ଚିନ୍ତାରେ ଭାରତୀୟ ରେଲୱେ, ଟ୍ରେନରୁ ୫୫ ଲକ୍ଷ ଟଙ୍କାର କମ୍ବଳ, ତକିଆ ଓ ଚାଦର ଲୁଟିନେଲେ ଏସି କୋଚ ଯାତ୍ରୀ

ରେଲୱେକୁ ସମସ୍ୟାରେ ପକାଉଛନ୍ତି ଏସି କୋଚ ଯାତ୍ରୀ, ଜାରି ହେଲା ନୂଆ ଗାଇଡଲାଇନ ! ନମାନିଲେ ଲାଗିବ ଜରିମାନା

ଟ୍ରେନରେ ପ୍ରତିଦିନ ଲକ୍ଷାଧିକ ଲୋକ ଯାତ୍ରା କରନ୍ତି । ଏବଂ ଆପଣ ପ୍ରାୟତଃ ଦେଖିଥିବେ ଯେ ଲୋକମାନେ ଟ୍ରେନରେ ମିଳୁଥିବା ଚାଦର, ଟାୱେଲ ଏବଂ ତକିଆକୁ ଗାୟବ କରିଦିଅନ୍ତି । ରେଲୱେ ପକ୍ଷରୁ ଜାରି ହେଉଥିବା ଚାଦର ଏବଂ ଟାୱେଲ ଏବଂ ତକିଆକୁ ସେମାନେ ନିଜ ଘରକୁ ନେଇଯାନ୍ତି । କିନ୍ତୁ ଏବେ ଠାରୁ ଯଦି କେହି ବି ଯାତ୍ରୀ ଏପରି କରନ୍ତି ତାହେଲେ ତାଙ୍କୁ ରେଲୱେ ପକ୍ଷରୁ ଦଣ୍ଡ ଦିଆଯିବ । ରେଲୱେ ଏହାକୁ ନେଇ ଗାଇଡଲାଇନ ଜାରି କରିଛି । ଏସି କୋଚରେ ରେଲୱେ ଯାତ୍ରୀଙ୍କୁ ଚାଦର ଏବଂ ଟାୱେଲର ସୁବିଧା ଦେଉଛି କିନ୍ତୁ ଯାତ୍ରୀଙ୍କର ଏଭଳି ହରକତରେ ରେଲୱେ ଏକଦମ୍‌ ଚିନ୍ତାରେ ପଡିଯାଇଛି ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଅଭ୍ୟାସ କାରଣରୁ ରେଲୱେକୁ ଚଳିତ ବର୍ଷ ଲକ୍ଷାଧିକ ଟଙ୍କାର ଚୂନ ଲାଗିଛି । ରେଲୱେ ଜଣାଇଛି ଯେ ଚାଦର, କମ୍ବଳ ବ୍ୟତୀତ ଯାତ୍ରୀ ଚାମଚ, କେଟଲୀ ଏବଂ ଟଏଲେଟରେ ଥିବା ସାମଗ୍ରୀକୁ ବି ଚୋରି କରି ନେଉଛନ୍ତି । ଯେଉଁ କାରଣରୁ ରେଲୱେକୁ ଭାରି କ୍ଷତି ଉଠାଇବାକୁ ପଡୁଛି ।

ଛତିଶଗଡର ବିଳାସପୁର ଜୋନର ଟ୍ରେନରେ ଲୋକମାନେ ଜୋରସୋରରେ ରେଲୱେର ଜିନିଷ ଚୋରି କରୁଛନ୍ତି । ବିଳାସପୁର ଏବଂ ଦୁର୍ଗରେ ଚାଲୁଥିବା ଲମ୍ବା ଦୂରତା ଥିବା ଏକ୍ସପ୍ରେସ ଟ୍ରେନରେ କମ୍ବଳ, ଚାଦର, ତକିଆ କଭର, ଫେସ ଟାୱେଲ ଲଗାତର ଚୋରି ହେଉଛି ।

ରେଲୱେ ନିଜ ବୟାନରେ କହିଛି ଯେ ବିଳାସପୁର ଜୋନରେ ଚାଲୁଥିବା ଟ୍ରେନରେ ଗତ ୪ ମାସରେ ଏବେ ପର୍ଯ୍ୟନ୍ତ ୫୫ ଲକ୍ଷ ଟଙ୍କାର ଜିନିଷ ଚୋରି ହୋଇସାରିଲାଣି । ମିଡିଆ ରିପୋର୍ଟ ଅନୁଯାୟୀ ଗତ ଚାରି ମାସରେ ପ୍ରାୟ ୫୫ ଲକ୍ଷ ୯୭ ହଜାର ୪୦୬ ଟଙ୍କାର ଜିନିଷ ଚୋରି ହୋଇଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗତ ଚାରି ମାସରେ ୧୨୮୮୬ ଫେସ ଟାୱେଲ ଚୋରି ହୋଇଛି । ଯାହାର ଦାମ ୫୫୯୩୮୧ ଟଙ୍କା । ସେହିପରି ଏସିରେ ଯାତ୍ରା କରୁଥିବା ଯାତ୍ରୀ ୪ ମାସରେ ୧୮୨୦୮ ଚାଦର ଚୋରି କରିଛନ୍ତି । ଯାହାର ଦାମ୍‌ ପାଖାପାଖି ୨୮୧୬୨୩୧ ଟଙ୍କା । ଏହାବ୍ୟତୀତ ୧୯୭୬୭ ତକିଆ କଭର ଚୋରି ହୋଇଛି । ଯାହାର ଦାମ୍‌ ୧୦୧୪୮୩୭ ଟଙ୍କା । ୨୭୯୬ କମ୍ବଳର ଦାମ୍‌ ୧୧୭୧୯୯୯ ଟଙ୍କା । ୩୧୨ ତକିଆର ଦାମ୍‌ ୩୪୯୫୬ ଟଙ୍କା ।

ରେଲୱେ ସୂଚନା ଦେଇ ଜଣାଇଛି ଯେ ଏହିଭଳି ଜିନିଷ ଚୋରି କରିବା ଆଇନତଃ ଅପରାଧ । ରେଲୱେ ନିଜର ରେଳ ପ୍ରୋପର୍ଟି ଆକ୍ଟ ୧୯୬୬ ଅନୁଯାୟୀ ଏପରି କରୁଥିବା ଯାତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ । ଏଥିରେ ଯାତ୍ରୀଙ୍କ ଉପରେ ଜରିମାନା ଲାଗିବା ସହିତ ଦଣ୍ଡବିଧାନ ବି ମିଳିବ । ଏଥିରେ ଆପଣଙ୍କୁ ଅଧିକ ରୁ ଅଧିକ ୫ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ ଏବଂ ଜରିମାନା ମଧ୍ୟ ରେଲୱେ ପକ୍ଷରୁ ଲାଗିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.