ଦୁନିଆରେ ଏସବୁ ସ୍ଥାନରେ ନାହିଁ ରେଲୱେ ଟ୍ରାକ

ଆଜି ଯାଏ ଦୁନିଆର ଏସବୁ ସ୍ଥାନରେ ତିଆରି ହୋଇନି ରେଲୱେ ଟ୍ରାକ, ଦୂର ସ୍ଥାନ କୁ ଲୋକେ ଏପରି କରନ୍ତି ଯାତ୍ରା

ଆଜିର ଆଧୁନିକ ବିଜ୍ଞାନ ଯୁଗରେ ବିଶ୍ୱର ଏପରି ଅନେକ ଦେଶ ଅଛି ଯେଉଁଠାରେ ବର୍ତ୍ତମାନ ସମୟରେ କୌଣସି ରେଳ ସୁବିଧା ଉପଲବ୍ଧ ନାହିଁ। ହେଲେ ସେହି ଦେଶର ନାଗରିକ କିପରି ଦୀର୍ଘ ଦୂରତା ଯାତ୍ରା କରନ୍ତି ସେ ସମ୍ପର୍କରେ ଆମେ ଆପଣଙ୍କୁ ଆଜି କହିବୁ ।

-ଦୁନିଆରେ ଟ୍ରେନ୍ ନେଟୱାର୍କ ବିନା ଅନେକ ଦେଶ ରହିଛି। ଏହି ଦେଶ ମଧ୍ୟରୁ ଗୋଟିଏ ହେଉଛି ଦକ୍ଷିଣ-ପୂର୍ବ ଏସୀୟାରେ ଅବସ୍ଥିତ ପୂର୍ବ ତିମୋର। ଦୁନିଆର ସବୁଠାରୁ ଛୋଟ ଦେଶ ମଧ୍ୟରୁ ଅନ୍ୟତମ ହେଉଛି ପୂର୍ବ ତିମୋର। ହେଲେ ଏହି ଦେଶରେ ପରିବହନର ଏକମାତ୍ର ମାଧ୍ୟମ ହେଉଛି ସଡ଼କ। ଯାହାର ସ୍ଥିତି ଭଳ ନାହିଁ। ଇଣ୍ଡୋନେସିଆ ଠାରୁ ଅଲଗା ହେବା ପରେ ଏହି ଦେଶ ଆଜି ପର୍ଯ୍ୟନ୍ତ ଦାରିଦ୍ର ତଥା ବେକାରୀ ସମସ୍ୟାରୁ ବାହାରି ପାରି ନାହିଁ।

-ଆରବରେ ଅବସ୍ଥିତ ଏକ ଛୋଟ ଦେଶ ହେଉଛି କୁଏତ। ହେଲେ ତୈଳ ସମ୍ପଦରେ ସମୃଦ୍ଧ କୁଏତ ଭଳି ଦେଶରେ ଆଜି ପର୍ଯ୍ୟନ୍ତ କୌଣସି ରେଳ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇ ପାରିନାହିଁ। କୁଏତ ଅଧିବାସୀ କିମ୍ବା ସେଠାରେ ବସବାସ କରୁଥିବା ଅନ୍ୟ ଦେଶର ନାଗରିକ କେବଳ ସଡ଼କ ପରିବହନ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିଥାନ୍ତି। କୁଏତ ଭଳି ଦେଶରେ ଭାରତ ଭଳି ବିମାନ ପରିବହନ ସେବା ମଧ୍ୟ ଉପଲବ୍ଧ ରହିଛି। ହେଲେ କୌଣସି ରେଲୱେ ନେଟୱାର୍କ ନାହିଁ। ବର୍ତ୍ତମାନ କୁଏତ ରାଜଧାନୀ କୁଏତ ସିଟି ଠାରୁ ଓମାନ ପର୍ଯ୍ୟନ୍ତ ୧୨୦୦ ମାଇଲ ଲମ୍ଫ ଗଲ୍ଫ ରେଳ ନେଟୱାର୍କ କାମ ଆରମ୍ଭ ହୋଇଯାଇଛି।

-ୟୁରୋପୀୟ ଦେଶ ସାଇପ୍ରସ ଠାରେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଟ୍ରେନ୍ ଚାଲୁ ନାହିଁ। ଯଦିଓ ୧୯୦୫ ମସିହାରୁ ୧୯୫୧ ପର୍ଯ୍ୟନ୍ତ ସାଇପ୍ରସ ଠାରେ ରେଳ ନେଟୱାର୍କ ରହିଥିଲା। ଯାହା ୧୯୭୪ ମସିହାରେ ବନ୍ଦ ହୋଇଯାଇଥିଲା। ସେବେଠାରୁ ଟ୍ରେନ୍ ସେବା ଆଜି ପର୍ଯ୍ୟନ୍ତ ଏଠାରେ ଆରମ୍ଭ ହୋଇନାହିଁ।

-ଆଫ୍ରିକା ମହାଦେଶରେ ଅବସ୍ଥିତ ଲିବିୟା ହେଉଛି ଏପରି ଏକ ଦେଶ, ଯେଉଁଠାରେ ଲୋକେ ଟ୍ରେନ୍ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଯଦିଓ ପୂର୍ବରୁ ଏଠାରେ ଏକ ରେଳ ନେଟୱାର୍କ ରହିଥିଲା ଏବଂ ସେଠାରେ ଅନେକ ଟ୍ରେନ୍ ଚଳାଚଳ କରୁଥିଲା। ହେଲେ ଗୃହଯୁଦ୍ଧ ସମୟରେ ଟ୍ରେନ ଟ୍ରାକ ଉପାଡି ଦିଆଯାଇଥିଲା। ଏହା ପରେ ୧୯୬୫ ମସିହା ପର ଠାରୁ ସେଠାରେ କୌଣସି ରେଳ ନେଟୱାର୍କ କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ଯଦିଓ ବର୍ତ୍ତମାନ ସେଠାରେ ଟ୍ରେନ୍ ସେବା ପୁନର୍ବାର ଆରମ୍ଭ କରିବାକୁ ଉଦ୍ୟମ କରାଯାଉଛି।

-ୟୁରୋପୀୟ ମହାଦେଶରେ ଅବସ୍ଥିତ ଆଣ୍ଡୋରା ହେଉଛି ବିଶ୍ୱର ୧୬ ତମ କ୍ଷୁଦ୍ର ଦେଶ। ଭୌଗୋଳିତ ଆୟତନ ଦୃଷ୍ଟିକୋଣରୁ ଆଣ୍ଡୋର ଏତେ କ୍ଷୁଦ୍ର ଯେ ଯାହାକୁ ଗ୍ଲୋବ କିମ୍ବା ମାନଚିତ୍ରରେ ଦେଖିବା ସମ୍ଭବ ହୁଏ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଦେଶରେ ଆଜି ପର୍ଯ୍ୟନ୍ତ କୌଣସି ଟ୍ରେନ୍ ଚାଲିନାହିଁ କିମ୍ବା ରେଳ ଷ୍ଟେସନ୍ ନିର୍ମାଣ ହୋଇ ପାରିନାହିଁ। ଏହି ଦେଶର ନିକଟତମ ରେଳ ଷ୍ଟେସନ ପଡୋଶୀ ଦେଶ ଫ୍ରାନ୍ସ ଠାରେ ଅଛି। ସେଠାରେ ପହଞ୍ଚିବା ପାଇଁ ଲୋକେ ବସ୍ ବ୍ୟବହାର କରିଥାନ୍ତି। ଏହା ପରେ ଟ୍ରେନ ଯୋଗେ ଯାତ୍ରା କରିବାର ସୁବିଧା ପାଇଥାନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଆଣ୍ଡୋରା ନାଗରିକ ଟ୍ରେନ ଯାତ୍ରା କରିବା ପାଇଁ ଫ୍ରାନ୍ସ ରେଳସେବା ବ୍ୟବହାର କରିଥାନ୍ତି।

-ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ଭାରତର ପଡ଼ୋଶୀ ଭୂଟାନ ମଧ୍ୟ ରେଳସେବା ପାଇବାରୁ ବଞ୍ଚିତ ହୋଇଛି। ଭାରତ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ ରହିଥିବା ଦେଶ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପଡୋଶୀ ଭୁଟାନ ଠାରେ ଗୋଟିଏ ହେଲେ ଟ୍ରେନ୍ ଚଳାଚଳ କରୁନାହିଁ। ଏହାର କାରଣ ହେଉଛି ଭୁଟାନ ଭଳି ଦେଶର ଅଧିକାଂଶ ଜମି ପାର୍ବତ୍ୟାଞ୍ଚଳରେ ରହିଛି। ଏବେ ଭୁଟାନ ଭାରତ ସହିତ ରେଳ ନେଟୱାର୍କ ଯୋଡ଼ି ହେବାର ଖବର ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.