ଓଡ଼ିଶାର ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ

ଭୁବନେଶ୍ବର(କେନ୍ଯୁଜ୍): ଆଉ ନାହାନ୍ତି କାର୍ଟୁନ ଲାଗି ଘରେ ଘରେ ପରିଚିତ ଥିବା କିଶୋର ରଥ। ଆଜି ସକାଳେ ଭୁବନେଶ୍ବରରେ ତାଙ୍କର ପରଲୋକ ହୋଇଛି। ତାଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସେ ଦୁଇ ଦିନ ହେଲା ଅସୁସ୍ଥ ଥିଲେ। ସୋମବାର ଭୋର ସମୟରେ ହଠାତ୍ ନିଶ୍ୱାସ ନେବାରେ ସମସ୍ୟା ହେବାରୁ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲ୍ ନିଆଯାଇଥିଲା। ଇସିଜି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି।ମୃତ୍ୟୁ ବେଳକୁ ତାଙ୍କୁ ୫୯ବର୍ଷ ହୋଇଥିଲା। ରାଜ୍ୟର ଜଣାଶୁଣା କାର୍ଟୁନିଷ୍ଟ ଭାବ‌େ ସେ ବେଶ୍ ପରିଚିତ ଥିଲେ। ଦୀର୍ଘ ଦିନରୁ ସେ ଦୈନିକ ଖବର କାଗଜ ‘ସମ୍ବାଦ’ରେ ‘କଟାକ୍ଷ’ ଓ ‘ସ୍ପୋର୍ଟାକ୍ଷ’ କାର୍ଟୁନ ଲେଖି ଆସୁଥିଲେ।

କେବଳ କାର୍ଟୁନ ନୁହେଁ, ଢୁମ୍ପା ସଙ୍ଗୀତରେ ତାଙ୍କର ବିଶେଷ ରୁଚି ଓ ଅଭିଜ୍ଞତା ଥିଲା। ଢୁମ୍ପା ହେଉଛନ୍ତି ଏକ ପାରମ୍ପାରିକ ସଙ୍ଗୀତ, ଯାହା ନୟାଗଡ଼ ଓ ଗଞ୍ଜାମ ଭଳି ଜିଲ୍ଲାରେ ବେଶ୍ ପରିଚିତ। ତାଙ୍କର ପକେଟ କାର୍ଟୁନ୍ ‘କଟାକ୍ଷ’ ପାଠକ ମହଲରେ ବେଶ୍ ଲୋକପ୍ରିୟ ଥିଲା। ନିଜ କାର୍ଟୁନ ମାଧ୍ୟମରେ ସାଧାରଣ ଜନତାର ସ୍ବର ହୋଇପାରିଥିଲେ କିଶୋର ।

କିଶୋରଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ସମାଜର ବିଭିନ୍ନ ପ୍ରସଙ୍ଗକୁ ବ୍ୟଙ୍ଗ ଚିତ୍ର ମାଧ୍ୟମରେ ଉପସ୍ଥାପନ କରିବାର ନିଜର ସ୍ୱତନ୍ତ୍ର ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ଯ ଶ୍ରୀ ରଥଙ୍କ ବିୟୋଗରେ  ଶୋକ ପ୍ରକାଶ କରିଛନ୍ତି।

ଜାଣିରଖନ୍ତୁ ଯେ, ୧୯୬୩ ମସିହାରେ ଜନ୍ମିତ କିଶୋର ରଥ ରାଜ୍ୟର ଜଣାଶୁଣା କାର୍ଟୁନିଷ୍ଟ ଭାବ‌େ ପରିଚିତଥିବାସହିତ ରାଜ୍ୟର ପୁରାତନ କଳା ଶିକ୍ଷାନୁଷ୍ଠାନ ଖଲିକୋଟ ଆର୍ଟ କଲେଜରୁ ଫାଇନ୍ ଆର୍ଟସରେ ସ୍ନାତକ କରିବା ପରେ ଜଣେ ପେସାଦାର ଶିଳ୍ପୀଭା‌ବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଜଣେ ଚିତ୍ରଶିଳ୍ପୀ ହେବା ସହ ବ୍ୟଙ୍ଗ କବିତା ଲେଖିବାରେ ତାଙ୍କର ଅପୂର୍ବ ଦକ୍ଷତା ଥିଲା। କିଶୋର ରାଜ୍ୟର ସାଂପ୍ରତିକ ଘଟଣାବଳୀକୁ ବ୍ୟଙ୍ଗାତ୍ମକ ଚିତ୍ର ଭାବେ ପରିବେଷଣ କରି ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.