Below header

ଏକାଥରେ ୧୮୦୦ କର୍ମଚାରୀଙ୍କୁ ଛଟେଇ କଲା Microsoft, ପୂର୍ବରୁ Google ଯୋଗୁ ବେରୋଜଗାର ହୋଇଥିଲେ ଲୋକେ

୧୮୦୦ କର୍ମଚାରୀଙ୍କୁ ଛଟେଇ କଲା ଅଗ୍ରଣୀ ଆଇଟି କମ୍ପାନୀ ମାଇକ୍ରୋସଫ୍ଟ। ସାରା ବିଶ୍ୱର ବିଭିନ୍ନ କ୍ଷେତ୍ରରୁ ଏହି ଛଟେଇ କରାଯାଇଛି। କମ୍ପାନୀ ଏ ନେଇ କହିଛି ଯେ ସେମାନେ କିଛି କର୍ମଚାରୀଙ୍କୁ କମ୍‌ କରିଛନ୍ତି। କାରଣ ୩୦ ଜୁନ୍‌ରେ ଆର୍ଥିକ ବର୍ଷର ସମାପ୍ତି ପରେ ସେମାନେ ନିଜ ବିଜ୍‌ନେସ୍‌ ଗ୍ରୁପ୍‌ରେ କେତେକ ପରିବର୍ତ୍ତନ କରି ଏହାକୁ ବ୍ୟବସ୍ଥିତ କରିଛନ୍ତି। କମ୍ପାନୀର କିଛି କାମ ଏବେ ଅଟୋମେଟେଡ୍‌ ହୋଇଯାଇଥିବାରୁ କର୍ମଚାରୀ ଦରକାର ହେଉ ନାହାନ୍ତି। ଏହି କାରଣରୁ ମାଇକ୍ରୋସଫ୍ଟ ବିଭିନ୍ନ ବ୍ରାଞ୍ଚ୍‌ରୁ ପାଖାପାଖି ୧୮୦୦ ଜଣଙ୍କୁ ଛଟେଇ କରିଛି।

ଏଥିସହ ମାଇକ୍ରୋସଫ୍ଟ କହିଛି ଯେ ଆଗକୁ କମ୍ପାନୀ ନୂଆ ଲୋକଙ୍କୁ ନିଯୁକ୍ତି କରିବ। ଏଥିପାଇଁ ଖୁବ୍‌ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ଫଳରେ ଚଳିତ ଆର୍ଥିକ ବର୍ଷ ଶେଷ ହେବା ବେଳକୁ ପୁଣିଥରେ ତାଙ୍କ କର୍ମଚାରୀ ସଂଖ୍ୟା ବଢ଼ିଯାଇଥିବ।

କମ୍ପାନୀ କହିଛି ଯେ ଆଜି ଆମ ପାଖରେ ଖୁବ୍‌ କମ୍‌ ଲୋକଙ୍କ କାମ ଶେଷ ହୋଇଛି। ଅନ୍ୟ ସବୁ କମ୍ପାନୀ ଭଳି ଆମେ ବି ନିୟମିତ ଆଧାରରେ ନିଜ ବ୍ୟବସାୟିକ ପ୍ରାଥମିକତାର ମୂଲ୍ୟାଙ୍କନ କରୁ। ସେହି ଅନୁସାରେ, ଅଫିସରେ ସୁଧାର କରିଥାଉ। ଏଥିସହ କମ୍ପାନୀ କହିଛି, ମାଇକ୍ରୋସଫ୍ଟ ୧.୮ ଲକ୍ଷରୁ ଅଧିକ ମୋଟ୍‌ କର୍ମଚାରୀଙ୍କୁ ଛଟେଇ କରିଛି। ଯାହା ୧ ପ୍ରତିଶତ ଠାରୁ ବି କମ୍‌। ସୂଚନାଯୋଗ୍ୟ ଯେ କରୋନା ଯୋଗୁ ଏବେ ଅଧିକାଂଶ କମ୍ପାନୀ ଛଟେଇ କରୁଛନ୍ତି।

ମାଇକ୍ରୋସଫ୍ଟ ପୂର୍ବରୁ ଅନ୍ୟତମ ବଡ଼ ଟେକ୍‌ କମ୍ପାନୀ ଗୁଗଲ କହିଥିଲା ଯେ ସେ ୨୦୨୨ର ବାକି ଦିନଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟା ଧୀମା କରିବ। ସିଇଓ ସୁନ୍ଦର ପିଚାଇ ଏକ କାର୍ଯ୍ୟକ୍ରମରେ ନିଜ କମ୍ପାନୀର କର୍ମଚାରୀଙ୍କୁ କହିଥିଲେ, କମ୍ପାନୀ ଏବେ ସବୁଠୁ ଭଲ ସୁଯୋଗକୁ ସମର୍ଥନ କରିବ। ଏଥିସହ ଇଞ୍ଜିନିୟରିଂ, ଟେକ୍ନିକାଲ ଓ ପ୍ରମୁଖ ଭୂମିକା ପାଇଁ ନିଯୁକ୍ତି ପ୍ରକ୍ରିୟା ଉପରେ ଧ୍ୟାନ ଦେବ। ଏହା ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ମେଟା ମଧ୍ୟ କମ୍ପାନୀର କିଛି କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି।

Also Read: ଏବେ ବିଦେଶ ଯାଇପାରିବେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌, ପାସ୍‌ପୋର୍ଟ ଫେରାଇବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.