ହାଇକୋର୍ଟଙ୍କ ନିର୍ଦ୍ଦେଶ: କାଠଯୋଡ଼ିକୁ କଟକର ନଳାପାଣି ଛାଡ଼ିବା ବନ୍ଦ କରରାଜ୍ୟର ଅନ୍ୟ ନଦୀର ସ୍ଥିତି ଜଣାଅ

କଟକ (କେନ୍ୟୁଜ୍‌) : କଟକ ସହରର ମୁଖ୍ୟ ନଳାର ପାଣିକୁ ବିଶୋଧନ କରାନଯାଇ କାଠଯୋଡ଼ି ନଦୀକୁ ଛଡାଯିବାକୁ ତୀବ୍ର ବିରୋଧ କରାଯାଇଥିଲା । ଏହାକୁ ନେଇ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ଦାୟର ମାମଲା ଉପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଆର.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଛନ୍ତି । ଏଭଳି ବର୍ଜ୍ୟ ପାଣିକୁ ତୁରନ୍ତ ବନ୍ଦ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ରାଜ୍ୟର କେତେ ନଦୀରେ ଏଭଳି ଭାବରେ ପ୍ରଦୂଷିତ ଜଳ ମିଶୁଛି ସେ ସମ୍ପର୍କରେ ତଥ୍ୟ ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି।

କାଠଯୋଡ଼ି ନଦୀରେ ମିଶୁଥିବା ଏହି ପ୍ରଦୂଷିତ ଜଳକୁ ମତ୍ତଗଜପୁର ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଛାଡିବା ପାଇଁ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଆବେଦନକାରୀ ଫଟୋ ଓ ଭିଡିଓ ଦାଖଲ କରିଥିଲେ। ତେବେ ଏହାର ସ୍ଥାୟୀ ସମାଧାନ ପାଇଁ କଟକ ମହାନଗର ନିଗମ (ସିଏମସି) କି ପଦକ୍ଷେପ ନେଉଛି, ସେ ସମ୍ପର୍କରେ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ମାମଲା ପରିଚାଳନା କରୁଛନ୍ତି।

ସୂଚନାଯୋଗ୍ୟ ଏହି ମାମଲାରେ ହାଇକୋର୍ଟ ପୂର୍ବରୁ ଶୁଣାଣି କରି ପ୍ରତିପକ୍ଷ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ, ସିଏମସି କମିସନର, ସିଡିଏ ଉପାଧ୍ୟକ୍ଷ, ଜିଲ୍ଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦକୁ ନୋଟିସ ଜାରି କରିଥିଲେ। ସହରର ମୁଖ୍ୟ ନଳା ପାଣିକୁ ଖାନନଗର ଠାରେ କାଠଯୋଡ଼ି ନଦୀକୁ ଛଡା ଯାଉଛି। ଫଳରେ ନଦୀ ପାଣି ବିଷାକ୍ତ ହେବା ସହ ନାନା ରୋଗ ସୃଷ୍ଟି କରିବାରେ ସହାୟକ ହେଉଛି। ସ୍ଥାନୀୟ ଅଞ୍ଚଳରେ ଚର୍ମ ରୋଗ ବ୍ୟାପିବା ସହ ପେଟ ରୋଗ ବଢୁଥିବା ଆବେଦନକାରୀ ଦର୍ଶାଇଛନ୍ତି। ଫଳରେ ଏଠାକାର ବାସିନ୍ଦା ଅର୍ଥ ଶ୍ରାଦ୍ଧ କରିବା ପାଇଁ ବାଧ୍ୟ ହେଉଛନ୍ତି। ଏହି ପାଣିକୁ ମତ୍ତଗଜପୁରରେ ବିଶୋଧନ କରିବା ପାଇଁ ଯୋଜନା ଥିବା ବେଳେ ଦୀର୍ଘ ବର୍ଷ ଧରି ତାହା କାର୍ଯ୍ୟକାରୀ ହେଉନାହି।

ଏପଟେ ଖାନନଗର ଠାରେ ସେହି ପାଣିକୁ ଛଡା ଯାଉଛି। ଫଳରେ ପାଖ ଅଞ୍ଚଳରେ ଦୁର୍ଗନ୍ଧରେ ଉଠିବା ବସିବା ମୁସ୍କିଲ ହେଉଛି। ତେବେ ଏହାର ପ୍ରତିକାର ବ୍ୟବସ୍ଥା କରିବା ପାଇଁ ପ୍ରାର୍ଥନା କରି ଆବେଦନକାରୀ ପୂଜା କମିଟି ସଂପାଦକ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି। କାଠଯୋଡ଼ିର ପ୍ରଦୂଷିତ ଜଳ ଏକ ସତର୍କ ଘଣ୍ଟି ବୋଲି ହାଇକୋର୍ଟଙ୍କୁ ରିପୋର୍ଟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜଣାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.