ଚିପ୍ସ ପ୍ୟାକେଟରେ କାହିଁକି ଭରି ରହିଥାଏ ପବନ, ଜାଣନ୍ତୁ କମ୍ପାନୀର ଚାଲ୍ ନା ରହିଛି ଅନ୍ୟ କିଛି କାରଣ

ପବନ କାରଣରୁ ପ୍ୟାକେଟଟି କିଣିବା ସମୟରେ ବହୁତ ବଡ ଲାଗିଥାଏ କିନ୍ତୁ କିଣି ସାରି ଏହାକୁ ଖୋଲି ଦେବା ପରେ ଏଥିରେ ଖୁବ୍ କମ୍ ଆମାଉଣ୍ଟ ଚିପ୍ସ ଥିବାର ଦେଖାଯାଏ ।

ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଚିପ୍ସ ଖାଇବାକୁ କିଏ ବା ଭଲ ନ ପାଏ । ପ୍ୟାକେଟ୍ ଖୋଲିବା ମାତ୍ରକେ ଏହାକୁ ଖାଇବାକୁ ସମସ୍ତଙ୍କ ମନ ମଧ୍ୟରେ ଉତ୍ସୁକତା ଦ୍ୱିଗୁଣ ବଢିଯାଏ । କିନ୍ତୁ ପ୍ୟାକେଟଟିକୁ ଖୋଲି ଦେଇ ଏହା ଭିତରକୁ ଚାହିଁ ଦେବା ପରେ ମୁହଁ ଶୁଖିଯାଏ । ଏହାର କାରଣ ଏହା ମଧ୍ୟରେ ଭରି ରହିଥିବା ପବନ । ଏହି ପବନ କାରଣରୁ ପ୍ୟାକେଟଟି କିଣିବା ସମୟରେ ବହୁତ ବଡ ଲାଗିଥାଏ କିନ୍ତୁ କିଣି ସାରି ଏହାକୁ ଖୋଲି ଦେବା ପରେ ଏଥିରେ ଖୁବ୍ କମ୍ ଆମାଉଣ୍ଟ ଚିପ୍ସ ଥିବାର ଦେଖାଯାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଚିପ୍ସ ପ୍ୟାକେଟରେ ଚିପ୍ସ ସହିତ ଏତେ ମାତ୍ରାରେ ପବନ କାହିଁକି ଭରି ଦିଆଯାଏ । ଏପରି ନୁହେଁ ତ ଚିପ୍ସ ବିକ୍ରୀ କରୁଥିବା କମ୍ପାନୀ ଗ୍ରାହକଙ୍କ ସହ ଧୋକ୍କା କରିବା ଲାଗି ପ୍ୟାକେଟ୍ ରେ ପବନ ଭରୁଛି । ତେବେ ଏହା ପଛରେ ପ୍ରକୃତ କାରଣ କଣ ରହିଛି ଆସନ୍ତୁ ଜାଣିବା ।

ଚିପ୍ସ ପ୍ୟାକେଟରେ ଅକ୍ସିଜେନ୍ ଗ୍ୟାସ୍ ନଥାଏ । ଅପରପକ୍ଷେ ଏଥିରେ ନାଇଟ୍ରୋଜେନ୍ ଗ୍ୟାସ୍ ଭରାଯାଏ । ଅକ୍ସସିଜେନ୍ ଗ୍ୟାସ୍ ଭରିବା ଦ୍ୱାରା ଏହା ଭିତରେ ଥିବା ଖାଦ୍ୟପଦାର୍ଥ ସହ ମିଶି ପ୍ରତିକ୍ରିୟାଶୀଳ ହୋଇପାରେ । ଏହାଦ୍ୱାରା ଚିପ୍ସ ଖରାପ ହୋଇଯାଇ ପାରେ । ଏହି କାରଣରୁ ପ୍ୟାକେଟରେ ନାଇଟ୍ରୋଜେନ୍ ଗ୍ୟାସ୍ ଭରି ଦିଆଯାଏ ।

ନାଇଟ୍ରୋଜେନ୍ ଏକ ଏପରି ଗ୍ୟାସ୍ ଯାହା ଭିତରେ ଥିବା ଖାଦ୍ୟ ପଦାର୍ଥ ସହିତ କୌଣସି ପ୍ରକାର ପ୍ରତିକ୍ରିୟା କରେ ନାହିଁ । ଅପରପକ୍ଷେ ଏହା ଚିପ୍ସକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଫ୍ରେସ୍ ରଖିଥାଏ । ବିଶେଷଜ୍ଞମାନଙ୍କ ମତ ନାଇଟ୍ରୋଜେନ୍ ଗ୍ୟାସ୍ ଦେଇ ଖାଦ୍ୟକୁ ଷ୍ଟୋର କରିବା ଏକ ସବୁଠାରୁ ଭଲ ଉପାୟ । ତେବେ ଏହି ଗ୍ୟାସ୍ ପ୍ୟାକେଟ୍ ରେ ରହିବାର ସମୟ ବି ଧାର୍ଯ୍ୟ ହୋଇଥାଏ । ଏହି ପ୍ୟାକେଟ୍ ଉପରେ ୪୦ରୁ ୫୫ ଦିନ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଥାଏ । ନାଇଟ୍ରୋଜେନ୍ କାରଣରୁ ଚିପ୍ସ ଖରାପ ହୋଇ ନ ଥାଏ । ବହୁ ସମୟରେ ଏହି ନାଇଟ୍ରୋଜେନ୍ କାରଣରୁ ଆର୍ଟିଫିସିଆଲ୍ ପ୍ରିଜରଭେଟିଭ୍ ଦେବାର ଆବଶ୍ୟକ ପଡେ ନାହିଁ । ଏହି କାରଣରୁ ଚିପ୍ସର ବ୍ୟବହାର ସମୟ ବି ବଢିଯାଏ ।

ଅନ୍ୟ ଏକ କାରଣ ହେଉଛି ଚିପ୍ସକୁ ଦୋକାନ ପର୍ଯ୍ୟନ୍ତ ଡେଲିଭରୀ କରିବା ସମୟରେ ପ୍ୟାକେଟ୍ ବହୁ ମାତ୍ରାରେ ଏପଟ ସେପଟ ହୋଇଥାଏ । ଏପରି ସ୍ଥିତିରେ ପ୍ୟାକେଟ୍ ରେ ଥିବା ପବନ ଚିପ୍ସ ଲାଗି ଗଦି ପରି କାମ କରିଥାଏ ଓ ଚିପ୍ସ ନଷ୍ଟ ହୋଇ ନ ଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.