ଚର୍ଚ୍ଚିତ ମହିଳା ଏସ୍‌ଆଇ ଜୁନମୋନି ରାଭାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ! ଖୁବ୍‌ଶୀଘ୍ର ହୋଇପାରନ୍ତି ଗିରଫ

ନିକଟରେ ନିଜ ଭାବୀ ସ୍ୱାମୀଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଥିବା ମହିଳା ସବ୍‌ ଇନ୍ସପେକ୍ଟର ଜୁନମୋନି ରାଭା ଏବେ ପୁଣିଥରେ ଚର୍ଚ୍ଚାରେ। ଏଥର ଭାବୀ ସ୍ୱାମୀ ନୁହଁନ୍ତି, ବରଂ ସେ ନିଜେ ଫସିଛନ୍ତି। ତାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆସିଛି। ଆସାମ ପୋଲିସରେ ସବ୍‌ ଇନ୍ସପେକ୍ଟର ରୂପେ କାର୍ଯ୍ୟରତ ଜୁନମୋନି ରାଭା ଏ ନେଇ ଖୁବ୍‌ଶୀଘ୍ର ଗିରଫ ହେବାର ସମ୍ଭାବନା ମଧ୍ୟ ରହିଛି। ଜୁନମୋନି ରାଭା ବର୍ତ୍ତମାନ ଆସାମର ନାଗାଁ ଜିଲ୍ଲାର କଲିୟାବୋର୍‌ ଥାନାରେ କାର୍ଯ୍ୟରତ ଅଛନ୍ତି। ଖବର ମୁତାବକ, ଜୁନମୋନିଙ୍କ ବିରୋଧରେ ମାଜୁଲି ଜିଲ୍ଲାର ଏକ ଥାନାରେ ଭ୍ରଷ୍ଟାଚାର ଅଭିଯୋଗ ହେବା ସହିତ ୭ ପ୍ରାଥମିକ ମାମଲା ରୁଜୁ କରାଯାଇଛି। ଏହି ଅଭିଯୋଗଗୁଡ଼ିକରେ ୩ ଜାମିନ ବିହୀନ ଅଭିଯୋଗ ମଧ୍ୟ ରହିଛି। ଜୁନମୋନି ରାଭା ଚଳିତବର୍ଷ ଦୁଇଥର ଚର୍ଚ୍ଚାକୁ ଆସିବା ପରେ ଆସାମ ଜନତାଙ୍କ ମଧ୍ୟରେ ଲୋକପ୍ରିୟ ହୋଇଯାଇଥିଲେ।

ନିକଟରେ ସେ ନିଜ ଭାବୀ ସ୍ୱାମୀଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଥିଲେ। ଏଥି ପୂର୍ବରୁ ଚଳିତବର୍ଷ ଜାନୁଆରୀରେ ଜୁନମୋନିଙ୍କର ବିହପୁରିୟା ବିଧାୟକ ଅମିୟ କୁମାର ଭୂୟାଁଙ୍କ ସହ ଟେଲିଫୋନରେ ହୋଇଥିବା କଥାବାର୍ତ୍ତା ସୋସିଆଲ ମିଡିଆରେ ଲିକ୍‌ ହୋଇଯାଇଥିଲା। ନିଖୋଜ ଆଦିବାସୀମାନଙ୍କର ଏକ ଡଙ୍ଗା ଜବତ ମାମଲାରେ ବିହପୁରିୟା ବିଧାୟକ ଜୁନମୋନିଙ୍କୁ ତାଙ୍କ ଦାୟିତ୍ୱରୁ ହଟିଯିବାକୁ ଦାବି କରିଥିଲେ। ସେହି ସମୟରେ ଜୁନମୋନି ମାଜୁଲି ଜିଲ୍ଲାରେ ଜଣେ ଏସ୍‌ଆଇ ରୂପେ କାର୍ଯ୍ୟ କରୁଥିଲେ। ଉକ୍ତ ଟେଲିଫୋନିକ୍‌ ବାର୍ତ୍ତାଳାପରେ ବିଧାୟକ ଅମିୟ କୁମାର ଭୂୟାଁଙ୍କ ଚାପରେ ଜୁନମୋନି ଝୁଙ୍କିବାକୁ ମନା କରୁଥିବାର ସ୍ପଷ୍ଟ ରୂପେ ଶୁଣାଯାଇଥିଲା। ସେ ଆସାମ ବିଧାୟକଙ୍କୁ ପ୍ରଶ୍ନ ମଧ୍ୟ କରିଥିଲେ ଯେ ‘କେମିତି ସେ ଲୋକ ପ୍ରତିନିଧି ହୋଇ ବି ପୋଲିସକୁ ନିୟମ ଏବଂ ଆଇନ ଭାଙ୍ଗିବାକୁ କହୁଛନ୍ତି’।

ସୂଚନାଥାଉ କି, ଜୁନମୋନି ରାଭାଙ୍କୁ ରାନା ପୋଗାଗ୍ ନାମକ ଯୁବକ ନିଜ ନକଲି ପରିଚୟ ଦେଇ ତାଙ୍କ ସହିତ ନିଜର ବିବାହ ସ୍ଥିର କରିଥିଲେ ଏବଂ ଗତ ଅକ୍ଟୋବରରେ ଦୁହିଁଙ୍କର ନିର୍ବନ୍ଧ ସରିଥିଲା। ଆସନ୍ତା ନଭେମ୍ବରରେ ଉଭୟଙ୍କ ବାହାଘର ହେବାର ଥିଲା। ହେଲେ ଏହା ପୂର୍ବରୁ ରାନା ପୋଗାଗଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିଥିଲା। ସେ ନିଜକୁ ଓଏନଜିସିର ଲୋକସମ୍ପର୍କ ଅଧିକାରୀ ବୋଲି ପରିଚୟ ଦେଇ ଚାକିରି କରାଇଦେବା ନାଁରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିଥିଲେ। ଜୁନମୋନିଙ୍କର ସନ୍ଦେହ ହେବାରୁ ସେ ରାନାଙ୍କ ବିଷୟରେ ଅଧିକ ଖୋଳତାଡ଼ କରିଥିଲେ । ମାମଲାର ଯାଞ୍ଚ ପରେ ସେ ଜଣେ ଠକ ବୋଲି ଜଣାପଡ଼ିଥିଲା। ତାଙ୍କ ନାମରେ ୨୫ ଲକ୍ଷ ଟଙ୍କାର ଠକେଇ କେସ୍ ରହିବା ସହିତ ସେ ଓଏନଜିସିର କର୍ମଚାରୀ ନୁହନ୍ତି ବୋଲି ଜୁନମୋନି ଜାଣିବାକୁ ପାଇଥିଲେ। ଶେଷରେ ସେ ତାଙ୍କ ଭାବୀ ସ୍ୱାମୀଙ୍କ ହାତରେ ହାତକଡ଼ି ପକାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.