ଓଡ଼ିଶା ବିଧାନସଭାରେ ଆଗତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ହାର ବୃଦ୍ଧି

ଭୁବନେଶ୍ବର(କେନ୍ୟୁଜ୍): ପ୍ରକାଶ ପାଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ହାର ବଢିଛି । ୨୦୧୭-୧୮ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ରହିଥିବା ବେଳେ ବର୍ତ୍ତମାନ ଏହା ୮.୪ ପ୍ରତିଶତ ରହିଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାର ବିକାଶ ହାର ଅନ୍ୟ ରାଜ୍ୟ ତୁଳନାରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବିକାଶ ତାଲିକାରେ ଦେଶର ୧୬ ନମ୍ବର ସ୍ଥାନରେ ରହିଛି ଓଡ଼ିଶା । ‘ହରିୟାଣା, ପଞ୍ଜାବ, କେରଳ, ଛତିଶଗଡ଼ ଓ ମଧ୍ୟପ୍ରଦେଶଠୁ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ। ରାଜ୍ୟରେ ମୁଣ୍ଡପିଛା ଆୟ ମଧ୍ୟ ବୃଦ୍ଧି ପାଇଛି ।

ରାଜ୍ୟରେ ଅର୍ଥନୈତିକ ବିକାଶ ହୋଇଛି । ବର୍ତ୍ତମାନ ସୁଦ୍ଧା କୃଷି ୪୮ ପ୍ରତିଶତ ଲୋକଙ୍କ ଜୀବନଧାରଣର ସାଧନ ଭାବେ ରହିଛି । ୨୦୧୬-୧୭ ବର୍ଷରେ କୃଷିରୁ ମାସିକ ଆୟ ୭ ହଜାରେ ୭୩୧ଟଙ୍କାକୁ ବୃଦ୍ଧି ପାଇଛି । ସେବା କ୍ଷେତ୍ରରେ ୪୧.୬ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଶିଳ୍ପ କ୍ଷେତ୍ରରେ ୩୯.୫ ଓ କୃଷି କ୍ଷେତ୍ରରେ ୧୮.୯ ପ୍ରତିଶତ ବୃଦ୍ଧି ହୋଇଛି । ଲୋକଙ୍କ ସାମାଜିକ ବ୍ୟବସ୍ଥାରେ ମଧ୍ୟ ସୁଧାର ଆସିଛି । ଶିଶୁ ମୃତ୍ୟୁହାର ହ୍ରାସରେ ରାଜ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି । ସାକ୍ଷରତା ହାର ବୃଦ୍ଧି ପାଇଛି । ୨୦୧୧ରେ ଏହା ୭୨.୯ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ସାକ୍ଷରତା ହାର ୮୧.୧ ପ୍ରତିଶତକୁ ବୃଦ୍ଧି ପାଇଛି । ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ଶିଳ୍ପକ୍ଷେତ୍ରର ପ୍ରମୁଖ ଅବଦାନ ରହିଛି । ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ରାଜ୍ୟ ସରକାରଙ୍କ ବିକାଶ ଧାରା ଆଗେଇ ଚାଲିଛି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରୁ ସ୍ପଷ୍ଟ ହେଉଛି। ଶିଳ୍ପ ଓ ସେବା କ୍ଷେତ୍ର ବଢୁଛି, କୃଷିକ୍ଷେତ୍ରରେ ଯୋଗଦାନ କମୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.