ଲଗାଣ ବର୍ଷାରେ ବେହାଲ ବେଙ୍ଗାଲୁରୁ: ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି, ବହୁ ଅଞ୍ଚଳ ଜଳବନ୍ଦୀ

ବେଙ୍ଗାଳୁରୁ: ଲଗାଣ ବର୍ଷାରେ ବେହାଲ ବେଙ୍ଗାଲୁରୁ । ୩ ଦିନର ଲଗାଣ ବର୍ଷାରେ ସହରର ବିଭିନ୍ନ ସ୍ଥାନରେ କୃତିମ ବନ୍ୟା ସୃଷ୍ଟି ହୋଇଛି । ଏବେ ବି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି। ବହୁ ଅଞ୍ଚଳ ଜଳବନ୍ଦୀ । ସହରରେ ଦେଖାଦେଇଛି ପିଇବା ପାଣି ଓ ବିଜୁଳି ସଙ୍କଟ । ସବୁଠୁ ଅଧିକ ଦୟନୀୟ ସ୍ଥିତିରେ ରହିଛି ମାରାଥଲି ଅଞ୍ଚଳ। ବେସମେଣ୍ଟରେ କାର ପାଣିରେ ବୁଡ଼ି ରହିଛି। ଘରେ ବି ପଶିଛି ପାଣି ।

ପରିସ୍ଥିତି ଏମିତି ହୋଇଛି, ସ୍ଥାନୀୟ ବାସିନ୍ଦା ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଉଛନ୍ତି। ବିଭିନ୍ନ ଆପାର୍ଟମେଣ୍ଟ ଫସି ରହିଥିବା ଲୋକଙ୍କୁ ଏନଡିଆର୍‌ଏଫ ଟିମ୍‌ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି । ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ସେପଟେ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ଆଗାମୀ ୩ ଦିନ ପାଇଁ ପ୍ରବଳ ବର୍ଷାର ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

ଏପଟେ ଜବରଦଖଲ ଯୋଗୁଁ ଅନେକ ସ୍ଥାନରେ ଡ୍ରେନେଜ୍ ସମସ୍ୟା ସୃଷ୍ଟି ହୋଇଛି । ସେଥିଲାଗି ସହରରେ ଜବରଦଖଲ ଉଚ୍ଛେଦ ଲାଗି ୩ଶହ କୋଟି ବ୍ଯୟ ମଂଜୁର କରାଯାଇଛି।  ଜଳପ୍ରଳୟରୁ ଲୋକଙ୍କୁ ଉଦ୍ଧାର ପାଇଁ ଏସଡିଆରଏଫ୍ ଓ ଏନଡିଆରଏଫ୍ କାମରେ ଲାଗିଛନ୍ତି।  ଦାମୀ ଗାଡ଼ି ସବୁ ବେକାର ହୋଇ ପଡ଼ିଥିବାବେଳେ ଜଳ ପୂର୍ଣ୍ଣ ସଡ଼କରେ ଯିବା ଆସିବା ପାଇଁ ସାହାରା ପାଲଟିଛନ୍ତି ଟ୍ରାକ୍ଚର ଓ ବୁଲଡୋଜର।  ତେବେ ଏହି ଜଳତାଣ୍ଡବରେ ଏଯାଏଁ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସହରର କେତେକ ଅଞ୍ଚଳରେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଠପ୍ ହୋଇପଡିଛି।  ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ପାଓ୍ୱାର କଟ୍ କରାଯାଇଥିବା ବେଳେ ଆଉ କେତେକ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ହୋଇ ପାରୁନଥିବାରୁ ଲୋକେ ନାନା ସମସ୍ୟା ଭୋଗୁଛନ୍ତି । ତେବେ ଆହୁରି ୨ରୁ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ ହୋଇଥିବାରୁବେଳେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ସ୍ଥିତିକୁ ନେଇ ଆଲର୍ଟରେ ରହିଛି ବେଙ୍ଗାଲୁରୁ ପ୍ରଶାସନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.