ଗ୍ରାହକଙ୍କୁ ଠକିବା ସ୍ୱିଗୀକୁ ପଡିଲା ମହଙ୍ଗା : ୮୨ ଟଙ୍କାର ଚିକେନ୍‌ ଦେଇ ଏବେ ତଣ୍ଡ ଗଣିବେ ୨୦ ହଜାର ଟଙ୍କା

କଟକ (କେନ୍ୟୁଜ): ଅନଲାଇନରେ ଚିକେନ୍ କବାବ ଠକେଇ କରି ସ୍ୱିଗୀ ଦଣ୍ଡିତ। ଏକ ମାସ ମଧ୍ୟରେ ଅଭିଯୋଗ କରିଥିବା ଖାଉଟିଙ୍କୁ ୨୦ ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ଖାଉଟି କମିଶନ ନିର୍ଦ୍ଦେଶ ଦେବା ସହିତ ୧୦ ହଜାର ୫ ଟଙ୍କା ମକଦ୍ଦମା ଖର୍ଚ୍ଚ ପ୍ରଦାନ କରିବାକୁ ସ୍ୱିଗୀକୁ ନିର୍ଦ୍ଦେଶ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ କଟକ ଷ୍ଟେସନବଜାର ଆରପିଏଫ ବଙ୍ଗଳାର ପୂର୍ଣ୍ଣଚନ୍ଦ୍ର ଦଳାଇ ୨୦୧୯ ସେପ୍ଟେମ୍ବର ୮ ରେ ଟାଙ୍ଗଡି ଚିକେନ୍ କବାଵ ଅନଲାଇନ ସଂସ୍ଥା ସ୍ୱିଗୀ ଜରିଆରେ ମଗାଇଥିଲେ। କଟକ ବକ୍ସିବଜାର ସ୍ଥିତ ରେଷ୍ଟୁରାଣ୍ଟ ବିରିୟାନି ବକ୍ସରୁ ଏହି ଖାଦ୍ୟ ମଗାଇଥିଲେ। ଦୁଇଖଣ୍ଡ ଟାଙ୍ଗଡି ଚିକେନ୍ କବାଵର ମୂଲ୍ୟ ୧୭୯ ଟଙ୍କା ଥିବା ବେଳେ ସେଦିନର ଅନଲାଇନ ଅଫର ୬୦% ଅନୁଯାୟୀ ମୂଲ୍ୟ ୮୨ ଟଙ୍କା ଥିଲା। କିନ୍ତୁ ଟାଙ୍ଗଡି ଚିକେନ୍ କବାଵ ତାଙ୍କ ନିକଟରେ ପହଁଚିବା ପରେ ଦୁଇଖଣ୍ଡ ଟାଙ୍ଗଡି ଚିକେନ୍ କବାଵ ବଦଳରେ ଖଣ୍ଡିଏ ଟାଙ୍ଗଡି ଚିକେନ୍ କବାଵ ଥିଲା।

ଏ ସମ୍ପର୍କରେ ସେ ଅଭିଯୋଗ କରିଥିଲେ ସ୍ୱିଗୀ ବା ରେଷ୍ଟୁରାଣ୍ଟ କୌଣସି ପଦକ୍ଷେପ ନେଇ ନଥିଲେ। ଶେଷରେ ସେ ବାଧ୍ୟ ହୋଇ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। କଟକ ଜିଲା ଖାଉଟି କମିଶନ ସଭାପତି ଦେବାଶିଷ ନାୟକ ଓ ସଦସ୍ୟ ଶିବାନନ୍ଦ ମହାନ୍ତି ଏହି ମାମଲାର ଶୁଣାଣି କରି ଉଭୟ ସ୍ୱିଗୀ ଓ ରେଷ୍ଟୁରାଣ୍ଟ ବିରିୟାନି ବକ୍ସକୁ ଦଣ୍ଡିତ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବି କେ ସିହ୍ନା ଓ ପଦ୍ମଲୋଚନ ରାଉତ ମକଦ୍ଦମା ପରିଚାଳନା କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.