ଏବେଠୁ ସାପ୍ତାହିକ କାମ ମାତ୍ର ୪ ଦିନ! ୧୦୦ କମ୍ପାନୀ ଲାଗୁ କଲେ ଚାରି ଦିନିଆ ଓ୍ଵାର୍କିଂ ଓ୍ଵିକ୍‌; ଆହୁରି ୭୦ କମ୍ପାନୀ କରୁଛନ୍ତି ପରୀକ୍ଷା…

ବ୍ରିଟେନର ଅର୍ଥବ୍ୟବସ୍ଥା ବର୍ତ୍ତମାନ ବିପର୍ଯ୍ୟସ୍ତ ହୋଇପଡିଛି। ଏହାକୁ ପୁନଃରୁଦ୍ଧାର କରିବା ପାଇଁ ରିଷି ସୁନକ ସରକାର ଲଗାତାର ପ୍ରୟାସ ଜାରି ରଖିଛି। ଏହି ସଙ୍କଟ ଭିତରେ ବ୍ରିଟେନର ୧୦୦ କମ୍ପାନୀ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଠାକାର କମ୍ପାନୀଗୁଡିକ ବେତନ ନ କାଟି ସମସ୍ତ କର୍ମଚାରୀଙ୍କ ପାଇଁ ସ୍ଥାୟୀ ରୂପେ ସାପ୍ତାହିକ ଚାରି ଦିନ ଓ୍ଵାର୍କିଂ ଫର୍ମୂଲା ନିୟମ ଲାଗୁ କରିଛନ୍ତି। ଏହି ୧୦୦ଟି କମ୍ପାନୀ ପାଖାପାଖି ୨,୬୦୦ କର୍ମଚାରୀଙ୍କୁ ରୋଜଗାର ଦେଇଛନ୍ତି। ସେମାନଙ୍କ କହିବା ହେଲା, ସପ୍ତାହରେ ୪ ଦିନ କାମ କରି ସେମାନେ ଦେଶରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହେବେ।

୪ ଦିନ କାମ କରିବାର କନ୍‌ସେପ୍ଟକୁ ଅନେକ ଜଣ ସମର୍ଥନ କରିଛନ୍ତି। ସମର୍ଥନକାରୀ କହିଛନ୍ତି ଯେ ଚାରି ଦିନ କାମ କରିବାର ଏହି ଫର୍ମୂଲା ସଂସ୍ଥାଗୁଡ଼ିକୁ ସେମାନଙ୍କ ଉତ୍ପାଦନରେ ଉନ୍ନତି ଆଣିବ। ଏଥି ସହିତ କମ୍‌ ଘଣ୍ଟାରେ ସମାନ କାମ କରିବା ପାଇଁ ପ୍ରେରିତ କରିବ। ତା’ ଛଡ଼ା ସେମାନେ ଏହି ନୀତିକୁ କର୍ମଚାରୀମାନଙ୍କୁ ଆକର୍ଷିତ କରିବା ତଥା ନିଜ ସହିତ ଦୀର୍ଘ ଦିନ ଧରି ରଖିବାର ଏକ ଭଲ ଉପାୟ ବୋଲି ମଧ୍ୟ କହିଛନ୍ତି।

ଏହି ୧୦୦ କମ୍ପାନୀ ମଧ୍ୟରୁ ୟୁକେର ଦୁଇଟି ସବୁଠୁ ବଡ଼ ସଂସ୍ଥା ହେଉଛି, ଏଟମ୍‌ ବ୍ୟାଙ୍କ ଏବଂ ଏଭିନ୍। ଏହି ଦୁଇଟି କମ୍ପାନୀର ବ୍ରିଟେନରେ ପାଖାପାଖି ୪୫୦ କର୍ମଚାରୀ ଅଛନ୍ତି। ଏଭିନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଡମ୍‌ ରସ କହିଛନ୍ତି ଯେ ନୂଆ କାର୍ଯ୍ୟଶୈଳୀକୁ ସୁଇଚ୍ କରିବାର ଏହା ଏକ ପରିବର୍ତ୍ତନକାରୀ ପଦକ୍ଷେପ। ଏହାଦ୍ୱାରା ଗ୍ରାହକ ସେବାରେ ଉନ୍ନତି ହେବା ସହିତ କର୍ମଚାରୀଙ୍କ ଉପରେ କମ୍‌ ବୋଝ ପକାଇ ସେମାନଙ୍କ ପ୍ରତିଭାକୁ ପ୍ରସ୍ଫୁଟିତ କରାଯାଇପାରିବ।

କହି ରଖୁଛୁ, ଏହି ୧୦୦ କମ୍ପାନୀ ବ୍ୟତୀତ ଦୁନିଆର ଆଉ ୭୦ କମ୍ପାନୀ ମଧ୍ୟ ୪ ଦିନ କାମକୁ ନେଇ କାର୍ଯ୍ୟ କରୁଛନ୍ତି। ସେମାନଙ୍କର ଏବେ ଟ୍ରାଏଲ ଚାଲିଛି। କମ୍ପାନୀଗୁଡିକରେ ପାଖାପାଖି ୩,୩୦୦ ଲୋକ କାମ କରୁଛନ୍ତି। ଏହି ତଥ୍ୟ ଏକ ପରୀକ୍ଷଣରୁ ଜଣାପଡ଼ିଛି, ଯାହାକି କେମ୍ବ୍ରିଜ୍ ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହିତ ବୋଷ୍ଟନ ଏବଂ ଥିଙ୍କଟ୍ୟାଙ୍କ ଅଟୋନୋମିର ଗବେଷକମାନଙ୍କ ଦ୍ୱାରା କରାଯାଇଥିଲା। ସେପ୍ଟେମ୍ବରରେ ପରୀକ୍ଷଣ ସମୟରେ ଏହି କମ୍ପାନୀଗୁଡିକୁ ପଚରାଯାଇଥିଲା କି, ଟ୍ରାଏଲ କିପରି ଚାଲିଛି, ତ କମ୍ପାନୀଗୁଡ଼ିକ ମଧ୍ୟରୁ ୮୮% କମ୍ପାନୀ କହିଥିଲେ ଯେ ୪ ଦିନର ସପ୍ତାହ ସେମାନଙ୍କ ବ୍ୟବସାୟ ପାଇଁ ଭଲ କାମ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.