ଆଜିଠାରୁ ଟି-୨୦ ବିଶ୍ୱକପର ସେମିଫାଇନାଲ୍ ଟକ୍କର । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ସିଡନୀରେ ଦିନ ସାଢ଼େ ଗୋଟାଏରେ ଏହି ମ୍ୟାଚ୍ ଖେଳାଯିବ । ଚଳିତ ବିଶ୍ୱକପରେ ନ୍ୟୁଜିଲାଣ୍ଡ ଜବରଦସ୍ତ ଫର୍ମରେ ଅଛି । ଗ୍ରୁପ-୧ରୁ ପ୍ରଥମ ଦଳ ଭାବରେ ସେମି ଟିକେଟ ହାତେଇଥିଲା । ସେପଟେ ପାକିସ୍ତାନ ଚଳିତ ବିଶ୍ୱକପରେ ନାଟକୀୟ ଭାବରେ ସେମିରେ ଏଣ୍ଟ୍ରି ମାରିଛି । ଉତଥାନ ପତ୍ତନ ଦେଇ ସେମିରେ ପହଞ୍ଚିଛି ପାକିସ୍ତାନ । ଟି-ଟେ୍ଵଣ୍ଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନର ପଲା ଭାରି ରହିଛି । ଉଭୟ ଦଳ ୬ ଥର ମୁହାଁମୁହିଁ ହୋଇଛନ୍ତି ।
ପାକିସ୍ତାନ ୪ଥର ବିଜୟୀ ହୋଇଥିବାବେଳେ ନ୍ୟୁଜିଲାଣ୍ଡ ଜିତିଛି ମାତ୍ର ୨ ଥର । ସେହିପରି ଆଇସିସି ବିଶ୍ୱକପ୍ ଇତିହାସରେ ଉଭୟ ଦଳ ସେମିଫାଇନାଲରେ ୩ ଥର ମୁହାଁମୁହିଁ ହୋଇଛନ୍ତି । ପ୍ରତିଥର କିନ୍ତୁ ବାଜି ମାରିଛି ପାକିସ୍ତାନ । ୧୯୯୨ ଦିନିକିଆ ବିଶ୍ୱକପ ସେମିରେ ଅପ୍ରତ୍ୟାଶିତ ଭାବରେ ନ୍ୟୁଜିଲାଣ୍ଡକୁ ହରାଇଥିଲା ପାକିସ୍ତାନ । ସେଥର ବିଜେତା ହୋଇଥିଲା ଇମ୍ରାନ୍ ଖାନଙ୍କ ନେତୃତ୍ୱାଧୀନ ପାକ୍ ଟିମ୍ । ସେହିପରି ୧୯୯୯ ଦିନିକିଆ ବିଶ୍ୱକପ୍ ଓ ୨୦୦୭ ଟି-ଟେ୍ଵଣ୍ଟି ବିଶ୍ୱକପ ସେମିଫାଇନାଲରେ ମଧ୍ୟ ନ୍ୟୁଜିଲାଣ୍ଡକୁ ପରାଜୟର ମୁହଁ ଦେଖାଇଥିଲେ ପାକିସ୍ତାନ ।
ଅନ୍ୟପଟେ ବିଶ୍ୱକପର ଗତ ୪ଟି ସଂସ୍କରଣରେ ସେମିକୁ ଯାଇଥିଲେ ବି ଟ୍ରଫି ଜିତି ପାରିନି ବ୍ଲାକ କ୍ୟାପ୍ ଦଳ । ସିଡନୀ ଗ୍ରାଉଣ୍ଡ କିନ୍ତୁ ନ୍ୟୁଜିଲାଣ୍ଡ ଟିମକୁ ସୁହାଇବ ବୋଲି କୁହାଯାଉଛି । ପାକିସ୍ତାନର ବ୍ୟାଟଂ ଲାଇନ ଅପ୍କୁ ବିଗାଡି ପାରିଲେ କିଓ୍ଵି ଦଳର ବିଜୟ ସମ୍ଭାବନା ଅଧିକ ରହିବ । ସେପଟେ ଆସନ୍ତାକାଲି ଦ୍ୱିତୀୟ ସେମିରେ ଇଂଲଣ୍ଡକୁ ଭେଟିବ ଭାରତ ।