ଅତ୍ୟଧିକ ଚାର୍ଜ ଲଗାଇବା ମାମଲାରେ ଅନ୍ୟ ଟେଲିକମ୍‌ କମ୍ପାନୀଙ୍କୁ ଦୋଷ ଦେଲା ଜିଓ, କହିଲା ଏମିତି…

ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ଜିଓ ସହ ଅନ୍ୟ କମ୍ପାନୀମାନଙ୍କ ବିବାଦ ଥମିବାର ନାଁ ନେଉନି। ଦିନକୁ ଦିନ ଏହି ବିବାଦ ବଢ଼ିବାରେ ଲାଗିଛି। କିଛିଦିନ ତଳେ ଜିଓ ଆଇୟୁସି ଅର୍ଥାତ୍‌ ଇଣ୍ଟରକନେକ୍ଟେଡ୍‌ ୟୁଜେଜ୍‌ ଚାର୍ଜ ନେବାକୁ ଘୋଷଣା କରିଛି। ଜିଓର ଏହି ଘୋଷଣା ପରେ ଏୟାରଟେଲ, ଭୋଡାଫୋନ୍‌ ଏବଂ ଜିଓ ମଧ୍ୟରେ ଟ୍ଵିଟର ଯୁଦ୍ଧ ଆରମ୍ଭ ହୋଇଛି।

ଅନ୍ୟପଟେ ଜିଓ ଏବେ ଏୟାରଟେଲ୍‌, ଭୋଡାଫୋନ୍‌ ଆଇଡିଆ ଏବଂ ବିଏସ୍‌ଏନ୍‌ଏଲ୍‌ ଉପରେ ବଡ଼ ଆରୋପ ଲଗାଇ କହିଛି ଯେ, ସମସ୍ତ କମ୍ପାନୀ ଲ୍ୟାଣ୍ଡଲାଇନ୍‌ ନମ୍ବରକୁ ମୋବାଇଲ୍‌ ନମ୍ବର ଭାବେ ବ୍ୟବହାର କରି ଭୁଲ ଉପାୟରେ ଇଣ୍ଟରକନେକ୍ଟେଡ ରିଭିୟୁ କମ୍‌ କରୁଛନ୍ତି। ତେବେ ଜିଓର ଏହି ଅଭିଯୋଗକୁ ଏୟାରଟେଲ୍‌ ଭିତ୍ତିହୀନ କହିିବା ସହ ଜିଓ ଏଭଳି ବୟାନ ଦେଇ ଗ୍ରାହକଙ୍କ ଧ୍ୟାନ ହଟାଇବାକୁ ଚାହୁଁଛି ବୋଲି କହିଛି।

ଜିଓ ଏ ସମ୍ବନ୍ଧିତ ପତ୍ରରେ ଉଲ୍ଲେଖ କରିଛି ଯେ ଏୟାରଟେଲ, ଭୋଡାଫୋନ୍‌ ଆଇଡିଆ ଏବଂ ବିଏସ୍‌ଏନ୍‌ଏଲ୍‌ ଅସତ୍‌ ଉପାୟରେ କେତେକ ଉଦ୍ୟୋଗର କଷ୍ଟମର କେୟାର ଏବଂ ହେଲ୍ପଲାଇନ୍‌ ନମ୍ବର ଭାବେ ମୋବାଇଲ୍‌ ନମ୍ବର ବାଣ୍ଟିଛି। ମାତ୍ର ସତ କଥା ହେଉଛି ମୋବାଇଲ ନମ୍ବର କେବଳ ଏକ ଭଚୁଆଲ ନମ୍ବର ଭାବେ ବ୍ୟବହାର କରାଯାଇଥାଏ। ଏଭଳିସ୍ଥିତିିରେ କଲ୍‌ର ପ୍ରକୃତି ମୋବାଇଲ୍‌ରୁ ୱେୟାରଲାଇନ୍‌ ଓ ମୋବାଇଲ୍‌ରୁ ମୋବାଇଲ୍‌କୁ ବଦଳିଗଲା ଏବଂ ଏପରିଭାବେ ଏହି କମ୍ପାନୀଗୁଡ଼ିକ ଧୋକା ଦେଇଛନ୍ତି। କେବଳ ଏହି କାରଣରୁ ଜିଓ ଏସବୁ କମ୍ପାନୀକୁ କଲ୍‌ କରିବା ଉପରେ ୬ ପଇସା ପ୍ରତି ମିନିଟ୍‌ ଚାର୍ଜ କରିଛି ବୋଲି କହିଛି ଜିଓ।

ଏହାସହ ପଢ଼ନ୍ତୁ: ‘‘ହାଉସ୍‌ଫୁଲ ୪’’ର ପ୍ରମୋସନ୍‌ କରୁଛି ରେଳ ବିଭାଗ, ଆରମ୍ଭ ହେଲା ‘‘ପ୍ରମୋସନ୍‌ ଅନ୍‌ ହ୍ଵିଲ୍‌’’

ତେବେ ରିଲାଏନ୍ସ ଜିଓ ଟେଲିକମ୍‌ ରେଗୁଲେଟରୀ ଅଫ ଇଣ୍ଡିଆର ଚେୟାରମ୍ୟାନ୍‌ ଆର୍‌ଏସ୍‌ ଶର୍ମାଙ୍କୁ ଏକ ପତ୍ର ମାଧ୍ୟମରେ ଏହି କମ୍ପାନୀଗୁଡ଼ିକ ଉପରେ ଜରିମାନା ଲଗାଇବାକୁ ଦାବି କରିଛି। ଜିଓର କହିବା ଅନୁସାରେ ବିଏସ୍‌ଏନ୍‌ଏଲ୍‌, ଏୟାରଟେଲ୍‌, ଭୋଡାଫୋନ୍‌ ଆଇଡିଆ କାରଣରୁ ତାଙ୍କୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଏଣୁ ଏହାର ଭରଣ ଅନ୍ୟ ଟେଲିକମ୍‌ କମ୍ପାନୀଙ୍କଠାରୁ ମାଗିଛି ଜିଓ। ତେବେ ଜିଓ ସହ ଅନ୍ୟ କମ୍ପାନୀମାନଙ୍କ ମତଭେଦ ଯୋଗୁ ଏବେ ଗ୍ରାହକ କ୍ଷତି ସହୁଥିବା ଜଣାଯାଇଛି।