କେବେ ଆପଣ ବ୍ୟାଙ୍କରେ ଲକର ରଖିଛନ୍ତି କି? ଯଦି ନା… ଜାଣି ରଖନ୍ତୁ SBI, ICICI, PNB ଏବଂ Axis ବ୍ୟାଙ୍କ ଏଥିପାଇଁ କେତେ ନେଉଛନ୍ତି ଚାର୍ଜ

ବ୍ୟାଙ୍କ ଲକର ବିଷୟରେ ସମସ୍ତେ ଜାଣିଥିବେ। ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବିଭିନ୍ନ ସୁବିଧା ମଧ୍ୟରୁ ଏହା ଅନ୍ୟତମ। ଯଦି ଆପଣ ଚାହିଁବେ, ତ ବ୍ୟାଙ୍କରୁ ନିଜ ପାଇଁ ଲକର ଆବଣ୍ଟନ କରେଇ ପାରିବେ। କିନ୍ତୁ ସାଧାରଣତଃ ବ୍ୟାଙ୍କଗୁଡ଼ିକ ଏଥିପାଇଁ ଚାର୍ଜ କରି ଥାଆନ୍ତି। ଲକରର ଚାର୍ଜ ଏହାର ଆକାର ଉପରେ ନିର୍ଭର କରିଥାଏ। ବହୁତ ଲୋକ ସେମାନଙ୍କ ମୂଲ୍ୟବାନ ଜିନିଷଗୁଡ଼ିକୁ ସୁରକ୍ଷିତ ତଥା ସମ୍ଭାଳି ରଖିବା ପାଇଁ ବ୍ୟାଙ୍କ ଲକର ବ୍ୟବହାର କରି ଥାଆନ୍ତି। ଏମିତିରେ ଆଜି ଆମେ ଆପଣଙ୍କୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ), ଆଇସିଆଇସିଆଇ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଏବଂ ଆକ୍ସିସ ବ୍ୟାଙ୍କର ଲକର ଚାର୍ଜ ବିଷୟରେ କହିବୁ। ଆସନ୍ତୁ ଜାଣିବା।

SBI ଲକର ଚାର୍ଜ

ଏସବିଆଇ ୱେବସାଇଟ୍ ମୁତାବକ, ଛୋଟ, ମଧ୍ୟମ, ବଡ଼ ଓ ଅତିରିକ୍ତ ବଡ଼ ଆକାରର ଲକର ପାଇଁ ବ୍ୟାଙ୍କ ମେଟ୍ରୋ ଏବଂ ସହରାଞ୍ଚଳରେ ଯଥାକ୍ରମେ ୨,୦୦୦ ଟଙ୍କା, ୪,୦୦୦ ଟଙ୍କା, ୮,୦୦୦ ଟଙ୍କା ଓ ୧୨,୦୦୦ ଟଙ୍କାର ଶୁଳ୍କ ନେଇଥାଏ। ଯେତେବେଳେ କି, ଅର୍ଦ୍ଧ-ସହରୀ ଏବଂ ଗ୍ରାମାଞ୍ଚଳରେ ଛୋଟ, ମଧ୍ୟମ, ବଡ଼ ଓ ଅତିରିକ୍ତ ବଡ଼ ଆକାରର ଲକର ପାଇଁ ଯଥାକ୍ରମେ ୧,୫୦୦ ଟଙ୍କା, ୩,୦୦୦ ଟଙ୍କା, ୬,୦୦୦ ଟଙ୍କା ଓ ୯,୦୦୦ ଟଙ୍କାର ଶୁଳ୍କ ନିଆଯାଇଥାଏ। ଏଥି ସହିତ ଏସବିଆଇ ବ୍ୟାଙ୍କ ଦ୍ୱାରା ଗୋଟିଏ ଥର ପଞ୍ଜୀକରଣ ଶୁଳ୍କ ନିଆଯାଇଥାଏ ଏବଂ ବାର୍ଷିକ ଭଡ଼ାର ଭରଣା ଅଗ୍ରୀମ ଆକାରରେ କରାଯାଇଥାଏ।

ଆଇସିଆଇସିଆଇ ବ୍ୟାଙ୍କ ଲକର ଚାର୍ଜ

ଆଇସିଆଇସିଆଇ ବ୍ୟାଙ୍କ ଛୋଟ ଆକାରର ଲକର ପାଇଁ ୧,୨୦୦ରୁ ୫,୦୦୦ ଟଙ୍କା ଚାର୍ଜ ନେଇଥାଏ। ମଧ୍ୟମ ଆକାରର ଲକର ପାଇଁ ୨,୫୦୦ରୁ ୯,୦୦୦ ଟଙ୍କା, ବଡ଼ ଆକାରର ଲକର ପାଇଁ ୪,୦୦୦ରୁ ୧୫,୦୦୦ ଟଙ୍କା ଏବଂ ଅତିରିକ୍ତ ବଡ଼ ଆକାରର ଲକର ପାଇଁ ୧୦,୦୦୦ ଟଙ୍କାରୁ ୨୨,୦୦୦ ଟଙ୍କା ପର୍ଯ୍ୟନ୍ତ ରେଣ୍ଟ ଚାର୍ଜ କରିଥାଏ। ବ୍ୟାଙ୍କ ବାର୍ଷିକ ଲକର ଭଡାର ପଇସା ଆଗୁଆ ନେଇଯାଇଥାଏ। ଲକର ଭଡାରେ ନେବା ପାଇଁ ଆପଣଙ୍କ ପାଖରେ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟ ଥିବା ଦରକାର।

PNB ବ୍ୟାଙ୍କ ଲକର ଚାର୍ଜ

PNB ବ୍ୟାଙ୍କ ଲକରର ଆକାର ଆଧାରରେ ମେଟ୍ରୋ ଏବଂ ସହରାଞ୍ଚଳରେ ୨,୦୦୦ ଟଙ୍କାରୁ ନେଇ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିଥାଏ। ଯେତେବେଳେ କି, ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ ୧,୨୫୦ ଟଙ୍କାରୁ ନେଇ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିଥାଏ। ଏହା ବ୍ୟତୀତ PNB ଲକରଧାରକମାନେ ଗୋଟିଏ ବର୍ଷରେ ୧୨ ଥର ହିଁ ମାଗଣାରେ ଲକର ପରିଦର୍ଶନ କରି ପାରିବେ। ଏହାପରେ ୧୩ତମ ଭିଜିଟ୍‌ଠାରୁ ପ୍ରତ୍ୟେକ ଭିଜିଟ୍‌ ଉପରେ ୧୦୦ ଟଙ୍କାର ଚାର୍ଜ ଲାଗିଥାଏ।

ଆକ୍ସିସ୍ ବ୍ୟାଙ୍କ ଲକର ଚାର୍ଜ

ଆକ୍ସିସ ବ୍ୟାଙ୍କ ଗ୍ରାମାଞ୍ଚଳରେ ଲକର ଆକାର ଅନୁସାରେ ୧,୪୦୦ ଟଙ୍କାରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିଥାଏ। ସେପଟେ ଅର୍ଦ୍ଧ ସହରୀ ଅଞ୍ଚଳରେ ଏହା ୧,୬୦୦ ଟଙ୍କାରୁ ୧୧,୦୦୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିଥାଏ। ଯେତେବେଳେ କି, ମେଟ୍ରୋ ବା ସହରାଞ୍ଚଳରେ ୨,୭୦୦ ଟଙ୍କାରୁ ୧୨,୯୬୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଲାଗିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.