ମୋଦିଙ୍କ ପାଇଁ ସହଜ ନୁହେଁ ଊଣେଇଶିର ରାସ୍ତା, କୋଲକାତାରୁ ବିରୋଧୀ ମେଣ୍ଟର ଶୁଭ ଅନୁକୂଳ

୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଉ ହାତରେ ମାସ କେଇଟା । ସବୁ ରାଜନୈତିକ ଦଳ କମର କସାରେ ଲାଗିଛନ୍ତି। କିଏ ଗାଁକୁ ଚାଲ ଅଭିଯାନ ଆରମ୍ଭ କରିଛି ତ ଆଉ କିଏ ମୋ ବୁଥ୍ ସବୁଠୁ ମଜଭୁତ କ୍ୟାମ୍ପେନ କରୁଛନ୍ତି। ସମସ୍ତଙ୍କ ମିଶନ ଗୋଟିଏ। ଭୋଟ୍ ଭିକ୍ଷା। ଶାସନ ଡୋରି ନିଜ ହାତରେ ରଖିବା। ମୋଦି ଶକ୍ତିରେ ବ୍ରେକ୍ ଲଗାଇବା ପାଇଁ ବିରୋଧୀ ଏକାଠି ହାତ ମିଳାଉଛନ୍ତି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତାଙ୍କ ମେଳିରେ ଏକାଠି ହୋଇଥିଲେ ୨୨ଟି ବିଜେପି ବିରୋଧୀ ଦଳର ୪୪ ଜଣ ହେଭିଓ୍ୱେଟ। କୁହାଯାଉଛି, ୨୦୧୯ ନିର୍ବାଚନ ଆଗରୁ ବିଜେପି ହଟାଓ ମିଶନର ଶୁଭ ଅନୁକୂଳ ହୋଇଛି କୋଲକାତାରୁ। ବିରୋଧୀ ଏକତାର ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ଆଞ୍ଚଳିକ ଦଳର ମୁଖିଆଙ୍କ ମାଷ୍ଟରପ୍ଲାନରେ ସାମିଲ ହୋଇଛି କଂଗ୍ରେସ। ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ କଥା, ବିଜେପି ଓ ମୋଦିଙ୍କୁ ଆଉଟ୍ କରିବା। ତେବେ ପ୍ରଶ୍ନ ଉଠୁଛି ବିରୋଧୀ ମାହମେଣ୍ଟରେ ମୋଦିଙ୍କ ବିକଳ୍ପ କିଏ ?

KOLKATA RALLY-2

ଏକତରଫା ହେବନି ୨୦୧୯ ନିର୍ବାଚନ

SHARAD PAWAR

୨୦୧୯ରେ ଦେଶ ଦେଖିବ କି ବିକଳ୍ପ ରାଜନୀତି? ଏବେଠାରୁ ଆଭାସ ମିଳିଲାଣି। ମମତାଙ୍କ ଆୟୋଜିତ ବିଶାଳ ସମାବେଶ ସଙ୍କେତ ଦେଉଛି କେନ୍ଦ୍ରରେ ସରକାର ଗଢ଼ିବାରେ ଆଞ୍ଚଳିକ ଦଳଗୁଡ଼ିକ ନିର୍ଣ୍ଣାୟକ ଭୂମିକା ନିଭାଇବେ। ଓଡ଼ିଶାରେ ବିଜେଡି, ତେଲେଙ୍ଗାନାରେ ଟିଆରଏସ ଭଳି ଆଞ୍ଚଳିକ ଦଳ ସମଦୂରତା ରାଜନୀତିରେ ନିଜକୁ ଏପର୍ଯ୍ୟନ୍ତ ସୀମିତ ରଖିଛନ୍ତି। ଏମାନଙ୍କୁ ଛାଡ଼ିଦେଲେ ମମତାଙ୍କ ରାଲିରେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ କଶ୍ମୀରରୁ କନ୍ୟାକୁମାର ପର୍ଯ୍ୟନ୍ତ ବିଭିନ୍ନ ଆଞ୍ଚଳିକ ଦଳ ମୁଖିଆ। ନାରା ଦେଇଛନ୍ତି, ମୋଦି ହଟାଓ, ଦେଶ ବଞ୍ଚାଅ। ମେଗା ରାଲିରେ ବିରୋଧୀ ସରକାରଙ୍କ ବିରୋଧରେ ଏକଜୁଟ ହେବାର ହୁଙ୍କାର ତ ଦେଇ ଦେଲେ। କିନ୍ତୁ ଏକଥା କହିଲେ ନାହିଁ ଯଦି ମୋଦି ନାହିଁ ତ ଆଉ କିଏ ? ଯଦି ବିରୋଧୀ ମୋଦିଙ୍କ ହଟାଇବାରେ ସକ୍ଷମ ହେଲେ, କିଏ ହେବେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ? ନିଜ ଅଭିଭାଷଣରେ ସବୁ ରାଜନୈତିକ ଦଳର ନେତା ଗୋଟିଏ କଥା କହିଛନ୍ତି, ନିର୍ବାଚନ ପରେ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବଛାଯିବ। ଏବେ ମିଶନ ଗୋଟିଏ, ମୋଦିଙ୍କୁ ହଟାଇବା।

MODI

ଇତିହାସ ଆଇନାରେ ୟୁନାଇଟେଡ୍‌ ଫ୍ରଣ୍ଟ

ମହାରାଲିରେ ବିରୋଧୀ ଦେଶବାସୀଙ୍କୁ ଇସାରା ଇସାରରେ ସୂଚାଇ ଦେଇଛନ୍ତି ଯେ ଦେଶରେ ତୃତୀୟ ସାମ୍ମୁଖ୍ୟ ବା ୟୁନାଇଟେଡ୍ ଫ୍ରଣ୍ଟର ଗଠନର ପ୍ରସ୍ତୁତି ଅଭିଯାନ ଜୋରଦାର ହୋଇଛି। କିନ୍ତୁ ଇତିହାସ କହୁଛି, ଦେଶରେ ଆଗରୁ ତୃତୀୟ ସାମ୍ମୁଖ୍ୟ ନିର୍ବାଚନରେ ସଫଳତା ପାଇଛି। ସରକାରରେ ଥିବା ଦଳ ପରାଜିତ ହୋଇଛନ୍ତି। କିନ୍ତୁ ଆଞ୍ଚଳିକ ଦଳ କିମ୍ବା ରାଷ୍ଟ୍ରୀୟ ଦଳର ମହାମେଣ୍ଟ ସରକାର ଅଧିକ ଦିନ ଚାଲି ପାରିନି। ଅତି ବେଶିରେ ଗୋଟିଏ ବର୍ଷ ଚାଲିବା ପରେ ଭାଙ୍ଗି ଯାଇଛି।

୧୯୮୯ ଲୋକସଭା ନିର୍ବାଚନରେ ୧୪୩ ଆସନ ଜିତିଥିବା ଜନତା ଦଳ ବିଜେପି ଓ ଅନ୍ୟ ଆଞ୍ଚଳିକ ଦଳର ସମର୍ଥନରେ ସରକାର ଗଠନ କରିଥିଲା। ଭି.ପି. ସିଂହ ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ସରକାର ଚାଲିଥିଲା ମାତ୍ର ୩୪୩ ଦିନ।
– ଜନତା ଦଳ ଭାଙ୍ଗିଥିଲା ଓ ସମାଜବାଦୀ ଜନତା ଦଳ ନାଁରେ ନୂଆ ପାର୍ଟି ମୁଣ୍ଡ ଟେକିଥିଲା। ପ୍ରଧାନମନ୍ତ୍ରୀ ହୋଇଥିଲେ ଚନ୍ଦ୍ରଶେଖର। କିନ୍ତୁ ସରକାରର ଆୟୁଷ ଥିଲା ମାତ୍ର ୨୨୩ ଦିନ। ୧୯୯୧ରେ ଦ୍ୱିତୀୟ ଥର ଲୋକସଭା ଭୋଟ୍‌ ହୋଇଥିଲା।
– ୧୯୯୬ ଲୋକସଭା ନିର୍ବାଚନରେ ପ୍ରଥମ ଥର ବିଜେପି ୧୬୧ ଆସନ ହାତେଇଥିଲା। ଅନ୍ୟ ଦଳର ସମର୍ଥନରେ ଅଟଳ ବିହାରୀ ବାଜପେୟୀ ପ୍ରଥମ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କ ସରକାର ମାଚ୍ର ୧୩ ଦିନ ଶାସନ କରିପାରିଥିଲା ଦେଶରେ।
– ବିଜେପି ସରକାର ଭାଙ୍ଗିବା ପରେ ଜନତା ଦଳ ନେତୃତ୍ୱରେ ୟୁନାଇଟେଡ୍ ଫ୍ରଣ୍ଟ ସରକାର ଶପଥ ନେଇଥିଲା। ପ୍ରଧାନମନ୍ତ୍ରୀ ହୋଇଥିଲା ଏଚ୍. ଡି. ଦେବେଗୌଡା। ସେ ମାତ୍ର ୩୨୪ ଦିନ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ।
– କଂଗ୍ରେସ ଦେବେଗୌଡା ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିଲା। ନିର୍ବାଚନ ଟାଳିବା ପାଇଁ କଂଗ୍ରେସ ଈନ୍ଦ୍ରକୁମାର ଗୁଜୁରାଲଙ୍କ ନେତୃତ୍ୱରେ ମହାମେଣ୍ଟକୁ ଦେଇଥିଲା ବାହ୍ୟ ସମର୍ଥନ। କିନ୍ତୁ ତୃତୀୟ ସାମୁଖ୍ୟରେ ଗୁଜୁରାଲ ସରକାରର ଅବଧି ଥିଲା ମାତ୍ର ୩୩୨ ଦିନ। ପାଖାପାଖି ୨ ବର୍ଷରେ ଦୁଇ ଜଣ ପ୍ରଧାନମନ୍ତ୍ରୀ ବଦଳିଥିବା ବେଳେ ଭାଙ୍ଗି ଯାଇଥିଲା ସରକାର।
– ୧୯୯୮ ଲୋକସଭା ନିର୍ବାଚନରେ ଭୋଟର୍‌ ପୁଣି ଥରେ କୌଣସି ଦଳକୁ ବହୁମତ ଦେଇ ନଥିଲେ। ୧୮୨ ଆସନରେ ବିଜୟୀ ହୋଇଥିବା ବିଜେପି ଛୋଟ ଦଳଙ୍କୁ ଏକାଠି କରି ସରକାର ଗଠନ କରିଥିଲା। କିନ୍ତୁ ବେଶି ଦିନ ପାଇଁ ନୁହେଁ। ଅଟଳ ବିହାରୀ ବାଜପେୟୀ ଦ୍ୱିତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ମାତ୍ର ୧୩ ମାସ ସରକାର ଚଳାଇବା ପରେ ବାଜପେୟୀ ସରକାର ବିରୋଧରେ ଆସିଥିଲା ଅନାସ୍ଥା ପ୍ରସ୍ତାବ। ଏଆଇଏଡିଏମକେର ଗୋଟିଏ ଭୋଟ୍‌ ଯୋଗୁ ବିଜେପି ସରକାର ଭାଙ୍ଗିଗଲା। ଦେଶ ଦେଖିଥିଲା ଆଉ ଗୋଟିଏ ନିର୍ବାଚନ।

ୟେ ଦୋସ୍ତି କବ୍ ତକ୍ ?

ଇତିହାସ ଆଇନାରେ ବିରୋଧୀ ଏକତା ନାଁରେ ତୃତୀୟ ସାମ୍ମୁଖ୍ୟ ଗଠନ କରିଛନ୍ତି। କିନ୍ତୁ ଏହି ସରକାର କେବେ କାର୍ଯ୍ୟକାଳ ପୂରା କରି ନାହିଁ। ବର୍ତ୍ତମାନ ପୁଣି ଥରେ ମୋଦି ସରକାର ବିରୋଧରେ ଫେଡେରାଲ୍ ଫ୍ରଣ୍ଟ ପାଇଁ ପ୍ରସ୍ତୁତି ଚାଲିଛି। ମମତା ବାନାର୍ଜୀ କୋଲକାତା ରାଲିରେ ଦାବି ଉଠାଇଛନ୍ତି, ବିରୋଧୀଙ୍କ ମହାମେଣ୍ଟ ସରକାର ମୋଦି ସରକାରଠାରୁ ଭଲ ରହିବ।

NAIDU

ପ୍ରଥମ ଥର ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦେଶର ସବୁ କୋଣର ବିରୋଧୀ ଦଳ ନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି ଠିଆ କରାଇ ପାରିଛନ୍ତି ମମତା ବାନାର୍ଜୀ। ସେମାନଙ୍କର ଏକଜୁଟ ଫଣ୍ଡାରୁ ଏକଥା ବୁଝା ପଡୁଛି ଯେ ୨୦୧୯ ଲୋକସଭା ନିର୍ବାଚନ ଆଉ ଏକ ତରଫା ହେବ ନାହିଁ। କିନ୍ତୁ ଇତିହାସ ପୃଷ୍ଠା ଓଲଟାଇଲେ କଥା ଓ କାମ ଭିତରେ ଆକାଶ ପାତାଳ ଫରକ ରହିଛି। କାରଣ, ସବୁବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଟଣାଓଟରା ଭିତରେ ମହାମେଣ୍ଟର ସରକାର ଦିନ କିମ୍ବା ମାସ କେଇଟାରେ କବର ନିଏ। କିନ୍ତୁ ପଶ୍ଚିମବଙ୍ଗରେ ଦିଦିଙ୍କ ମହାମେଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଏନଡିଏକୁ ଚିନ୍ତା କରିବାକୁ ବାଧ୍ୟ କରିବ ନିଶ୍ଚିତ।

ମୋଦିଙ୍କ ଭିଜନ୍ ୨୦୧୯

ବିରୋଧୀ ଏକଜୁଟ ହେଉଥିବା ବେଳେ ରଣନୀତି ସହ ବି ଆଗକୁ ଆଗଉଛି ବିଜେପି। ୟୁପିଏ ୧୦ ବର୍ଷ ବନାମ ଏନଡିଏ ୫ ବର୍ଷ ସରକାରର ସଫଳତାର ଗାଥ କହୁଛନ୍ତି ବିଜେପି ହେଭିଓ୍ୱେଟ। ସୋସିଆଲ ମିଡିଆରେ ଏସମ୍ପର୍କିତ ତଥ୍ୟକୁ ସେୟାର କରୁଛନ୍ତି ସମସ୍ତେ। ବିଶେଷ କରି ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ପରାଜୟର ମୁହଁ ଦେଖିବା ପରେ ଊଣେଇଶି ପାଇଁ ସ୍ୱତନ୍ତ୍ର ରଣନୀତି ଆପଣେଇଛି। ଫୋକସରେ ବିଶେଷ କରି ରହିଛନ୍ତି ଚାଷୀ । ସେହିପରି ୫ ବର୍ଷ ଭିତରେ ଜନକଲ୍ୟାଣକାରୀ ଯୋଜନାକୁ ବି ବିଜୟ ମନ୍ତ୍ର କରିଛି ଦଳ।

MODI-AMIT

ମୁଦ୍ରା ଓ ଉଜ୍ଜ୍ୱଳା

ନନ୍‌ ବ୍ୟାଙ୍କିଂ ଫାଇନାନସିଆଲ୍ କମ୍ପାନୀ ଓ ଏମଏସଏମଇ ସେକ୍ଟରକୁ ଆର୍ଥିକ ପ୍ରୋତ୍ସାହନ ଦେବାକୁ ଆରମ୍ଭ କରିଥିଲେ ମୁଦ୍ରା ଯୋଜନା। ବିନା କୌଣସି ସିକ୍ୟୁରିଟିରେ ସରକାର ଦେଉଛନ୍ତି ଋଣ। ୨୦୧୫, ଏପ୍ରିଲ ୮ ତାରିଖରେ ଆରମ୍ଭ ହୋଇଥିବା ମୁଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ଦିଆଗଲାଣି ୫.୭୧ କୋଟି ଟଙ୍କାର ଋଣ। ୧୨ କୋଟି ୨୭ ଲକ୍ଷ ଟଙ୍କାର ଯୋଜନାର ସୁଫଳ ଉଠାଇଛନ୍ତି। ସେହିପରି ଉଜ୍ଜ୍ୱଳା ଯୋଜନାରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ୫ କୋଟି ପରିବାରକୁ ଏଲପିଜି ସଂଯୋଗ ଦେଇଛନ୍ତି କେନ୍ଦ୍ର ସରକାର। ୨୮ ମାସ ଭିତରେ ସରକାର ଟାର୍ଗେଟ୍ ପୂରଣ କରିଥିଲେ। ଏବେ ୮ କୋଟି ଲୋକଙ୍କ ପାଖରେ ଉଜ୍ଜ୍ୱଳା ଯୋଜନାରେ ପହଞ୍ଚିଲାଣି ଏଲପିଜି।

ଆବାସ ଓ ଶୌଚାଳୟ

ଗ୍ରାମୀଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରତି ପରିବାରକୁ ୨୦୨୨ ସୁଦ୍ଧା ଘର ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ୨୦୧୬, ନଭେମ୍ବରରେ ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୦୧୯ ମାର୍ଚ୍ଚ ଭିତରେ ୧ କୋଟି ପକ୍କା ଘର ନିର୍ମାଣ ପାଇଁ ଯୋଜନା ରହିଛି। ୨୦୧୭-୧୮ ଆର୍ଥିକ ବର୍ଷ ମଧ୍ୟରେ ଗ୍ରାମୀଣ କ୍ଷେତ୍ରରେ ୧ କୋଟି ୭ ଲକ୍ଷ ପକ୍କା ଘର ନିର୍ମାଣ ସରିଛି। ସେହିପରି ୨୦୧୪ ଅକ୍ଟୋବର ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିଲେ ସ୍ୱଚ୍ଛ ଭାରତ ମିଶନ। ଏହି ଯୋଜନାରେ ଗ୍ରାମୀଣ କ୍ଷେତ୍ରରେ ପାଇଖାନା ନିର୍ମାଣ ପାଇଁ କେନ୍ଦ୍ର ପ୍ରତି ପରିବାରକୁ ଦେଉଛି ୧୨ ହଜାର ଟଙ୍କାର ଆର୍ଥିକ ସହାୟତା। ଏଥିରେ ରାଜ୍ୟର ଭାଗିଦାରୀ ବି ରହିଛି। ଏହି ଯୋଜନାରେ ଗ୍ରାମାଞ୍ଚଳରେ ୨୦୧୮ ଅକ୍ଟୋବର ସୁଦ୍ଧା ୮୮.୯ ପ୍ରତିଶତ ପାଇଖାନା ନିର୍ମାଣ ସରିଛି। ଯୋଜନା ଆରମ୍ଭ ପରଠୁ ଏଯାଏଁ ୭.୯୪ କୋଟି ପାଇଖାନା ନିର୍ମାଣ ହୋଇଛି।

ଜନଧନ

ବ୍ୟାଙ୍କିଂ କ୍ଷେତ୍ର ସହ ଲୋକଙ୍କୁ ଯୋଡିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଜନଧନ ଯୋଜନା। ଗରିବ ଲୋକଙ୍କୁ ସେଭିଂ ବ୍ୟାଙ୍କ ଆକାଉଣ୍ଟ ସହ ଋଣ, ଟଙ୍କା ଟ୍ରାନ୍ସଫର, ବୀମା ଆଦି ସୁବିଧା ଦିଆଯାଉଛି। ଦେଶରେ ୩୨୪୧ କୋଟି ଜନଧନ ଆକାଉଣ୍ଟ ଖୋଲାଯାଇଛି। ମୋଟ୍ ୮୧ ହଜାର ୨ ଶହ କୋଟି ଟଙ୍କା ଜମା ରହିଛି। ଜନଧନ ଯୋଜନାରେ ୫୩ ପ୍ରତିଶତ ମହିଳାଙ୍କ ବ୍ୟାଙ୍କ ଖାତା ଖୋଲା ଯାଇଥିବା ବେଳେ ଗ୍ରାମାଞ୍ଚଳରେ ମୋଟ୍ ୫୯ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ଟଙ୍କା ନେଣଦେଣ ପାଇଁ ୨୪.୪ କୋଟି ରୁପେ କାର୍ଡ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର।
୫ ବର୍ଷିଆ ଚ୍ୟାଲେଞ୍ଜରେ ନିଜ ସରକାରର ଅନେକ ସଫଳତା କଥା ବଖାଣୁଛନ୍ତି କେନ୍ଦ୍ର ସରକାର। ରାସ୍ତାଘାଟଠୁ ଆରମ୍ଭ କରି ଗ୍ରାମୀଣ ସ୍ୱଚ୍ଛତା, କମନ୍ ସର୍ଭିସ ସେଣ୍ଟର (ସିଏସଆର୍), ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି, ବହୁଦିନରୁ ପଡ଼ି ରହିଥିବା ବ୍ରିଜ୍ ନିର୍ମାଣ, କୁମ୍ଭମେଳାର ଆୟୋଜନରେ ନିଜର ଦକ୍ଷତା ଓ ଭୂମିକାକୁ ପ୍ରତିପାଦିତ କରୁଛନ୍ତି ସରକାର। ଲୋକଭିମୁଖୀ ଯୋଜନାର ସଫଳତାକୁ ପାଥେୟ କରି ୨୦୧୯ ଟେଷ୍ଟ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରୁଛି ବିଜେପି।
ଏବେ ଦେଖିବାର କଥା ବିରୋଧୀଙ୍କ ମହାମେଣ୍ଟ ବନାମ ଏନ୍‌ଡିଏ ଲଢ଼େଇରେ ଜିତୁଛି କିଏ ?

ଅଜିତ କୁମାର ଦେହୁରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.