ଜୁନ୍‌ ୧୩ରେ ମୁକ୍ତିଲାଭ କରିବ ସିନେମା ଲଭ୍‌ ଇନ୍‌ ଲଣ୍ଡନ, ଲାଭାଂଶ ଅର୍ଥର ୧୦% CMRFକୁ ଦିଆଯିବ

ଭୁବନେଶ୍ଵର ଶୀତଲ ହୋଟେଲ ଠାରେ ସାମ୍ବାଦିକ ସମ୍ମିଳନୀରେ ଜେବି ଫିଲ୍ମସ୍‌ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ବ୍ୟାନରରେ ନିର୍ମିତ ଲଭ୍‌ ଇନ୍‌ ଲଣ୍ଡନର ଟିମ୍‌ ଜୁନ ୨ତାରିଖ ଟ୍ରେନ ଟ୍ରାଜେଡି ନେଇ ଶୋକ ବ୍ୟକ୍ତ କରିଛନ୍ତି।

କେନ୍ୟୁଜ୍(ବ୍ୟୁରୋ): ବାହାନଗା ଟ୍ରେନ ଟ୍ରାଜେଡି ନେଇ ଦୁଃଖ ଓ ସମବେଦନା ଜଣାଇଛି ଜେବି ଫିଲ୍ମସ୍‌ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି। ଭୁବନେଶ୍ଵର ଶୀତଲ ହୋଟେଲ ଠାରେ ସାମ୍ବାଦିକ ସମ୍ମିଳନୀରେ ଜେବି ଫିଲ୍ମସ୍‌ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ବ୍ୟାନରରେ ନିର୍ମିତ ଲଭ୍‌ ଇନ୍‌ ଲଣ୍ଡନର ଟିମ୍‌ ଜୁନ ୨ତାରିଖ ଟ୍ରେନ ଟ୍ରାଜେଡି ନେଇ ଶୋକ ବ୍ୟକ୍ତ କରିଛନ୍ତି। ଅନୁଭବ ମହାନ୍ତି, ନବାଗତା ସ୍ୱପ୍ନା ପ୍ରିୟଦର୍ଶିନୀ ଓ ସୌମ୍ୟା ସଚ୍ଚଦେବାଙ୍କ ଅଭିନୀତ ସିନେମା ଲଭ୍‌ ଇନ ଲଣ୍ଡନ ଆଜି ମୁକ୍ତିଲାଭ କରିବାକୁ ଯୋଜନା ରହିଥିଲା। କିନ୍ତୁ ବାହାନାଗା ଅଘଟଣକୁ ସମ୍ମାନ ଏବଂ ଓଡ଼ିଶାରେ ଏକତାର ଚିହ୍ନ ଭାବରେ ଫିଲ୍ମର ପ୍ରିମିୟର୍‌ ଜୁନ୍‌ ୧୩କୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛି।

ଏହାସହ ପୀଡିତଙ୍କ ପରିବାରକୁ ସହାୟତା କରିବା ପାଇଁ ଲଭ୍‌ ଇନ୍‌ ଲଣ୍ଡନ ଫିଲ୍ମର ପ୍ରଯୋଜକ ଲାଭାଂଶ ଅର୍ଥର ୧୦ ପ୍ରତିଶତ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଏହି ଅବଦାନ ଦୁର୍ଘଟଣା ଦ୍ୱାରା ପ୍ରଭାବିତ ଲୋକଙ୍କ ଆରୋଗ୍ୟ ଏବଂ ପୁନରୁଦ୍ଧାର ପ୍ରକ୍ରିୟାରେ କିଛି ସାହାଯ୍ୟ ଓ ସହାୟତା ପ୍ରଦାନ କରିବ ବୋଲି ଫିଲ୍ମର ନିର୍ମାତା ନବୀନ ଭଣ୍ଡାରୀ ଓ ଜେ. ବର୍ଖା କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅଭିନେତା ଅନୁଭବ ମହାନ୍ତି , ନିର୍ଦ୍ଦେଶକ ତାପସ ସରଘରିଆ, ଆମର ମ୍ୟୁଜିକର ଓଡିଶା ମୁଖ୍ୟ ଦେବାଶିଷ ପଣ୍ଡା, ଲଭ୍‌ ଇନ୍‌ ଲଣ୍ଡନର କ୍ରିଏଟିଭ୍‌ ହେଡ୍‌ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.