Below header

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନୂଆ ଟିମ୍‌ ଘୋଷିତ, ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ୱ

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନୂଆ ଟିମ୍‌ ଘୋଷିତ। କ୍ୟାବିନେଟ୍‌ରେ ସାମିଲ ହେବାକୁ ଥିବା ଚେହେରାଙ୍କ ନାଁ ଘୋଷଣା କରିଛନ୍ତି ଜୋ ବାଇଡେନ୍‌ । ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମୟର ଦୁଇ ପ୍ରମୁଖ ବ୍ୟକ୍ତିତ୍ୱ ଆଣ୍ଟୋନୀ ବ୍ଲିନ୍‌କେନ୍‌ ଓ ଜେକ୍‌ ସୁଲିଭାନଙ୍କୁ ମିଳିଛି ବଡ଼ ଦାୟିତ୍ୱ । ଆଣ୍ଟୋନୀ ବ୍ଲିନ୍‌କେନ୍‌ ହେବେ ଆମେରିକାର ପରବର୍ତ୍ତୀ ସେକ୍ରେଟାରୀ ଅଫ୍‌ ଷ୍ଟେଟ । ସେହିପରି ଜେକ୍‌ ସୁଲିଭାନ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ ହେବାକୁ ଯାଉଛନ୍ତି । ୫୮ ବର୍ଷୀୟ ବ୍ଲିନ୍‌କେନ୍‌ ଓବାମା ସରକାର ସମୟରେ ଉପ ବିଦେଶ ମନ୍ତ୍ରୀ ଓ ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ କାମ କରିଥିଲେ ।

ନିଜ କାମକୁ ଦାୟିତ୍ୱର ସହ ନିର୍ବାହ କରିବେ ବୋଲି କହିଛନ୍ତି ବ୍ଲିନ୍‌କେନ୍‌ । ବ୍ଲିନ୍‌କେନ୍ ହେଉଛନ୍ତି ‌ବାଇଡେନ୍‌ଙ୍କ ଅତି ଘନିଷ୍ଟ । ଭାରତ ସହ ତାଙ୍କର ସୁସମ୍ପର୍କ ରହି ଆସିଛି । ଦୀର୍ଘ ଦିନ ଧରି ଜାତୀୟ ସୁରକ୍ଷା ଓ ବିଦେଶ ନୀତି ବିଶେଷଜ୍ଞ ଭାବେ ବ୍ଲିନ୍‌କେନ୍‌ ଭାରତ ସହ ସଂପର୍କକୁ ନେଇ ଉତ୍ସାହିତ ଅଛନ୍ତି । ସେ ଚୀନ୍‌କୁ ଏକ ସାଧାରଣ ଚ୍ୟାଲେଞ୍ଜ ଭାବେ ଦେଖୁଛନ୍ତି । ସେହିପରି ବାଇଡେନ୍‌ ଜାତୀୟ ସୁରକ୍ଷା ଦଳର ଅନ୍ୟ ସଦସ୍ୟମାନଙ୍କ ନାଁ ମଧ୍ୟ ଘୋଷଣା କରିଛନ୍ତି । ଆଲୋଜାଣ୍ଡ୍ରୋ ମାୟୋର୍କାସ୍‌ ହୋମ୍‌ ଲ୍ୟାଣ୍ଡ ସିକ୍ୟୁରିଟିର ପ୍ରମୁଖ ସଚିବ ଭାବେ କାମ କରିବେ ।

ସେ ଓବାମାଙ୍କ କାର୍ଯ୍ୟକାଳରେ ହୋମଲ୍ୟାଣ୍ଡ ସିକ୍ୟୁରିଟିର ଡେପୁଟି ସେକ୍ରେଟାରୀ ଥିଲେ । ଜାତିସଂଘର ରାଷ୍ଟ୍ରଦୂତ ଭାବେ ଲିଣ୍ଡା ଥୋମାସ୍‌ ଗ୍ରୀନ୍‌ଫିଲ୍ଡ, ପୂର୍ବତନ ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ ଜନ୍‌ କେରୀଙ୍କୁ ଜଳବାୟୁ ଲାଗି ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ଦୂତ ଦାୟିତ୍ୱ ଦିଆଯାଇଛି । ସେ ଆଗକୁ ଜାତୀୟ ସୁରକ୍ଷା ପରିଷଦରେ ରହିବେ । ନ୍ୟାସନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ହେବେ ଅଭ୍ରିଲ ହେନ୍ସ । ସୂଚନା ମୁତାବକ ଜଣେ ପ୍ରଥମ ମହିଳା ଭାବେ ସେ ଏହି ଦାୟିତ୍ୱରେ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.