ବରିଷ୍ଠ ନାଗରିକଙ୍କ ପାଇଁ ଏଲ୍‌ଆଇସିର ପେନ୍‌ସନ୍‌ ପଲିସିରେ ଭଲ ସୁଧ, ଜାଣନ୍ତୁ କ’ଣ ରହିଛି ଅନ୍ୟାନ୍ୟ ସୁବିଧା

ସ୍ଥାୟୀ ଜମା ଉପରେ ସୁଧ ରେଟ୍‌ କମିବା ପରେ ଦେଶରେ ଥିବା ଜମାକାରୀଙ୍କ ମନରେ ନିରାଶ ଭାବ ସୃଷ୍ଟି ହୋଇଛି । ବିଶେଷକରି ୬୦ ବର୍ଷ ବୟସ ଉପରେ ଥିବା ବରିଷ୍ଠ ନାଗରିକଙ୍କୁ ଏହା ଅଧିକ ନିରାଶ କରିଛି । କାରଣ ବରିଷ୍ଠ ନାଗରିକମାନେ ସୁରକ୍ଷିତ ଓ ସ୍ଥିର ଜମା ପାଇଁ ବିଶେଷକରି ବ୍ୟାଙ୍କ୍‌ ଉପରେ ନିର୍ଭର କରିଥାନ୍ତି ।

lic-1

ଏବେ ଦେଶର ପ୍ରାୟ ସବୁ ସେକ୍ଟର ବା ବ୍ୟାଙ୍କ୍‌ ଜମା ରାଶି ଉପରେ ସୁଧ ହାର ୭ ପ୍ରତିଶତ ତଳେ ଥିବାରୁ ଏହା ଜମାକାରୀଙ୍କ ମନୋବଳ ଭାଙ୍ଗି ଦେଇଛି । ଏହି ସମୟରେ ଏଲ୍‌ଆଇସି ଆଣିଛି ସ୍ଥାୟୀ ଜମା ଉପରେ ଏକ ଆକର୍ଷକ ସୁଧ ଯାହାକି ୭ ପ୍ରତିଶତ ଉପରେ ରହିଛି । ୨୦୧୭ ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଧନ ଯୋଜନା (ପିଏମ୍‌ଭିଭିଓ୍ଵାଇ) ର ସୁଧ ରେଟ୍‌ରେ ଏଲ୍‌ଆଇସି କିଛି ପରିବର୍ତ୍ତନ ଆଣିଛି ।

ବରିଷ୍ଠ ନାଗରିକଙ୍କୁ ଖୁସି କରିବା ପାଇଁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏଲ୍‌ଆଇସି ଏହି ପେନ୍‌ସନ୍‌ ପଲିସିର ସୁଧ ରେଟ୍‌ ୭.୪୦ ପ୍ରତିଶତ କରିଥିବା ଜଣାଯାଇଛି । ଏହି ପଲିସି ଆସନ୍ତା ୩ ବର୍ଷ ଅର୍ଥାତ୍‌ ୨୦୨୩ ମାର୍ଚ୍ଚ ଯାଏ ବଳବତ୍ତର ରହିବ । ଏହି ପଲିସିକୁ ଏଲ୍‌ଆଇସିର େଓ୍ଵବ୍‌ ସାଇଟ୍‌ରୁ ଅଫ୍‌ ଲାଇନ୍‌ କିମ୍ବା ଅନ୍‌ ଲାଇନ୍‌ ରେ କିଣାଯାଇ ପାରିବ । କେବଳ ଏଲ୍‌ଆଇସି ଏହି ପଲିସି ବିକିବା ପାଇଁ ଏକମାତ୍ର ସଂସ୍ଥା ।

lic-3

ତେବେ ଏହି ପଲିସିରେ ମୋଟ୍‌ ଦେୟ ୧୫ ଲକ୍ଷରୁ ଅଧିକ ହେବା ଉଚିତ୍‌ ନୁହେଁ । ଏହି ପଲିସିର କାର୍ଯ୍ୟକାଳ ୧୦ ବର୍ଷ ରହିଥିବା ବେଳେ ପ୍ରଥମ ଆର୍ଥିକ ବର୍ଷ ପାଇଁ ମାର୍ଚ୍ଚ ୨୦୨୧ ପଲିସିର ବିକ୍ରି ସମୟ ରହିଛି । ଏହି ପଲିସିରେ ବାର୍ଷିକ ୭.୪୦ ପ୍ରତିଶତ ନିଶ୍ଚିତ ସୁଧ ରେଟ୍‌ ରହିଛି । ଜଣେ ବରିଷ୍ଠ ନାଗରିକ ଅତି କମ୍‌ରେ ମାସକୁ ୧ ହଜାର ଟଙ୍କା ଓ ଅତି ବେଶୀରେ ମାସକୁ ୯,୨୫୦ ଟଙ୍କା ପେନ୍‌ସନ୍‌ ପାଇବାର ବ୍ୟବସ୍ଥା ରହିଛି ।

ତେବେ ଆଗାମୀ ଦୁଇ ବର୍ଷ ପାଇଁ ସୁଧ ରେଟ୍‌ ଆବଶ୍ୟକ ହେଲେ ରିଭ୍ୟୁ କରାଯିବ ବୋଲି ଏଲ୍‌ଆଇସି କହିଛି । ଏଥି ସହ ପଲିସିର ୩ ବର୍ଷ ପୂରଣ ପରେ ଏଥିରୁ ପଲିସି ହୋଲ୍ଡର ଚାହିଁଲେ ୭୫ ପ୍ରତିଶତ ଲୋନ ମଧ୍ୟ ନେଇ ପାରିବାର ବ୍ୟବସ୍ଥା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.