ବଲାଙ୍ଗୀର: ସ୍ଥାନୀୟ କଣ୍ଟାବାଞ୍ଜି ସହରରେ ୩ ଦିନିଆ ମାଗଣା କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଅନୁଷ୍ଠିତ ହୋଇଛି। ମାରୱାଡି ଯୁବ ମଞ୍ଚ ବିକାଶ ଶାଖା ପକ୍ଷରୁ ଆୟୋଜିତ ଏହି ଶିବିରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ ଦିବ୍ଯାଙ୍ଗ ଆସି ଅଙ୍ଗ ପ୍ରତ୍ୟାରୋପଣ କରାଇଛନ୍ତି। ଦୁର୍ଘଟଣାରେ ହାତ କିମ୍ବା ଗୋଡ ହରାଇଥିବା ଲୋକ ଏଠାକୁ ଆସି ନିଃଶୁଳ୍କରେ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ କରି ଚାଲି ବୁଲି ପାରୁଛନ୍ତି। ଏଣୁ ଆୟୋଜକ କମିଟିକୁ ସେମାନେ ପ୍ରଶଂସା କରୁଥିବା ଦେଖା ଯାଇଛି। ଏହି ସଂସ୍ଥା ସାହାଯ୍ୟ କରିନଥିଲେ ସେମାନେ ଜୀବନରେ ଆଉ କେବେ ଚଲାବୁଲା କରିପାରିନଥାନ୍ତେ ବୋଲି ଦିବ୍ୟାଙ୍ଗମାନେ କହିଛନ୍ତି।
କୁନି ଛୁଆଠୁ ଆରମ୍ଭ କରି ବୃଦ୍ଧବୃଦ୍ଧା ଯାଏ ଗୋଡ ହାତ ନ ଥିବା ବ୍ୟକ୍ତି ଶିବିରକୁ ଆସି ଉପକୃତ ହୋଇପାରିଛନ୍ତି। ମାରୱାଡି ଯୁବ ମଞ୍ଚ ବିକାଶ ଶାଖାର ସହଯୋଗରେ ଗତ ୩ ଦିନ ଧରି ହରିଭବନ ଠାରେ ଆସାମର ଶିଲିଗୁଡିରୁ ଏକ ସ୍ୱତନ୍ତ୍ର ଦଳ ଆସି ଏହି ଅସହାୟ ମାନଙ୍କ ପାଇଁ କୃତ୍ରିମ ଅଙ୍ଗ ତିଆରି କରିଥିଲେ। ଏହି ଅଙ୍ଗର ବଜାର ମୂଲ୍ୟ ୧୫ ହଜାରରୁ ଅଧିକ ପଡୁଥିବା ବେଳେ ମାରୱାଡି ଯୁବ ମଞ୍ଚ ବିକାଶ ଶାଖା ଏମାନଙ୍କୁ ନିଃଶୁଳ୍କରେ ପ୍ରଦାନ କରିଛି।
ଶିବିରର ଉଦଯାପନୀ ଶିବିରରେ କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଲୋଇସିଂହା ବିଧାୟକ ମୁକେଶ ମହାଲିଂଗ, ନୂଆପଡା ନଗରପାଳ ସୋନିଆ ଅଗ୍ରୱାଲଙ୍କ ସମେତ ମାରୱାଡି ଯୁବ ମଞ୍ଚର ପଦାଧିକାରୀ ଉପସ୍ଥିତ ରହି ଦିବ୍ଯାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରିଥିଲେ। ମାରୱାଡି ଯୁବ ମଞ୍ଚ ବିକାଶ ଶାଖାର ଏଭଳି ପ୍ରୟାସକୁ ଅତିଥିମାନେ ପ୍ରଂଶସା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୧ ଜଣ ଦିବ୍ଯାଙ୍ଗଙ୍କୁ ମାଗଣାରେ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ବି ସଂସ୍ଥା ଏଭଳି ଜନହିତକର କାମ କରିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।
Also Read: ବଲିଉଡ୍ରେ ପାଦ ଦେବେ ଶେହନାଜ୍ ଗିଲ୍! ‘କଭି ଇଦ୍ କଭି ଦିଓ୍ଵାଲୀ’ରେ ସଲମାନ୍ ଖାନ୍ଙ୍କ ସହ ଆସିବେ ନଜର