ଡାକ୍ତର ସିଙ୍ଗର ୟୁଟ୍ୟୁବର ତାସହିତ ବ୍ଲଗର ମଧ୍ୟ, ବିଦେଶରେ ୬ ବର୍ଷ ରହିଥିବା ଗୁରୁଭାୟୁର ମନ୍ଦିରର ମୁଖ୍ୟ ପୂଜକ ଏବେ ଖୁବ୍‌ ଚର୍ଚ୍ଚାରେ

ଏବେ ଚର୍ଚ୍ଚାରେ ଡାକ୍ତର ପୂଜକ। ଡାକ୍ତର, ବ୍ଳଗର ଏବଂ ଗାୟକ ସାଙ୍ଗକୁ ମୂଖ୍ୟ ପୂଜକ ମଧ୍ୟ। ହଁ ଏବେ ବହୁତ ଚର୍ଚ୍ଚାରେ କେରଳର ପ୍ରସିଦ୍ଧ ମନ୍ଦିର ଗୁରୁଭାୟୁରର ମୁଖ୍ୟ ପୂଜକ। ଛଅ ବର୍ଷର ବିଦେଶୀ ଚାକିରି ସାଙ୍ଗକୁ ମହଙ୍ଗା ଦରମା ଛାଡିଦେଇଛନ୍ତି ଏହି ଯୁବକ। ଆମେ ଆପଣଙ୍କୁ କହୁଛୁ ୩୪ ବର୍ଷିୟ ଡାକ୍ତର କିରଣ ଆନନ୍ଦ କକ୍କରଙ୍କ କଥା। ଯିଏ ପିତୃ ପୁରୁଷର ପେସାକୁ ନିଜର କରିବାକୁ ଦାମୀ ଚାକିରି ସାଙ୍ଗକୁ ବିଳାସମୟ ଜୀବନ ଛାଡି ଭାରତ ଚାଲିଆସିଛନ୍ତି। ଆଉ ଏବେ ସେ କେରଳର ଏକ ମନ୍ଦିରରେ ମୁଖ୍ୟ ପୂଜକ ଭାବେ ଯୋଗ ଦେଇଛନ୍ତି।

କେରଳର ଥ୍ରୀସୁରରେ ଥିବା ପ୍ରସିଦ୍ଧ ଗୁରୁଭାୟୁର ମନ୍ଦିରର ମୁଖ୍ୟ ପୁରୋହିତ ଭାବେ ନିଯୁକ୍ତ ହୋଇଥିବା ଏହି ଯୁବକ ଜଣକ ଏକାଧାରରେ ଜଣେ ଆୟୁର୍ବେଦିକ ଡାକ୍ତର, ୟୁଟ୍ୟୁବର୍ ଏବଂ ଗାୟକ ବୋଲି ଜଣାପଡିଛି । ୩୪ ବର୍ଷୀୟ ଡକ୍ଟର କିରଣ ଆନନ୍ଦ କକ୍କରଙ୍କୁ ଗତ ସପ୍ତାହରେ ଡ୍ର ମାଧ୍ୟମରେ ଗୁରୁଭାୟୁର ମନ୍ଦିରର ପରବର୍ତ୍ତୀ ମୁଖ୍ୟ ପୁରୋହିତ ଭାବରେ ଚୟନ କରାଯାଇଛି । ସେ ପୁରୋହିତଙ୍କ ପରିବାରରୁ ଆସିଥିବାବେଳେ ଋଷର ରାଜଧାନୀ ମସ୍କୋରେ ଥିବା ଏକ ଆୟୁର୍ବେଦିକ କ୍ଲିନିକରେ ଦୀର୍ଘ ୬ ବର୍ଷ ଧରି କାର୍ଯ୍ୟ କରୁଥିଲେ । ଆସନ୍ତା ମାସରେ ଗୁରୁଭାୟୁର ମନ୍ଦିରର ‘ମେଲଶାନ୍ତୀ’ ଭାବରେ ଡକ୍ଟର କକ୍କର ଦାୟିତ୍ୱ ଗ୍ରହଣ କରିବେ। ସେ ମନ୍ଦିରର ମୁଖ୍ୟ ପୁରୋହିତ ଭାବରେ ୬ ମାସ ଧରି ପୂଜା କରିବେ। ଛଅ ମାସ ପରେ ଆଉ ଏକ ଡ୍ର ପରେ ପୁଣି ଜଣେ ନୂଆ ମେଲଶନ୍ତୀ ତାଙ୍କ ସ୍ଥାନ ଅଧିକାର କରିବେ।

ananaଏହି ଅବସରରେ ସେ କହିଛନ୍ତି ଯେ, “ଏହା ଈଶ୍ୱରଙ୍କ କୃପା ଦ୍ୱାରା ଘଟିଛି। ତାଙ୍କର ଏହି ଆଶୀର୍ବାଦ ଯେ ମୁଁ ଏହି ସୌଭାଗ୍ୟ ପାଇଛି। ଗୁରୁଭାୟୁର ମନ୍ଦିରର ‘ମେଲଶାନ୍ତୀ’ ହେବା ପାଇଁ ଆବେଦନ କରିବା ପୂର୍ବରୁ ତାଙ୍କୁ ଅନେକ ଉପାସନା କରିବାକୁ ପଡିଥିଲା | ଯାହାଫଳରେ ସେ ବିଦେଶରେ ରହିବା ସମୟରେ ଶରୀର ଉପରେ ପଡିଥିବା ଖରାପ ଏବଂ ବିପଦପୂର୍ଣ୍ଣ ପ୍ରଭାବକୁ ଦୂର କରିପାରିବେ’। ସେ କହିଛନ୍ତି ଯେ ପରମ୍ପରା ଅନୁଯାୟୀ ବିଦେଶ ଯାଉଥିବା ଲୋକଙ୍କୁ ମନ୍ଦିରର ରୀତିନୀତି ତଥା କାର୍ଯ୍ୟକଳାପରେ ଭାଗ ନେବାକୁ ଅନୁମତି ଦିଆଯାଇନଥାଏ, କାରଣ ବିଦେଶରେ ରହୁଥିବାବେଳେ ‘ନିତ୍ୟକର୍ମ’ କରିବା କଷ୍ଟସାଧ୍ୟ, ତେଣୁ ଏହିପରି ଲୋକଙ୍କ ଶରୀରରେ ଖରାପ ପ୍ରଭାବ ପଡିଥିବାର ବିଶ୍ୱାସ କରାଯାଏ | ‘ନିତ୍ୟକର୍ମ’ ହେଉଛି ଏଭଳି ରୀତିନୀତି ଯାହାକୁ ହିନ୍ଦୁମାନଙ୍କୁ ପ୍ରତିଦିନ କରିବାକୁ ପଡିଥାଏ |

ଋଷରେ ଆୟୁର୍ବେଦିକ ଡାକ୍ତର ଭାବରେ ସେ ତାଙ୍କର ସଫଳ କ୍ୟାରିଅର୍ କାହିଁକି ଛାଡିଛନ୍ତି ବୋଲି ପଚରାଯିବାରୁ ଡକ୍ଟର କକ୍କର କହିଛନ୍ତି ଯେ ସେ ତାଙ୍କ ପିତାଙ୍କ ଇଚ୍ଛା ଅନୁଯାୟୀ ଏହା କରିଛନ୍ତି। ଡକ୍ଟର କକ୍କରଙ୍କ ଅନୁଯାୟୀ, “ମୋର ପୂର୍ବଜମାନେ ପୁରୋହିତ ଥିଲେ। ମୋ ବାପା ମଧ୍ୟ ଜଣେ ପୁରୋହିତ। ଯେହେତୁ ମୋ ବାପା ବୃଦ୍ଧ ହେଲେଣି, ତେଣୁ ସେ ମୋତେ ଫେରି ଆସି ପୂଜକ ଦାୟିତ୍ୱ ଗ୍ରହଣ କରିବାକୁ କହିଥିଲେ। ସେଥିପାଇଁ ମୁଁ ଫେରି ଆସିଥିଲି। “

ଆନନ୍ଦଙ୍କୁ ବହୁତ କମ୍‌ ବର୍ଷ ବୟସରେ ବିଭିନ୍ନ ପ୍ରାର୍ଥନା, ଅନୁଷ୍ଠାନ ଏବଂ ବେଦ ଶିକ୍ଷା ଦିଆଯାଇଥିଲା। ମେଲଶାନ୍ତୀ ରୂପରେ କାର୍ଯ୍ୟଭାର ସମ୍ଭାଳିବା ପରେ ଛଅ ମାସ ତାଙ୍କୁ ମନ୍ଦିରରେ ହିଁ ବିତାଇବାକୁ ପଡିବ। ତେବେ ସେ କହିଛନ୍ତି ପିତାଙ୍କ ଇଚ୍ଛାକୁ ପୂରଣ କରିବା ସହିତ ତାଙ୍କର ଏକ ଆୟୁର୍ବେଦିକ କ୍ଲିନିକ ଖୋଲିବାର ଯୋଜନା ରହିଛି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କମ୍‌ ବୟସରେ ବେଦ ପାଠ କରୁଥିବା ଡାକ୍ତର କକ୍କର ବାଦ୍ୟ ଯନ୍ତ୍ର ବଜାଇବା ମଧ୍ୟ ଜାଣନ୍ତି। ସେ କର୍ଣ୍ଣାଟକ ସଂଗୀତରେ ମଧ୍ୟ ପ୍ରଶିକ୍ଷଣ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.