ଚୁଟିରେ ଗଡୁଛି ମୋଟରସାଇକେଲ ଓ କାର

ଆଳି (କେନ୍ୟୁଜ) : ଚୁଟିରେ ଗଡୁଛି କାର ଆଉ ବାଇକ। କଣ ବିଶ୍ୱାସ ହେଉନି ନା, କିନ୍ତୁ ଏମିତି ସତରେ ହୋଇଛି ଚୁଟିରେ ଗଡୁଛି କାର ଓ ବାଇକ। ନିଜ ଚୁଟି ସାହାଯ୍ୟରେ ମୋଟର ସାଇକେଲ ଓ କାରକୁ ଅତି ସହଜରେ ଟାଣି ନେଉଛନ୍ତି ପ୍ରମୋଦ ନାୟକ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଗୁଆଳିଗାଁର ପ୍ରମୋଦ ନାୟକ।ନିଜର ଚୁଟି ସାହାଯ୍ୟରେ ମୋଟର ସାଇକେଲ ଓ କାର ଟାଣି ଏବେ ସେ ଅଛନ୍ତି ଖୁବ୍‌ ଚର୍ଚ୍ଚାରେ। ମୋଟର ସାଇକେଲରେ ୩ଜଣ ବ୍ୟକ୍ତି ବସିବାପରେ ରଶି ସହିତ ନିଜର ଚୁଟିକୁ ବାନ୍ଧି ୪୦୦ରୁ ୫୦୦ ମିଟର ବାଟ ଅତି ସହଜରେ ଟାଣି ନେଉଛନ୍ତି ଜଟିଆ ଭାଇ ଓରଫ ପ୍ରମୋଦ ନାୟକ।

କେବଳ ଏତିକି ନୁହେଁ ମାରୁତି କାରକୁ ମଧ୍ୟ ନିଜ ଚୁଟି ସାହାଯ୍ୟରେ ଟାଣିପାରନ୍ତି ପ୍ରମୋଦ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଦୁଃସାହସିକ କାର୍ଯ୍ୟପାଇଁ ସେ କେଉଁଠି ପ୍ରଶିକ୍ଷଣ ମଧ୍ୟ ନେଇନାହାନ୍ତି। ଧୀରେ ଧୀରେ ଅଭ୍ୟାସ ବଳରେ ଏପରି କାମ କରିପାରନ୍ତି ବୋଲି କହିଛନ୍ତି ପ୍ରମୋଦ। ପେଶାରେ ଫାଷ୍ଟଫୁଡ୍‌ ଦୋକାନ କରିଥିବା ପ୍ରମୋଦ ଏତେ ଭଲଭାବେ ଏ ଷ୍ଟଣ୍ଟ କରିଦେଖାନ୍ତି ଯେ ଏହାକୁ ଯେ କେହି ବି ଦେଖିବେ ଆଶ୍ଚର୍ଯ୍ୟ ହୋଇଯିବେ ଘଡିଏ ଚାହିଁ ରହିବେ।ଆଉ ମନ ହେବ ଦେଖିବାକୁ ଯେ ଏମିତି ସାମାନ୍ୟ କେଇଟା ଚୁଟିରେ କେମିତି ଏତେ ଏତେ ଓଜନିଆ ଗାଡିକୁ ଟାଣି ପାରୁଛନ୍ତି ତାହା ପୁଣି ଲୋକଙ୍କୁ ବସାଇ।

Leave A Reply

Your email address will not be published.