Below header

ଏବେ ଘରେ ବସି ପେନସନ୍ ଉପଭୋକ୍ତା ଜମା କରିପାରିବେ ଲାଇଫ୍ ସାର୍ଟିଫିକେଟ୍, ଜାଣନ୍ତୁ କେମିତି

ସରକାରୀ ଏବଂ ପିଏଫ୍ ପେନସନ୍ ଭୋଗୀଙ୍କ ପାଇଁ ନଭେମ୍ବର ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମାସରେ ସେମାନଙ୍କୁ ନିଜର ଲାଇଫ୍ ସାର୍ଟିଫିକେଟ୍ ଜମା କରିବା ପାଇଁ ବ୍ୟାଙ୍କ, ପୋଷ୍ଟ ଅଫିସ୍ କିମ୍ବା EPFO ଯିବାକୁ ପଡିଥାଏ। କାରଣ ଲାଇଫ୍ ସାର୍ଟିଫିକେଟ ଜମା କରିବାର ପ୍ରକ୍ରିୟା ବାଧ୍ୟତାମୂଳକ। ଯଦି ୩୦ ନଭେମ୍ବର ପର୍ଯ୍ୟନ୍ତ ଏହି କାମ କରାନଯାଏ ତେବେ ଆପଣଙ୍କ ପେନସନ୍ ମଧ୍ୟ ଅଟକି ଯାଇପାରେ।

ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହିବାକୁ ପଡିବ :

ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ, ପେନସନଭୋଗୀଙ୍କୁ ଅଧିକୃତ ପେନ୍‌ସନ ବିତରଣ କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ପଡିଥାଏ । ନହେଲେ ଯେଉଁ କାର୍ଯ୍ୟାଳୟରେ ଆପଣ କାର୍ଯ୍ୟ କରୁଥିବେ ସେଠାକାର ପ୍ରାଧିକରଣ ଦ୍ୱାରା ପ୍ରଦାନ କରାଯାଇଥିବା ଜୀବନ ପ୍ରମାଣପତ୍ର ପ୍ରାଧିକୃତ ପେନସନ୍ ବିତରଣ ଏଜେନ୍ସିରେ ଦେବାକୁ ପଡ଼ିଥାଏ | କରୋନା ମହାମାରୀ ସମୟରେ ପେନସନ୍ ପାଇବା ପାଇଁ ବିତରଣ ଏଜେନ୍ସିରେ ବ୍ୟକ୍ତିଗତ ରୂପେ ଉପସ୍ଥିତ ରହିବା କଷ୍ଟକର ହୋଇଥାଏ । ସେହିପରି ପେନ୍‌ସନ୍‌ଭୋଗୀଙ୍କ ପାଇଁ ଜୀବନ ପ୍ରମାଣ ପତ୍ର ପ୍ରାପ୍ତ କରିବା ମଧ୍ୟ ବଡ଼ ସମସ୍ୟା। କାରଣ ଶାରିରୀକ ରୂପେ ଅସୁସ୍ଥ ଥିବା ବ୍ୟକ୍ତିଙ୍କ ପାଇଁ ଏହା କଷ୍ଟସାଧ୍ୟ ହୋଇଥାଏ। କେବଳ ସେତିକି ନୁହେଁ ଅଧିକାଂଶ ସରକାରୀ କର୍ମଚାରୀ ଅବସର ପରେ ନିଜ ପରିବାର ସହ ରହିବା ପାଇଁ କିମ୍ବା ଅନ୍ୟ କୌଣସି କାରଣରୁ ଅଲଗା ସ୍ଥାନରେ ରହିଥାନ୍ତି। ଏହି କାରଣରୁ ସେମାନଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

pensonerତିଆରି କରାଯାଇପାରିବ ଡିଜିଟାଲ୍ ସାର୍ଟିଫିକେଟ୍ :

ପେନସନଭୋଗୀମାନଙ୍କୁ ଜୀବନ ପ୍ରମାଣପତ୍ର ପାଇଁ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ କରିବାକୁ ପଡିବ ନାହିଁ । ତେଣୁ ସରକାର ଡିଜିଟାଲ୍ ସାର୍ଟିଫିକେଟ୍ ସୁବିଧା ଆରମ୍ଭ କରିଛନ୍ତି | ଏଥିରେ ପେନ୍ସନ୍ଭୋଗୀଙ୍କ ବାୟୋମେଟ୍ରିକ୍ ପ୍ରାମାଣିକରଣ ପାଇଁ ଆଧାର ସଂଖ୍ୟା ବ୍ୟବହୃତ କରାଯାଇଥାଏ। ଏହା ଯାଞ୍ଚ କରାଯିବା ପରେ ଏକ ଲାଇଫ୍ ସାର୍ଟିଫିକେଟ୍ କରାଯାଇଥାଏ, ଯାହାକୁ ଲାଇଫ୍ ସାର୍ଟିଫିକେଟ୍ ଫଣ୍ଡରେ ସୁରକ୍ଷିତ କରି ମଧ୍ୟ ରଖାଯାଇଥାଏ। ଏହାଦ୍ୱାରା ପେନସନ୍ ବିତରଣ ଏଜେନ୍ସିଗୁଡିକ ପ୍ରମାଣପତ୍ରକୁ ଅନଲାଇନ୍ ଜରିଆରେ ଦେଖିପାରିବେ।

ଏପରି ପାଇପାରିବେ ଡିଜିଟାଲ ସାର୍ଟିଫିକେଟ୍ :

ଡିଜିଟାଲ ସାର୍ଟିଫିକେଟ ପାଇବା ପାଇଁ ପେନସନ୍ ଉପଭୋକ୍ତାଙ୍କୁ ଏକ ସ୍ୱତନ୍ତ୍ର ‘ପ୍ରମାଣ ଆଇଡି’ ତିଆରି କରିବାକୁ ପଡିବ। ଅର୍ଥାତ୍ ପ୍ରତ୍ୟେକ ପେନସନଭୋଗୀଙ୍କ ପାଇଁ ଏହା ଅଲଗା ହୋଇଥାଏ। ପେନସନଧାରୀ ଏହାକୁ ନିଜର ଆଧାର ନମ୍ବର ଏବଂ ବାୟୋମେଟ୍ରିକ୍ସ ବ୍ୟବହାର କରି ତିଆରି କରିପାରିବେ। ପ୍ରଥମ ଥର ପାଇଁ ପେନସନଭୋଗୀମାନେ ଏହି ଆଇଡିକୁ ଜେନେରେଟ୍ କରିବା ପାଇଁ ସ୍ଥାନୀୟ ନାଗରିକ ସେବା କେନ୍ଦ୍ରକୁ ଯାଇପାରିବେ।

life certificateଏଥିସହ ପେନସନ୍ ଉପଭୋକ୍ତାଙ୍କୁ ଆଧାର ନମ୍ବର, ମୋବାଇଲ ନମ୍ବର, ପେନସନ୍ ପେମେଣ୍ଟ ଅର୍ଡର(ପିପିଓ) ନମ୍ବର ଏବଂ ପେନସନ୍ ଖାତା ସଂଖ୍ୟା ବ୍ୟତୀତ ଆଙ୍ଗୁଳି ଚିହ୍ନ ଦେବାକୁ ପଡିବ। ଏସବୁର ସଫଳ ଯାଞ୍ଚ ପରେ ମୋବାଇଲ ନମ୍ବରକୁ ଏକ SMS ପଠାଯାଇଥାଏ। ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ତିଆରି ହେବା ପରେ ଏହାକୁ ପେନସନ୍ ଦେଉଥିବା ଏଜେନ୍ସିଙ୍କ ପାଖରେ ଜମା କରବାକୁ ପଡିବ। ଏଥିସହ ଏହି କାମ ମଧ୍ୟ ଆପଣ ଡିଜିଟାଲ୍ ମାଧ୍ୟମରେ ଜୀବନ ପ୍ରମାଣ ପୋର୍ଟଲ (https://jeevanpramaan.gov.in) ଜରିଆରେ କରିପାରିବେ। ସ୍ମାର୍ଟଫୋନ୍ ରେ ଉମଂଗ ଆପ୍ କିମ୍ବା ପିସି (PC) ରେ ଓ୍ଵିଣ୍ଡୋଜ୍ ଜରିଆରେ ମଧ୍ୟ ସାର୍ଟିଫିକେଟ୍ ଜେନେରେଟ୍ କରାଯାଇପାରିବ।

ଜୀବନ ପ୍ରମାଣପତ୍ର ବର୍ଷସାର ଯେ କୈାଣସି ସମୟରେ ବି ଜମା କରାଯାଇପାରିବ ବୋଲି EPFO ପକ୍ଷରୁ ପେନସନ୍ ଉପଭୋକ୍ତାଙ୍କୁ ମେସେଜ୍ ଜରିଆରେ ସୂଚନା ଦିଆଯାଇଛି। ଉଦାହରଣ ସ୍ୱରୂପ, ଯଦି ଆପଣ ନିଜର ଜୀବନ ପ୍ରମାଣପତ୍ର ଡିସେମ୍ବର ୨୦୧୯ରେ ଜମା କରିଛନ୍ତି, ତେବେ ଆପଣ ଡିସେମ୍ବର ୨୦୨୦ରେ ଜମା କରନ୍ତୁ। ସେହିଭଳି ଯଦି ଜାନୁଆରୀ ୨୦୨୦ ପରେ କରିଛନ୍ତି, ତେବେ ଏକ ବର୍ଷ ପୂରଣ ହେବା ପରେ ଜମା କରିପାରିବେ। ସୂଚନା ଅନୁଯାୟୀ ଆପଣଙ୍କ ସାର୍ଟିଫିକେଟ୍ ବ୍ୟାଙ୍କ, EPFO ବ୍ୟତୀତ ନିକଟସ୍ଥ କମନ୍ ସର୍ଭିସ୍ ସେଣ୍ଟର (CSC) ରେ ମଧ୍ୟ ଜମା କରାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.