ଯାତ୍ରୀଙ୍କ ପକେଟ୍ କୁ ମହଙ୍ଗା ମାଡ, ଇ-ଟିକେଟ୍ ବୁକିଂରେ ଦେବାକୁ ପଡ଼ିବ ଅଧିକ ଟଙ୍କା
ଭାରତୀୟ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ଅନେକ ସୁବିଧା ଯୋଗାଇ ଦେବା ପାଇଁ ଘୋଷଣା କରିସାରିଛି। କିନ୍ତୁ ବର୍ତ୍ତମାନ ରେଳଯାତ୍ରୀଙ୍କ ପାଇଁ ଏକ ଖରାପ ସୂଚନା ଆସିଛି। ବର୍ତ୍ତମାନ ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିବା ପାଇଁ ଅନଲାଇନ ରିଜର୍ଭେସନ କଲେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ତେବେ ଜାଣନ୍ତୁ କଣ ରହିଛି ନିୟମ। ରିପୋର୍ଟ ଅନୁଯାୟୀ ରେଳ ମନ୍ତ୍ରାଳୟ ଦ୍ବିତୀୟ ଥର ଯଙ୍କା ବୃଦ୍ଧି କରିବା ପାଇଁ ନିଷ୍ପତି ନେଇଛନ୍ତି। ଯେଉଁଥିରେ ମାର୍କେଟିଂ ଏବଂ ବିକ୍ରୀ ସେବା ସାମିଲ ରହିବ। ସୂଚନା ଅନୁଯାୟୀ ଡିଜିଟାଲ ଦେଣ-ନେଣକୁ ବଢାଇବା ପାଇଁ ପ୍ରଥମେ ସରକାରଙ୍କ ପକ୍ଷରୁ ଇ-ଟିକେଟ ଉପରେ ସର୍ଭିସ୍ ଚାର୍ଜ ହଟାଯାଇଥିଲା। କିନ୍ତୁ ପୁଣି ଥରେ ଏହା ନିୟମ ଲାଗୁ କରାଯିବ। ସ୍ଲିପର କ୍ଲାସ ଟିକେଟରେ ପ୍ରଥମେ ୨୦ ଟଙ୍କା ଏବଂ ଏସି ବଗୀରେ ସିଟ୍ ପାଇଁ ୪୦ ଟଙ୍କା ଦେବାକୁ ପଡୁଥିଲା। ପୂର୍ବରୁ ଜୁନ ୨୦୧୭ ପର୍ଯ୍ୟନ୍ତ ସର୍ଭିସ୍ ଚାର୍ଜ ନଦେବା ବ୍ୟବସ୍ଥା ଜାରି କରାଯାଇଥିଲା। ଶେଷରେ ଏହାର ସମୟସୀମା ବଢାଯାଇଥିଲା।
ଏହାସହ ପଢନ୍ତୁ: କୈଳାଶ ମାନସରୋବର ଯାତ୍ରା ପାଇଁ ୩୦ ଶ୍ରଦ୍ଧାଳୁଙ୍କୁ ଚୀନ ଦେଲା ଭିସା, ପୂର୍ବରୁ ଲଗାଇଥିଲା ରୋକ୍
ସର୍ଭିସ୍ ଚାର୍ଜରୁ ହେଉଥିବା ଆୟ ରେଳ ବିଭାଗର ସମୁଦାୟ ଆୟ ଉପରେ ବଡ ଯୋଗଦାନ ରହିଥିଲା। ଏହିକାରଣରୁ ଭାରତୀୟ ରେଲୱେ କ୍ୟାଟେରିଙ୍ଗ ଆଣ୍ଡ ଟୁରିଜ୍ମ କର୍ପୋରେସନ (IRCTC) ର ଆୟ ଉପରେ ଏହାର ପ୍ରଭାବ ପଡ଼ିଛି। ଆଇଆରସିଟିସି କୁ ଅର୍ଥମନ୍ତ୍ରାଳୟ ପକ୍ଷରୁ ୮୮ କୋଟି ଟଙ୍କା ପରିଶୋଧ କରାଯାଇଥିଲା। କିନ୍ତୁ ଏହି ଟଙ୍କା ପର୍ଯ୍ୟାପ୍ତ ହୋଇନଥିଲା। ଏହି କାରଣରୁ ପୁଣି ଥରେ ସର୍ଭିସ ଚାର୍ଜ ଲାଗୁ କରିବା ପାଇଁ ରେଳ ବୋର୍ଡର ଜଏଣ୍ଟ ଡାଇରେକ୍ଟରଙ୍କୁ ଲିଖିତ ଅଭିଯୋଗ କରାଯାଇଛି। କିନ୍ତୁ ବର୍ତ୍ତମାନ ଏହି ବିଷୟରେ ଆଇଆରସିଟିସିର ନିର୍ଦ୍ଦେଶକ ଆଲୋଚନା କରିବା ପରେ ସର୍ଭିସ ଚାର୍ଜ ଲାଗୁ କରିବା ପାଇଁ ସ୍ଥିର କରାଯିବ। ପୂର୍ବରୁ ଇ-ଟିକେଟ୍ ରେ ଯେପରି ଟଙ୍କା ଦିଆଯାଉଥିଲା ବର୍ତ୍ତମାନ ମଧ୍ୟ ସେପରି ନିୟମ ଲାଗୁ ହେବ ବୋଲି ଲୋକମାନଙ୍କ ଆଶା ରହିଛି।