ତିନି ମାସର କ୍ୟାରିୟର, ୯ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିବା ଏଇ ଖେଳାଳି ଏବେ ବିଶ୍ୱ କପ୍ ଦଳରେ, ଜାଣନ୍ତୁ କିଏ
ମାତ୍ର ତିନି ମାସର ଦିନିକିଆ ଆନ୍ତର୍ଜାତିକ କ୍ୟାରିୟରରେ ୯ଟି ମ୍ୟାଚ୍ ଖେଳିଛନ୍ତି । ସେଥିରୁ ୪ଟିରେ ବ୍ୟାଟିଂ କରିବାର ସୁଯୋଗ ପାଇ ନାହାନ୍ତି । ଏହାସତ୍ତ୍ୱେ ଅନ୍ୟ ଅଭିଜ୍ଞ ଖେଳାଳିମାନଙ୍କୁ ପଛରେ ପକାଇ ବିଶ୍ୱ କପ୍ ଦଳରେ ସ୍ଥାନ ପାଇଛନ୍ତି ବିଜୟ ଶଙ୍କର । ତାଙ୍କର ଆଭିମୁଖ୍ୟ ଏବଂ ଅଲ୍ରାଉଣ୍ଡ ପ୍ରଦର୍ଶନ ଉଭୟ ଚୟନକର୍ତ୍ତା, ଅଧିନାୟକ ଏବଂ କୋଚ୍ଙ୍କୁ ପ୍ରଭାବିତ କରିଛି । ବିଶେଷ କରି ଦଳରେ ଚାରି ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ ତାକୁ ନେଇ ଖେଳାଳି ଖୋଜା ଚାଲିଥିଲା । ଶେଷରେ ବିଜୟ ହିଁ ଆଖିରେ ପଡ଼ିଲେ । ତେଣୁ ଭାରତୀୟ ଦଳରେ ତାଙ୍କୁ ଜାଗା ମିଳି ଯାଇଛି । ଯାହା ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିବେ ।
ବିଜୟ ଶଙ୍କର ଚଳିତ ବର୍ଷ ଜାନୁଆରୀ ୧୮ ତାରିଖରେ ତାଙ୍କ ଦିନିକିଆ ଆନ୍ତର୍ଜାତିକ କ୍ୟାରିୟର ଆରମ୍ଭ କରିଥିଲେ । ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ବେଳେ ମେଲବୋର୍ଣ୍ଣରେ ତାଙ୍କୁ ଖେଳିବାର ସୁଯୋଗ ମିଳିଥିଲା । ହେଲେ ବ୍ୟାଟିଂ କରିବାର ସୁଯୋଗ ପାଇଲେ ନାହିଁ । ଗତ ଚାରି ମାସ ଭିତରେ ତାଙ୍କୁ ୯ଟି ମ୍ୟାଚ୍ରେ ଚୂଡ଼ାନ୍ତ ଦଳରେ ସାମିଲ କରାଯାଇଛି । ଏହା ଭିତରୁ ୪ଟି ମ୍ୟାଚ୍ରେ ତାଙ୍କୁ ବ୍ୟାଟିଂ କରିବାର ମଉକା ମିଳି ନାହିଁ । ତେବେ ଯେଉଁ ୫ଟି ମ୍ୟାଚ୍ ସେ ଖେଳିଛନ୍ତି ସେଥିରେ ଯଥାକ୍ରମେ ୪୫, ୪୬, ୩୨, ୨୬ ଓ ୧୬ ରନ୍ କରିଥିଲେ । ତାମିଲନାଡୁର ଏହି ଅଲରାଉଣ୍ଡର ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ମୋଟ୍ ୨୯୯୯ ରନ୍ କରିବା ସହ ୩୨ଟି ଓ୍ଵିକେଟ୍ ଦଖଲ କରିଛନ୍ତି ।
ଏବେ ଦେଖିବାର କଥା ବିଶ୍ୱ କପ୍ର ଚୂଡ଼ାନ୍ତ ଦଳରେ ତାଙ୍କୁ ସୁଯୋଗ ମିଳୁଛି ନା ନାହିଁ ଓ ଯଦି ମିଳୁଛି ସେ କି କାରନାମା କରି ଦେଖାଉଛନ୍ତି ।