Below header

ଅଚାନକ୍‌ ହଷ୍ଟେଲରୁ ଗାୟବ ହେବାକୁ ଲାଗିଲା ଝିଅଙ୍କ ଅନ୍ତଃବସ୍ତ୍ର; ସନ୍ଧ୍ୟା ହେବା କ୍ଷଣି ଲୁଚି ଲୁଚି ଆସୁଥିଲା ‘ଚଡ଼ି ଚୋର’! ଏବେ ହୋଇପାରେ ୭ ବର୍ଷ ଜେଲ୍‌

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଅଜବ ସଉକ ସବୁ ରଖି ଥାଆନ୍ତି। ଏହି ଲୋକମାନେ ଏମିତି ହରକତ କରନ୍ତି, ଯାହା ଉପରେ ବିଶ୍ୱାସ କରିବା ମୁସ୍କିଲ ହୋଇଯାଏ। କେହି କେହି ଏହାକୁ ମାନସିକ ରୋଗ ବୋଲି କହୁଥିବା ବେଳେ ଆଉ କେହି ଏହାକୁ ମୂର୍ଖତା ବୋଲି କୁହନ୍ତି। ଏବେ ସୋସିଆଲ ମିଡିଆରେ ଏମିତି ହିଁ ଜଣେ ଉସ୍ତାଦ୍‌ ଚୋର ବେଶ୍‌ ଚର୍ଚ୍ଚିତ ହେବାରେ ଲାଗିଛି। କିଛି ଲୋକ ତାଙ୍କୁ ‘ଚଡ଼ି ଚୋର’ ନାଁରେ ମଧ୍ୟ ଡାକୁଛନ୍ତି। ବାସ୍ତବରେ, ଏହି ଚୋର ସୁନା କି ରୂପା ନୁହେଁ, ବରଂ ଝିଅମାନଙ୍କର ଅନ୍ତଃବସ୍ତ୍ର ଚୋରି କରୁଥିଲେ। ଏହି ଘଟଣା ସେତେବେଳେ ଜଣା ପଡ଼ିଥିଲା, ଯେତେବେଳେ ଅନେକ ଝିଅ ଜଣଙ୍କ ପରେ ଜଣେ ନିଜର ଅନ୍ତଃବସ୍ତ୍ର ଗାୟବ ହେବା ନେଇ ଅଭିଯୋଗ କରିଥିଲେ।

ମାଲେସିଆର ଟେରେଙ୍ଗଗନୁରେ ଥିବା ଏକ ପବ୍ଲିକ ୟୁନିଭର୍ସିଟିର ଏହି ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏଠାରେ ପୋଲିସ ଜଣେ ଯୁବକଙ୍କୁ ଝିଅମାନଙ୍କ ଅନ୍ତଃବସ୍ତ୍ର ଚୋରାଇ ନେବା ଅଭିଯୋଗରେ ଗିରଫ କରିଛି। କୁହାଯାଉଛି ଯେ ଏହି ଯୁବକଙ୍କ ଶ୍ରବଣ ଶକ୍ତି କମ୍‌। ତାଙ୍କୁ କମ୍‌ ଶୁଭିଥାଏ। ଘଟଣା ଦିନ ଲେଡିଜ୍‌ ହଷ୍ଟେଲ ପରିସରରେ ଥିବା କପଡ଼ା ଶୁଖା ସ୍ଥାନରୁ ସେ ଦୌଡ଼ୁ ଥିବାର ଦେଖିବାକୁ ମିଳିଥିଲା। ଯୁବକ ଜଣକ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ। କିନ୍ତୁ ତାରରୁ ଅନ୍ତଃବସ୍ତ୍ର କାଢ଼ୁଥିବା ବେଳର ଭିଡିଓ ରେକର୍ଡ ହାଇ ସାରିଥିଲା। ଏହି ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା।

ସନ୍ଧ୍ୟା ହେଲେ କ୍ୟାମ୍ପସରେ ପ୍ରବେଶ କରୁଥିଲେ

ସୂଚନା ମୁତାବକ, ଏହି ଯୁବକଙ୍କୁ ୨୫ ଜାନୁଆରୀରେ ଗିରଫ କରାଯାଇଥିଲା। ୩୭ ବର୍ଷୀୟ ଅଭିଯୁକ୍ତଙ୍କୁ ହଷ୍ଟେଲ ପରିସରରୁ ପୋଲିସ ଗିରଫ କରିଥିଲା। ଗତ କିଛି ଦିନ ହେବ ସେ ହଷ୍ଟେଲ ଝିଅମାନଙ୍କର ଅନ୍ତଃବସ୍ତ୍ର ଚୋରି କରି ଆସୁଥିଲେ। ତେବେ ସ୍ଥାନୀୟ ଜଣେ ପୋଲିସ ଅଧିକାରୀଙ୍କ କହିବା ମୁତାବକ, ବର୍ତ୍ତମାନ ଏହି ସମସ୍ୟାର ସମାଧାନ ହୋଇଛି। ହଷ୍ଟେଲର ଝିଅମାନେ ଯେତେବେଳେ ଏହି ଯୁବକଙ୍କୁ ସେମାନଙ୍କ କପଡ଼ା ଶୁଖୁଥିବା ସ୍ଥାନରେ ବୁଲୁଥିବାର ଦେଖିଲେ, ତ ସେମାନଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ପ୍ରକୃତ ସତ ଜାଣିବା ପରେ ସେମାନେ ଯୁବକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଝିଅମାନେ ଭିଡିଓ ମଧ୍ୟ ରେକର୍ଡ କରିଥିଲେ। ଆଉ ଏଥିରେ ଦେଖିବାକୁ ପାଇଥିଲେ କି, ଯୁବକ ଜଣକ କେବଳ ଅନ୍ତଃବସ୍ତ୍ର ହିଁ ତାରରୁ କାଢ଼ୁଛନ୍ତି।

ଅନଲାଇନ ସେୟାର କରି ଦିଆଯାଇଥିଲା ଭିଡିଓ

ଅଭିଯୁକ୍ତଙ୍କୁ ଏବେ ୪ ଦିନ ପାଇଁ ରିମାଣ୍ଡରେ ରଖାଯାଇଛି। ତାଙ୍କ ବିରୋଧରେ ଧାରା ୩୭୯ ଏବଂ ଧାରା ୪୪୭ ଅନୁଯାୟୀ ମାମଲା ରୁଜୁ ହୋଇଛି। କୁହାଯାଉଛି ଯେ ତାଙ୍କୁ ୭ ବର୍ଷ ଜେଲ ଓ ଜରିମାନା ଦଣ୍ଡ ଦିଆଯାଇ ପାରେ। ଯୁବକ ଜଣକ ହଷ୍ଟେଲରୁ ଅନ୍ତଃବସ୍ତ୍ର ଚୋରି କରୁଥିବାର ଭିଡିଓକୁ ଅନଲାଇନରେ ସେୟାର କରାଯାଇଥିଲା, ଯେଉଁଠୁ ଏହା ଭାଇରାଲ ହୋଇଯାଇଥିଲା। କିଛି ଲୋକ ତାଙ୍କୁ ଭର୍ତ୍ସନା କରିଥିବା ବେଳେ କିଛି ଜଣ ତାଙ୍କୁ ଚିକିତ୍ସାର ଆବଶ୍ୟକ ଅଛି ବୋଲି କହିଥିଲେ। ତଥାପି କେତେଜଣ ୟୁଜର ଯୁବକଙ୍କ ପ୍ରତି ସହାନୁଭୂତି ଦରକାର ବୋଲି କହିଥିଲେ। ତେବେ ଜଣେ ୟୁଜର ରାଗି ଯାଇ ଲେଖିଥିଲେ, ‘ଏହି ଯୁବକ ଅସୁସ୍ଥ ନୁହେଁ, ବରଂ ଜଣେ ବଦମାସ୍‌’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.