କନ୍ୟା ସନ୍ତାନଙ୍କୁ ନିର୍ଯାତନା ବିରୋଧରେ ସଚେତନତା ଅଭିଯାନ ‘କନ୍ୟାକିରଣ’ର ୩ୟ ସଂସ୍କରଣ କିସ୍‌ରେ ଉଦଘାଟିତ

ଭୁବନେଶ୍ବର : କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ସୋସିଆଲ ସାଇନସେସ୍‌ (କିସ୍‌ ) ପକ୍ଷରୁ ମହିଳା ଓ କନ୍ୟା ସନ୍ତାନଙ୍କୁ ନିର୍ଯାତନା ବିରୋଧରେ ସଚେତନତା ଅଭିଯାନ କନ୍ୟା କିରଣର ୩ୟ ସଂସ୍କରଣ ରବିବାର ଉଦଘାଟିତ ହୋଇଯାଇଛି । ଜୁନ୍‌ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଚାଲୁ ରହିବ । କନ୍ୟା କିରଣକୁ ବିଶ୍ୱବ୍ୟାପକ କରିବା ପାଇଁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପାଳନ କରାଯିବ ବୋଲି ଉଦଘାଟନୀ କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯୋଗ ଦେଇ ଘୋଷଣା କରିଥିଲେ । ଏହି ଅବସରରେ ସମ୍ମାନୀୟ ଅତିଥି ଭାବେ ଓଡ଼ିଆ ଅଲିମ୍ପିଆନ ଅନୁରାଧା ବିଶ୍ୱାଳ କହିଲେ, ନାରୀ ଅଗ୍ରଗତି ନିମନ୍ତେ କନ୍ୟା କିରଣ ନିଶ୍ଚିନ୍ତ ଭାବେ ଏକ ସୁନ୍ଦର ପରିକଳ୍ପନା । ସାମାଜିକ ବିକାଶ କ୍ଷେତ୍ରରେ କିଟ ଓ କିସ୍‌ ସର୍ବଦା କିଛି ନା କିଛି ନୂଆ ଚିନ୍ତାଧାରା ସୃଷ୍ଟି କରିଥାଏ ।

ସମାଜରେ ନାରୀର ଗୁରୁତ୍ୱ ଲୋକମାନେ ବୁଝି ପାରୁଥିଲେ ଆହୁରି ସଚେତନତାର ଆବଶ୍ୟକତା ରହିଛି । ଏଭଳି ଏକ ପ୍ରୟାସ ଆରମ୍ଭ କରିଥିବାରୁ ସେ ଡକ୍ଟର ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । କିଟ୍‌ ଓ କିସ୍‌ ସଂପାଦକ ଆର ଏନ ଦାଶ କହିଲେ, ନାରୀକୁ ଅବାହମାନ କାଳରୁ ସମାଜରେ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି । ମାତ୍ର ଆଧୁନିକ ସମାଜ ନାରୀର ମର୍ଯ୍ୟଦାକୁ ଭୁଲିଯିବାର ଯେଉଁ ମାନସିକତାରେ ଆକ୍ରାନ୍ତ ହୋଇଛି ତାକୁ ଦୂର କରିବାକୁ ଡକ୍ଟର ସାମନ୍ତଙ୍କ ପରିକଳ୍ପନାରେ କିଟ୍‌ ଓ କିସ୍‌ ପକ୍ଷରୁ ଦୀର୍ଘ ୩ ବର୍ଷ ଧରି କନ୍ୟା କିରଣ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ଦ୍ୱାରା ସମାଜରେ ନାରୀ ପ୍ରତି ଥିବା ମାନସିକତାରେ ପରିବର୍ତ୍ତନ ହେଉଥିବା ପରିଲକ୍ଷିତ ହେଉଛି ।

କିଟ୍‌ ବିଶ୍ୱବିଦ୍ୟାଳୟର କୁଳସଚିବ ଡ.ସସ୍ମିତାରାଣୀ ସାମନ୍ତ କହିଲେ, ବିଶ୍ୱ ପ୍ରକୃତି, ମାନବ ଓ ପ୍ରଯୁକ୍ତି ବିଦ୍ୟା ଭଳି ୩ଟି ମୁଖ୍ୟ ବ୍ୟବସ୍ଥା ଦେଇ ସନ୍ତୁଳିତ ଭାବେ ଗତିକରୁଛି । ଏଥି ମଧ୍ୟରୁ କୌଣସିରେ ତାରତମ୍ୟ ଦେଖାଦେଲେ ସମଗ୍ର ଜବତ ଅସନ୍ତୁଳିତ ହୋଇଯାଏ । ସେଥିପାଇଁ ପ୍ରତ୍ୟେକଟି ସହ ଉପଯୁକ୍ତ ସମନ୍ଵୟ ରକ୍ଷା କରି ବିଶ୍ୱକୁ ସନ୍ତୁଳିତ ରଖିବାକୁ ହେବ । ଏ ଦିଗରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରେରଣା, ପରିକଳ୍ପନା ଓ ଉପଦେଶ ଯୋଗୁଁ କନ୍ୟା ସନ୍ତାନଙ୍କ ସୁରକ୍ଷା ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିବ ବୋଲି ଡ. ସସ୍ମିତାରାଣୀ ସାମନ୍ତ କହିଥିଲେ । ଚଳିତବର୍ଷ କନ୍ୟା କିରଣ ବିଷୟବସ୍ତୁ ଉପରେ କିଟ୍‌ ଓ କିସର ୩ ହଜାର ମହିଳା କର୍ମଚାରୀ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.