ରାଷ୍ଟ୍ରୀୟ ସମ୍ମାନ ସହ ଆଜି ହେବ କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଶେଷକୃତ୍ୟ, ହଜାର ହଜାର ପ୍ରଶଂସକ ଦେଲେ ଅନ୍ତିମ ବିଦାୟ

ଆଜି ହେବ କନ୍ନଡ଼ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଶେଷକୃତ୍ୟ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ପୁନିତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବେଙ୍ଗାଲୁରୁର ଶ୍ରୀ କାଣ୍ଟିରାଭା ଷ୍ଟୁଡିଓରେ ରଖାଯାଇଛି ପୁନିତଙ୍କ ମର ଶରୀର। ଆଜି ସେଠାରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯିବ। ଆଜି ମଧ୍ୟ ଅନ୍ତିମ ଦର୍ଶନ ପାଇଁ ସକାଳୁ ସକାଳୁ ପ୍ରଶଂସକଙ୍କ ଭିଡ ଜମିଛି । ହଜାର ହଜାର ପ୍ରଶଂସକ ଅନ୍ତିମ ଦର୍ଶନ କରୁଛନ୍ତି । ପୁନିତଙ୍କ ଶେଷକୃତ୍ୟ ଦିନ ୧୧ଟାରେ କରାଯିବ। ପୁନିତଙ୍କ ଅନ୍ତିମ ସଂସ୍କାର ତାଙ୍କ ବାପାଙ୍କ ସ୍ମାରକ ସ୍ଥଳ ନିକଟରେ ହେବ। ସୁରକ୍ଷା ଦୃଷ୍ଟିରୁ ୬ ହଜାରରୁ ଅଧିକ ପୁଲିସ କର୍ମୀ ଏବଂ ୪୦ କେଏସ୍ଆରପି ପ୍ଲାଟୁନ୍‌ ମୁତୟନ ହୋଇଛନ୍ତି। ଆଜି ସକାଳେ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ପୁନିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଦକ୍ଷିଣ ଭାରତୀୟ ସୁପରଷ୍ଟାର ପୁନୀତ୍‌ ରାଜକୁମାର ୪୬ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ପରଲୋକରେ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ପ୍ରଶଂସକଙ୍କୁ ମଧ୍ୟ ସ୍ତବ୍ଧ କରିଛି। ପୁନିତ ରାଜକୁମାରଙ୍କ ଶେଷ ରୀତିନୀତି ଆଜି ଅନୁଷ୍ଠିତ ହେବ । ତାଙ୍କ ଝିଅ ଧୃତି ପିତାଙ୍କ ଶେଷ ରୀତିନୀତି ପାଇଁ ଆମେରିକାରୁ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଶନିବାର ପୁନିତଙ୍କ ଶେଷ ସଂସ୍କାର ସମ୍ପନ୍ନ ହେବାର ଥିଲା କିନ୍ତୁ ଆମେରିକାରେ ରହୁଥିବା ତାଙ୍କ ଝିଅ ବିଳମ୍ବରେ ପହଞ୍ଚିଥିବାରୁ ଏବଂ ଅଧିକ ସଂଖ୍ୟାରେ ପ୍ରଶଂସକଙ୍କୁ ପୁନିତଙ୍କ ଶେଷ ଦର୍ଶନ ପାଇଁ ସୁଯୋଗ ଦେବାକୁ ଆସନ୍ତାକାଲିକୁ ସଂସ୍କାର କାର୍ଯ୍ୟ ଘୁଞ୍ଚାଯାଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଆଜି ଏହି ସୂଚନା ଦେଇଛନ୍ତି। ବୋମାଇ କହିଛନ୍ତି, ପୁନିତଙ୍କ ଝିଅ ସନ୍ଧ୍ୟା ୭ଟାରେ ବେଙ୍ଗାଲୁରୁ ପହଞ୍ଚିଛନ୍ତି। ଆମ ପରମ୍ପରା ଅନୁଯାୟୀ ସୂର୍ଯ୍ୟାସ୍ତ ପରେ ସଂସ୍କାର କାର୍ଯ୍ୟ ସମ୍ପନ୍ନ ହୁଏନାହିଁ।

ରିପୋର୍ଟ ଅନୁଯାୟୀ, ସେ ଶନିବାର ସନ୍ଧ୍ୟା ୫ଟା ସମୟରେ ବାଙ୍ଗାଲୋରରେ ପହଞ୍ଚିଛନ୍ତି। ପୁନିତ ରାଜକୁମାରଙ୍କ ଶେଷ ରୀତିନୀତି ପୂର୍ଣ୍ଣ ରାଜକୀୟ ସମ୍ମାନ ସହିତ ପାଳନ କରାଯିବ। ପୁନିତଙ୍କ ପିତା ରାଜକୁମାର ମଧ୍ୟ ଦକ୍ଷିଣ ଚଳଚ୍ଚିତ୍ରର ଜଣେ ପ୍ରସିଦ୍ଧ ଅଭିନେତା ଥିଲେ। ପୁନିତ ୧୯୭୬ ମସିହାରେ ପ୍ରେମଦା କାନିକେ ଫିଲ୍ମରେ ଡେବ୍ୟୁ କରିଥିଲେ। ସେ ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଥିଲେ। ପୁନିତଙ୍କର ଦୁଇଟି ଫିଲ୍ମ ‘ଜେମ୍ସ ଏବଂ ଦିବିତ୍ୱ’ ପ୍ରସ୍ତୁତ ହୋଇସାରିଛି । ଯାହା ତାଙ୍କ ମୃତ୍ୟୁ ପରେ ମୁକ୍ତିଲାଭ କରିବ।

ସୂଚନାନୁଯାୟୀ, ଅଭିନେତା ପୁନିତ ତାଙ୍କ ବାପାଙ୍କ ପରି ଆଖି ଦାନ କରିଥିଲେ। ଜଣାଶୁଣା ଅଭିନେତା ଡ. ରାଜକୁମାର ନିଜେ ୧୯୯୪ ରେ ତାଙ୍କ ପରିବାରର ଆଖି ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୦୬ ମସିହାରେ ଡକ୍ଟର ରାଜକୁମାର ମଧ୍ୟ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ପୁନିତଙ୍କ ବାପା ଡକ୍ଟର ରାଜକୁମାର ୨୦୦୬ ମସିହାରେ ଏବଂ ମା’ ପାର୍ବତମ୍ମା ୨୦୧୭ରେ ଚକ୍ଷୁ ଦାନ କରିଥିଲେ। ପରିବାରର ତୃତୀୟ ସଦସ୍ୟ ଭାବେ ପୁନିତ ତାଙ୍କ ଚକ୍ଷୁ ଦାନ କରିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.