋଛି ଦିଅନ୍ତୁ। ଏବେ ନଡ଼ିଆ ତେଲର କିଛି ବୁନ୍ଦା ହାତରେ ନେଇ ଚେହେରାର ଟ୍ୟାନିଙ୍ଗ୍ ପ୍ରଭାବିତ ଜାଗାରେ ଲଗାନ୍ତୁ। ସକାଳୁ ଉଠି ଚେହେରା ଧୋଇ ନିଅନ୍ତୁ। ଯଦି ଆପଣ ନିୟମିତ ରୂପରେ ଏହି ଉପାୟକୁ ଆପଣାଇବେ, ତା’ହେଲେ ଟ୍ୟାନିଙ୍ଗ୍ ଦୂର ହୋଇଯିବ।
ଯଦି ଆପଣଙ୍କୁ ସ୍କିନ୍ ଇନ୍ଫେକ୍ସନର ସମସ୍ୟା ରହିଛି, ତା’ହେଲେ ନଡ଼ିଆ ତେଲ ବ୍ୟବହାର କରିପାରିବେ। କାରଣ, ଏଥିରେ ଥିବା ଆଣ୍ଟି ମାଇକ୍ରୋବିୟଲ ଏବଂ ଆଣ୍ଟି ଇନ୍ଫ୍ଲାମେଟରୀ ଗୁଣ ସ୍କିନ୍ ଇନ୍ଫେକ୍ସନର କାରଣ ସାଜୁଥିବା ସୂକ୍ଷ୍ମଜୀବୀମାନଙ୍କୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ। ଏଥି ସହିତ ତ୍ୱଚାର ଜ୍ୱଳନକୁ ବି କମ୍ କରି ଦେଇଥାଏ। ଯଦି ଆପଣଙ୍କ ତ୍ୱଚାରେ କୁଣ୍ଡେଇ ହେବା ସମସ୍ୟା ରହିଛି, ତା’ହେଲେ ପ୍ରତିଦିନ ରାତିରେ ନଡ଼ିଆ ତେଲ ଲଗାନ୍ତୁ।