କୁନୋରେ ‘ଜ୍ୱାଲା’ର ଆଉ ୨ ଶାବକ ଆଖି ବୁଜିଲେ, ପୂର୍ବରୁ ଗୋଟିଏ ଶାବକ ସହ ୩ ଚିତାଙ୍କର ହୋଇସାରିଛି ମୃତ୍ୟୁ
ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଚିତା ‘ଜ୍ୱାଲା’ର ଆଉ ଦୁଇ ଶାବକଙ୍କର ମୃତ୍ୟୁ ହୋଇଛି। ଏବେ ଦୁଇ ଦିନ ପୂର୍ବରୁ ତା’ର ଗୋଟିଏ ଶାବକର ମୃତ୍ୟୁ ହୋଇଥିଲା।
ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଚିତା ‘ଜ୍ୱାଲା’ର ଆଉ ଦୁଇ ଶାବକଙ୍କର ମୃତ୍ୟୁ ହୋଇଛି। ଏବେ ଦୁଇ ଦିନ ପୂର୍ବରୁ ତା’ର ଗୋଟିଏ ଶାବକର ମୃତ୍ୟୁ ହୋଇଥିଲା। ଜ୍ୱାଲା ଚଳିତ ବର୍ଷ ମାର୍ଚ୍ଚରେ ୪ ଶାବକ ଜନ୍ମ ଦେଇଥିଲା। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ୩ ଶାବକଙ୍କର ମୃତ୍ୟୁ ଘଟିସାରିଛି। କୁନୋ ଜାତୀୟ ଉଦ୍ୟାନରେ ଏ ପର୍ଯ୍ୟନ୍ତ ୩ ଶାବକ ଏବଂ ୩ ଚିତାଙ୍କର ମୃତ୍ୟୁ ଘଟିଛି। ବନ ବିଭାଗ ଟିମ୍ ମୃତ୍ୟୁର କାରଣ ଜାଣିବାକୁ ଚେଷ୍ଟା ଚଳାଇଛି।
ବନ୍ୟପ୍ରାଣୀ ଡାକ୍ତରୀ ଟିମ୍ ଜ୍ୱାଲା ଏବଂ ତା’ ଶାବକମାନଙ୍କ ଯତ୍ନ ନେଉଥିଲା। ମଧ୍ୟପ୍ରଦେଶର ମୁଖ୍ୟ ବନ ସଂରକ୍ଷକଙ୍କ ତରଫରୁ ଜାରି ବୟାନରେ କୁହାଯାଇଛି ଯେ ତିନି ଶାବକଙ୍କର ଅସ୍ୱାଭାବିକ ଅବସ୍ଥା ଏବଂ ଗରମକୁ ଦୃଷ୍ଟିରେ ରଖି ଡାକ୍ତରୀ ଦଳ ସେମାନଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କ ତତ୍ତ୍ୱାବଧାନରେ ରଖିଥିଲେ। କିନ୍ତୁ ସମସ୍ତ ଚେଷ୍ଟା ସତ୍ତ୍ୱେ ସେମାନଙ୍କୁ ବଞ୍ଚାଯାଇ ପାରି ନ ଥିଲା।
ଏବେ ଅବଶିଷ୍ଟ ଗୋଟିଏ ଶାବକକୁ ପାଲପୁର ଡାକ୍ତରଖାନାରେ ରଖାଯାଇଛି। ସେଠାରେ ଡାକ୍ତରମାନେ ତାକୁ ଲଗାତାର ଚିକିତ୍ସା କରୁଛନ୍ତି। ଏଥିରେ ନାମ୍ବିଆ ଏବଂ ଦକ୍ଷିଣ ଆଫ୍ରିକାର ବିଶେଷଜ୍ଞମାନଙ୍କଠାରୁ ମଧ୍ୟ ପରାମର୍ଶ ନିଆଯାଉଛି। ସେପଟେ ସୂଚନା ମୁତାବକ, ମା’ ଚିତା ‘ଜ୍ୱାଲା’ ଏବେ ସୁସ୍ଥ ଅଛି ଏବଂ ଏହା ଉପରେ ବି ନଜର ରଖାଯାଇଛି।