ରାଜ୍ୟସଭାରେ ଉଠିଲା ଏଫସିଆଇ ବଳକା ଉଷୁନା ଚାଉଳ ନନେବା ପ୍ରସଙ୍ଗ, ସାଂସଦ କହିଲେ ଏହା କେନ୍ଦ୍ରର ଦାୟିତ୍ୱ

ନୂଆଦିଲ୍ଲୀ(କେ ନ୍ୟୁଜ):  ରାଜ୍ୟସଭାରେ ଉଠିଲା ଏଫସିଆଇ ବଳକା ଉଷୁନା ଚାଉଳ ନନେବା ପ୍ରସଙ୍ଗ। ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ପ୍ରସଙ୍ଗ ଉତ୍‌ଥାପନ କରି ବଳକା ଉଷୁନା ଧାନ ନେବା କେନ୍ଦ୍ରର ଦାୟିତ୍ୱ ବୋଲି କହିଛନ୍ତି। ପ୍ରଶ୍ନକାଳରେ ସସ୍ମିତ ଏହି ପ୍ରସଙ୍ଗ ଉଠାଇବା ସହ ଓଡ଼ିଶାରୁ ବଳକା ଉଷୁନା ଚାଉଳ ନେବାକୁ ଏଫସିଆଇକୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପ୍ରଶ୍ନ କରିଥିଲେ। ଏହା ନହେଲେ ଓଡ଼ିଶା ଚାଷୀ ଅତିମାତ୍ରାରେ ପ୍ରଭାବିତ ହେବେ ବୋଲି କହିଛନ୍ତି । ପୂର୍ବରୁ ଏହି ପ୍ରସଙ୍ଗରେ ପୀୟୂଷ ଗୋଏଲଙ୍କୁ ବିଜେଡି ପ୍ରତିନିଧି ଦଳ ଭେଟିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଏଥିରେ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହା ପରେ ମଧ୍ୟ ଏଫସିଆଇ ରାଜ୍ୟରୁ ବଳକା ଉଷୁନା ଚାଉଳ ନନେବାକୁ ନିଷ୍ପତ୍ତି ଦ୍ୱାରା ଓଡ଼ିଶା ଏବଂ ଏହାର ଚାଷୀମାନେ ପ୍ରଭାବିତ ହୋଇଥିବା କହିଛନ୍ତି ସସ୍ମିତ।

ରାଜ୍ୟସଭାରେ ଆବାସ ଯୋଜନା ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର। କେନ୍ଦ୍ର ସରକାର ଓଡ଼ିଶା ପାଇଁ ଆବାସ ପ୍ଲସ ପୋର୍ଟାଲ ଖୋଲନ୍ତୁ। କେନ୍ଦ୍ର ଏହାକୁ ବନ୍ଦ କରିରଖିଥିବାରୁ ଓଡ଼ିଶାର ୬ ଲକ୍ଷ ପିଏମଏୱାଇଜିରେ ଘର ପାଇବାରୁ ଲୋକମାନେ ବଞ୍ଚିତ ହେଉଛନ୍ତି। ଏ ନେଇ ଗତ ଜୁଲାଇ ୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ସହ କେବିକେର ଆଦିବାସୀ ବହୁଳ ଜିଲ୍ଲାର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଘର ଯୋଗାଇ ଦିଆଯାଉ। ଘର ପାଇଁ ଆବଶ୍ୟକ ତଥ୍ୟ ଅପଲୋଡ କରିବାକୁ ପୋର୍ଟାଲ ଓପନ କରିବାକୁ ଦାବି କରିଛନ୍ତି ସାଂସଦ ଡ. ସସ୍ମିତ ପାତ୍ର। ତେଣୁ ଏହାକୁ ବିଚାର କରି କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବାକୁ ସସ୍ମିତ ଦାବି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.