ଦିବ୍ୟାଙ୍ଗ ପିଲାଙ୍କୁ ବିମାନରେ ଚଢିବାକୁ ଅନୁମତି ଦେଲାନି ଇଣ୍ଡିଗୋ ଏୟାରଲାଇନ୍ସ। ଡିଜିସିଏ ଏୟାରଲାଇନ୍ସ ଉପରେ ଲଗାଇଲା ୫ ଲକ୍ଷ ଟଙ୍କା ଜରିମାନା। ଏହି ଘଟଣାରେ ପିଲାର ବାପାମା ବିମାନରେ ଯିବାକୁ ମନା କରିଦେଇଥିଲେ।
ଘଟଣାଟି ୭ ମଇ ରାଞ୍ଚିର ଏୟାରପୋର୍ଟରେ ହାଇଦ୍ରାବାଦ ଯାଉଥିବା ବିମାନରେ ଦେଖିବାକୁ ମିଳିଥିଲା। ଏହି ମାମଲାର ସ୍ପଷ୍ଟୋକ୍ତି ଦେଇ ଇଣ୍ଡିଗୋ ଏୟାରଲାଇନ୍ସ କହିଛି, ପିଲାଟି ବିମାନରେ ଚଢିବା ସମୟରେ ବହୁତ ଭୟଭୀତ ଥିଲେ, ତେଣୁ ତାଙ୍କୁ ବିମାନରେ ଚଢିବା ପାଇଁ ବାରଣ କରାଯାଇଥିଲା।
ଏହି ମାମଲାର ଯାଞ୍ଚ କରିବା ସମୟରେ ଜାଣିବାକୁ ମିଳିଥିଲା ଯେ, ଇଣ୍ଡିଗୋର ଗ୍ରାଉଣ୍ଡ ଷ୍ଟାଫ ଦିବ୍ୟାଙ୍ଗ ପିଲାକୁ ସମ୍ଭାଳି ପାରିନଥିଲେ ତେଣୁ ପିଲାକୁ ବିମାନରେ ଚଢିବା ପାଇଁ ମନା କରିଥିଲେ। ମାମଲାକୁ ଗମ୍ଭୀରତାର ସହ ନେଇ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜେ ଯାଞ୍ଚ କରିବା ପାଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ତଦନ୍ତ ପାଇଁ ମନ୍ତ୍ରୀ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି। ଯାଞ୍ଚରେ ଇଣ୍ଡିଗୋ କର୍ମଚାରୀ ନିୟମ ଉଲ୍ଲଙ୍ଘନ କରିଥିବା ଜଣାପଡିଛି। ତେଣୁ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।