ନୁପୂର ଶର୍ମାଙ୍କୁ ଆରାମ ଦେଲେ ସୁପ୍ରିମ୍‌ କୋର୍ଟ; ଅଗଷ୍ଟ ୧୦ ଯାଏ ହେବନାହିଁ ଗିରଫଦାରୀ…କେନ୍ଦ୍ରକୁ ନୋଟିସ୍‌

ବିଜେପିର ପୂର୍ବତନ ପ୍ରବକ୍ତା ନୁପୂର ଶର୍ମାଙ୍କୁ ସୁପ୍ରିମ୍‌ କୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ନୁପୂର ଶର୍ମାଙ୍କ ସହ ଜଡ଼ିତ ମାମଲାର ଆଗାମୀ ଶୁଣାଣି ଅଗଷ୍ଟ ୧୦ରେ ହେବ। ସେ ପର୍ଯ୍ୟନ୍ତ ନୁପୂରଙ୍କ ବିରୋଧରେ କୌଣସି ବି ପ୍ରକାର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି କୋର୍ଟ କହିଛନ୍ତି, ଅର୍ଥାତ୍‌ ଅଗଷ୍ଟ ୧୦ ଯାଏ ଶର୍ମାଙ୍କ ଗିରଫଦାରୀ ଉପରେ ରୋକ୍‌ ଲଗାଇ ଦିଆଯାଇଛି।

ସୁପ୍ରିମ୍‌ କୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରମାନଙ୍କୁ ନୋଟିସ୍‌ ମଧ୍ୟ ଜାରି କରିଛନ୍ତି। କୋର୍ଟରେ ନୁପୂରଙ୍କ ଓକିଲ କହିଛନ୍ତି ଯେ ନୁପୂରଙ୍କୁ ଲଗାତାର ଧମକ ମିଳୁଛି। ପ୍ରଫେଟ୍‌ ମହମ୍ମଦଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନୁପୂର ଶର୍ମାଙ୍କ ନାଁରେ ବିଭିନ୍ନ ରାଜ୍ୟରେ ୯ଟି ଏଫ୍‌ଆଇଆର୍‌ ଦିଆଯାଇଛି, ଯାହାକୁ ନେଇ ନୁପୂର ସୁପ୍ରିମ୍‌ କୋର୍ଟରେ ପୁନଃ ଆବେଦନ କରିଥିଲେ। ଏହା ଉପରେ କୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି।

ନିଜ ଆବେଦନରେ ନୁପୂର କହିଥିଲେ ଯେ ସୁପ୍ରିମ୍‌ କୋର୍ଟଙ୍କ ଗତ ଶୁଣାଣି ପରେ ତାଙ୍କ ଜୀବନ ପ୍ରତି ବିପଦ ବଢ଼ିଯାଇଛି। ନୁପୂର ନିଜ ଗିରଫଦାରୀ ଉପରେ ରୋକ୍‌ ଲଗାଇବା ଏବଂ ସମସ୍ତ ଏଫ୍‌ଆଇଆର୍‌କୁ ଦିଲ୍ଲୀ ଟ୍ରାନ୍ସଫର କରି ଏକାଥରେ ଶୁଣାଣି କରିବାକୁ ନିବେଦନ କରିଥିଲେ।

କୋର୍ଟ ନୁପୂର ଶର୍ମାଙ୍କୁ ନୂତନ ଏତଲା ଉପରେ ମଧ୍ୟ ଗିରଫଦାରୀରୁ ସଂରକ୍ଷଣ ଦେଇଛନ୍ତି। ଶୁଣାଣି ସମୟରେ ନୁପୂରଙ୍କ ଓକିଲ ଭିନ୍ନ ଭିନ୍ନ ଏଫ୍‌ଆଇଆର୍‌କୁ ଏକାଠି କରିବା ଏବଂ ଗିରଫଦାରୀରୁ ସୁରକ୍ଷା ଦାବି କରିଥିଲେ। କହି ରଖୁଛୁ, ଏଥି ପୂର୍ବରୁ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍‌ ଜେବି ପାରଦିଓ୍ଵାଲାଙ୍କ ଗଠିତ ଖଣ୍ଡପୀଠ ବିଭିନ୍ନ ରାଜ୍ୟରେ ଦାଖଲ ଏଫ୍‌ଆଇଆର୍‌କୁ ମର୍ଜ କରିବା ପାଇଁ ନୁପୂରଙ୍କ ପିଟିସନ ଉପରେ ଶୁଣାଣି କରିବାକୁ ମନା କରି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.