୨୦୧୭ରେ ସାରା ଦେଶରେ ଗୋଟିଏ କର ବ୍ୟବସ୍ଥା ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ(GST) ଲାଗୁ ହୋଇଥିଲା। ଏହା ଅଧୀନରେ ସମସ୍ତ ବସ୍ତୁ ଏବଂ ସେବାକୁ ୪ ଟ୍ୟାକ୍ସ ସ୍ଲାବ୍ସ( ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ)ରେ ବିଭାଜିତ କରାଯାଇଥିଲା। ଏହାପରେ ଏବେ ମୋଦି ସରକାର ‘ଓ୍ଵାନ୍ ନେଶନ, ଓ୍ଵାନ୍ ରୋଡ୍ ଟ୍ୟାକ୍ସ’ ଲାଗୁ କରିବା ନେଇ ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ରାଜ୍ୟ ସରକାରମାନଙ୍କୁ ଏକାଠି କରିବାକୁ ପ୍ରୟାସ କରାଯାଉଛି।
ଖବର ମୁତାବକ, କେନ୍ଦ୍ର ସରକାରଙ୍କ ସହ ହୋଇଥିବା ଏକ ବୈଠକରେ କିଛି ରାଜ୍ୟ ସ୍ୱତନ୍ତ୍ର ଗାଡ଼ିଗୁଡ଼ିକ ପାଇଁ ଏହି ୟୁନିଫର୍ମ ରୋଡ୍ ଟ୍ୟାକ୍ସର ପ୍ରସ୍ତାବ ଲାଗୁ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଯଦିଓ ଆଉ କିଛି ରାଜ୍ୟ ପ୍ରସ୍ତାବ ଉପରେ ବିଚାର କରିବାକୁ କହିଛନ୍ତି। ଏହି ସବୁ ରାଜ୍ୟର କହିବା ହେଲା, ‘ଓ୍ଵାନ୍ ନେଶନ, ଓ୍ଵାନ୍ ରୋଡ୍ ଟ୍ୟାକ୍ସ’ ଲାଗୁ ହେଲେ ସେମାନଙ୍କ ରାଜସ୍ୱ ଆଦାୟ ଉପରେ ପ୍ରଭାବ ପଡ଼ିବ।
ସାଧାରଣତଃ ନୂଆ ଗାଡ଼ିର ରେଜିଷ୍ଟ୍ରଶନ କରାଇବା ବେଳେ ରୋଡ୍ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। GST ସହିତ ଲାଗୁ ହେଉଥିବା ଏହି ଟ୍ୟାକ୍ସ ଯୋଗୁ ଗାଡ଼ିର ଦାମ୍ ବଢ଼ିଯାଉଛି। ଫଳରେ ଗ୍ରାହକମାନେ ଯେଉଁଠି ସବୁଠାରୁ କମ୍ ରୋଡ୍ ଟ୍ୟାକ୍ସ ଲାଗିଥାଏ, ସେହି ରାଜ୍ୟରୁ ଗାଡ଼ି କିଣୁଛନ୍ତି। ଆଉ ଏଥିପାଇଁ ଅଧିକ ରୋଡ୍ ଟ୍ୟାକ୍ସ ନେଉଥିବା ରାଜ୍ୟଗୁଡ଼ିକୁ ରାଜସ୍ୱ ଆଦାୟରେ କ୍ଷତି ସହିବାକୁ ପଡ଼ୁଛି। କହି ରଖୁଛୁ, ରୋଡ୍ ଟ୍ୟାକ୍ସକୁ ନେଇ ୨୦୧୮ରେ ସଡ଼କ ମନ୍ତ୍ରାଳୟ ସୁପାରିଶ କରିଥିଲା।
ଏବେ କେମିତି ନିଆଯାଉଛି ରୋଡ୍ ଟ୍ୟାକ୍ସ
ପ୍ରତ୍ୟେକ ରାଜ୍ୟରେ ରୋଡ୍ ଟ୍ୟାକ୍ସ ହିସାବର ଫର୍ମୁଲା ଅଲଗା ଅଲଗା ହୋଇଥାଏ। ଦେଶର ରାଜଧାନୀ ଦିଲ୍ଲୀ ସମେତ କିଛି ରାଜ୍ୟ ଗାଡ଼ି ମେକିଂ, ମଡେଲ୍, ଇଞ୍ଜିନ ଏବଂ ସିଟିଂ କ୍ୟାପାସିଟିକୁ ଦେଖି ଟ୍ୟାକ୍ସ ନେଇଥାଆନ୍ତି। ଆଉ କିଛି ରାଜ୍ୟ ଗାଡ଼ିର ସେଲ୍ ପ୍ରାଇଜ୍ ହିସାବରେ ରୋଡ୍ ଟ୍ୟାକ୍ସ ନେଇଥାଆନ୍ତି।
ଉଦାହରଣ ସ୍ୱରୂପ, ଦିଲ୍ଲୀରେ ୧୦୦୦ କିଲୋଗ୍ରାମରୁ କମ୍ ୪ ଚକିଆ ଯାନ ଉପରେ ୩୮୦୦ ଟଙ୍କାରୁ ଅଧିକ ରୋଡ୍ ଟ୍ୟାକ୍ସ ନିଆଯାଇଥାଏ। ସେଠି ଅରୁଣାଚଳ ପ୍ରଦେଶରେ ଯାନର ବିକ୍ରି ଦାମ୍ ଉପରେ ଟ୍ୟାକ୍ସ ଲାଗିଥାଏ।
ଯଦି କୌଣସି ୪ ଚକିଆ ଯାନର ଦାମ୍ ୨.୫ ଲକ୍ଷ ଟଙ୍କା, ତା’ହେଲେ ଏହା ଉପରେ ୨.୫ ପ୍ରତିଶତ ରୋଡ୍ ଟ୍ୟାକ୍ସ ଲାଗିବ। ସାଧାରଣତଃ କାର୍ ରେଜିଷ୍ଟ୍ରେଶନ ସମୟରେ ୧୫ ବର୍ଷ ହିସାବରେ ରୋଡ୍ ଟ୍ୟାକ୍ସ ଚାର୍ଜ କରାଯାଇଥାଏ।