ବାସହରା ହୋଇପାରନ୍ତି ଆଦିବାସୀ, ଜଙ୍ଗଲରୁ ହଟାଇବାକୁ ଓଡ଼ିଶା ସମେତ ୨୦ଟି ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ଚିନ୍ତାରେ ଆଦିବାସୀ ଓ ପାରମ୍ପରିକ ଭାବେ ଜଙ୍ଗଲରେ ରହୁଥିବା ଅଧିବାସୀ । ଫରେଷ୍ଟ ରାଇଟ୍‌ ଆକ୍ଟରରେ ଯେଉଁମାନଙ୍କୁ ଜଙ୍ଗଲ ଜମି ଅଧିକାର ମିଳିନି, ସେମାନେ ବାସହରା ହେବା ଆଶଙ୍କା । ଜଙ୍ଗଲରୁ ସେମାନଙ୍କୁ ହଟାଇବାକୁ ଓଡ଼ିଶା ସମେତ ୨୦ଟି ରାଜ୍ୟକୁ ମିଳିଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଦେଶର ପ୍ରାୟ ୧୧ ଲକ୍ଷ ଆଦିବାସୀ ଓ ପାରମ୍ପରିକ ଭାବେ ଜଙ୍ଗଲରେ ରହୁଥିବା ପରିବାର ପ୍ରଭାବିତ ହେବେ। ସୁପ୍ରିମକୋର୍ଟରେ ଓଡ଼ିଶା ଦାଖଲ କରିଥିବା ସତ୍ୟପାଠ ମୁତାବକ, ରାଜ୍ୟରେ ୫ ଲକ୍ଷ ୭୩ ହଜାର ୮୬୭ ଆଦିବାସୀ ଜଙ୍ଗଲ ଅଧିକାର ପାଇଁ ଆବେଦନ କରିଥିଲେ। ସେଥିରୁ ୧ ଲକ୍ଷ ୨୨ ହଜାର ୨୫୦ ଆବେଦନ ଖାରଜ ହୋଇଥିଲା।

ସେହିପରି ୩୧ ହଜାର ୬୮୭ ପାରମ୍ପରିକ ଭାବେ ଜଙ୍ଗଲରେ ରହୁଥିବା ଅଧିବାସୀ ଜଙ୍ଗଲ ଅଧିକାର ଆଇନରେ ଆବଦେନ କରିଥିଲେ। ସେଥିରୁ ୨୬ ହଜାର ୬୨୦ ଜଣଙ୍କ ଆବେଦନ ଖାରଜ ହୋଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଲକ୍ଷାଧିକ ଏବେ ଜଙ୍ଗଲ ଅଧିକାରରୁ ବଂଚିତ ହେବା ଆଶଙ୍କା ଦେଖା ଦେଇଛି। ସେପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଦିବାସୀଙ୍କ ବିକାଶ ପାଇଁ ସରକାର କାମ କରୁଛନ୍ତି। ବର୍ତ୍ତମାନ ଆବଶ୍ୟକ ପଡିଲେ ପୁନଃ ବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ପଡିବ।

କେବଳ ଓଡ଼ିଶା ନୁହଁ ଅନେକ ରାଜ୍ୟର ଆଦିବାସୀ ଏବେ ପାରମ୍ପରିକ ବାସସ୍ଥାନ ହରାଇବା ଆଶଙ୍କା ଉପୁଜୁଛି। ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର ପ୍ରସଙ୍ଗରେ, ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିବାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଅନେକ ସ୍ଥାନରେ ଜଙ୍ଗଲ ଅଧିକାରୀ ପ୍ରସଙ୍ଗର ଗୁରୁତ୍ୱ ନ ବୁଝି ଜଙ୍ଗଲ ଜମି ଅଧିକାର ଆବେଦନକୁ ଖାରଜ କରାଯାଇଛି। ସେମାନଙ୍କ ଆବେଦନର ପୁନଃ ବିଚାର ପାଇଁ ସୁଯୋଗ ମିଳି ନାହିଁ। ତେଣୁ କଂଗ୍ରେସ ଏହାର ପୁନଃ ବିଚାର ଚାହୁଁଛି। ଫରେଷ୍ଟ ରାଇଟସ ଆକ୍ଟ, FRA ୨୦୦୬ରେ ୟୁପିଏ ଅମଳରେ ଲାଗୁ ହୋଇଥିଲା। ଉଦ୍ଦେଶ୍ୟ ଥିଲା ପିଢ଼ିପିଢ଼ି ଧରି ଜଙ୍ଗଲରେ ରହୁଥିବା ଆଦିବାସୀ ଓ ପାରମ୍ପରିକ ଅଧିବାସୀଙ୍କୁ ଜଙ୍ଗଲ ଜମିର ଅଧିକାର ଦେବା। ଏବେ କିନ୍ତୁ ଲକ୍ଷାଧିକ ବାସହରା ହେବା ଆଶଙ୍କା। ନିର୍ବାଚନ ସମୟରେ, ସୁପ୍ରିମକୋର୍ଟଙ୍କ ଏପରି ନିର୍ଦ୍ଦେଶ ଅନେକ ରାଜନୈତିକ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ଲାଗି ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.