ଭୁବନେଶ୍ୱର (କେନ୍ୟୁଜ୍) : ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ପାଇଁ ଆରମ୍ଭ ହୋଇ ଯାଇଛି କାଉଣ୍ଟଡାଉନ୍ । ଆଜି ଏହାର ଲୋଗୋ ଉନ୍ମୋଚିତ ହୋଇଛି । ଆଗାମୀ ଅକ୍ଟୋବର ୧୧ ତାରିଖରୁ ଆରମ୍ଭ ହେବ ମହିଳା ବିଶ୍ୱକପ । ଏଥିରେ ୧୬ଟି ଦେଶର ଖେଳଳି ଦେଖାଇବେ ନିଜର ଦକ୍ଷତା । ଆଜି କଳିଙ୍ଗ ଷ୍ଟାଡିଅମରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲୋଗକୁ ଲଞ୍ଚ କରିଛନ୍ତି । ଏହା ସହ ସ୍କୁଲ ଫୁଟବଲ କାର୍ନିଭାଲରକୁ ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ ।
ମହିଳା ବିଶ୍ୱକପର ସପ୍ତମ ସଂସ୍କରଣକୁ ଭାରତ ଆୟୋଜନ କରୁଛି । ଅକ୍ଟୋବର ୧୧ ତାରିଖରୁ ଏହା ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ପୋଟ-୧ରେ ରହିଛନ୍ତି ଭାରତ, ଜାପାନ, ସ୍ପେନ, ଜର୍ମାନୀ ଭଳି ଶକ୍ତିଶାଳୀ ଦଳା ସେହିଭଳି ପୋଟ-୨ରେ ମେକ୍ସିକୋ, କାନାଡ଼ା, ବ୍ରାଜିଲ, ନ୍ୟୁଜିଲାଣ୍ଡ ରହିଥିବା ବେଳେ ପୋଟ ୩ରେ ୟୁଏସଏ, ନାଇଜେରିଆ, ଫ୍ରାନ୍ସ, ଚାଇନା ରହିଛନ୍ତି । ସେପଟେ ପୋଟ ୪ରେ କଲମ୍ବିଆ, ଚିଲି, ମରକ୍କୋ, ତାଞ୍ଜାନିଆ ଲଢ଼େଇ କରିବେ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଏହି ବିଶ୍ୱକପର ୩ଟି ମ୍ୟାଚ୍ ।
୨୦୦୮ ମସିହାରୁ ଆରମ୍ଭ ହୋଇଥିବା ଏହି ବିଶ୍ୱକପରେ ନର୍ଥ କୋରିଆ ପ୍ରଥମେ ଟାଇଟଲ ହାସଲ କରିଥିଲା । ଦ୍ୱିତୀୟ ବିଶ୍ୱକପ ସାଉଥ କୋରିଆ, ତୃତୀୟ ଫ୍ରାନ୍ସ, ଚତୁର୍ଥ ଜାପାନ, ପଞ୍ଚମ ନର୍ଥ କୋରିଆ ଏବଂ ଷଷ୍ଠ ଥର ସ୍ପେନ ବିଶ୍ୱକପ ଟାଇଟଲ ନିଜ ନାଁରେ କରିଥିଲା । ନର୍ଥ କୋରିଆ ସର୍ବାଧିକ ଦୁଇଥର ଏହି ଟାଇଟେଲ ହାତେଇଛି ।
ସେପଟେ ରାଜ୍ଯରେ ଏଭଳି ଆଉ ଏକ ବଡ଼ ଇଭେଣ୍ଟ ଆୟୋଜନକୁ ପ୍ରଶଂସା କରିଛନ୍ତି ଫୁଟୁବଲ ଖେଳାଳି । ଭାରତ ମହିଳା ବିଶ୍ୱକପକୁ ଦ୍ୱିତୀୟ ଥର ପାଇଁ ଆୟୋଜନ କରୁଥିବା ବେଳେ ଓଡିଶା, ମହାରାଷ୍ଟ୍ର, ଗୋଆରେ ମ୍ୟାଚ୍ ଅନୁଷ୍ଠିତ ହେବ ।