‘ଇଣ୍ଡିଆନ ବାସ୍କେଟ କ୍ରୁଡ୍‌ ପ୍ରାଇସ’ ଦର ବୃଦ୍ଧି: ବାରଲ ପିଛା ମୂଲ୍ୟ ୧୨୧ ଡଲାର ପାର; ପୁଣି ବଢ଼ିପାରେ ପେଟ୍ରୋଲ, ଡିଜେଲ ଦର !

ନୂଆଦିଲ୍ଲୀ : ବିଗତ କିଛି ମାସ ଧରି ପେଟ୍ରୋଲ ଏବଂ ଡିଜେଲ ଦର ସାଧାରଣ ଲୋକଙ୍କୁ ଆଶ୍ଵସ୍ତି ଦେଇଥିବା ବେଳେ ସରକାର ଉତ୍ପାଦନ ଶୁଳ୍କ ହ୍ରାସ କରି ଏଗୁଡିକର ମୂଲ୍ୟରେ କିଛିଟା ହ୍ରାସ କରିଥିଲେ। ପେଟ୍ରୋଲ ମୂଲ୍ୟରେ ପ୍ରାୟ ୮ଟଙ୍କା ଏବଂ ଡିଜେଲ ମୂଲ୍ୟରେ ୭ ଟଙ୍କା ହ୍ରାସ ଘଟିଥିଲା। ଏପରିକି କିଛି ଦିନ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମ ମୂଲ୍ୟ ବୃଦ୍ଧି ପାଇଥିଲେ ହେଁ ଘରୋଇ ବଜାରରେ ଗତ ମେ ମାସ ୨୨ ତାରିଖରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସ୍ଥିର ରହିଛି। ହେଲେ ଏବେ ପୁଣିଥରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବଢିବାର ଆଶଙ୍କା ଦେଖାଯାଇଛି।

ତୈଳ ମନ୍ତ୍ରଣାଳୟର ପେଟ୍ରୋଲିୟମ ପ୍ଲାନିଂ ଏବଂ ଆନାଲିସିସ୍ ସେଲ୍ (PPAC) ରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜୁନ୍ ୯ରେ ଅଶୋଧିତ ତେଲ ବ୍ୟାରେଲ ପିଛା ୧୨୧.୨୮ ଡଲାରକୁ ଛୁଇଁଛି। ଯାହା ସରକାରଙ୍କ ଚିନ୍ତାର କାରଣ ହୋଇଛି। ଏଥିରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଏକ ପ୍ରକାର ନିଶ୍ଟିତ ହୋଇଯାଇଥିବା ବେଳେ ସରକାର ଚାହିଁଲେ ବି ଏଥର ମୂଲ୍ୟବୃଦ୍ଧି ନିୟନ୍ତ୍ରଣ କରି ନ ପାରନ୍ତି ବୋଲି କୁହା ଯାଉଛି। ତେବେ ଏହି ଦର ଶେଷଥର ପାଇଁ ୨୦୧୨ ଫେବୃଆରୀ/ମାର୍ଚ୍ଚରେ ଦେଖିବାକୁ ମିଳିଥିଲା।

ଭାରତ ବିଶ୍ୱର ତୃତୀୟ ବୃହତ୍ତ ତୈଳ ଉତ୍ପାଦନକାରୀ ଦେଶ। ମୋଟ ଆବଶ୍ୟକତାର ୮୦ ପ୍ରତିଶତ ବିଦେଶରୁ ଆମଦାନୀ କରୁଥିବା ବେଳେ ଅଧିକ ମାତ୍ରାରେ ତୈଳ କ୍ରୟ ଲାଗି ପୃଥକ ପୃଥକ ଦେଶରୁ ସଂଶାଧନର ସନ୍ଧାନ କରିଥାଏ। ଏଣୁ ଅଶୋଧିତ ତୈଳର ଅନ୍ତର୍ଜାତୀୟ ବଜାର ଇଣ୍ଡିଆନ ଅଏଲ ବାସ୍କେଟ ଲାଗି ପୃଥକ ହୋଇଥାଏ। ଏବେ କ୍ରୁଡ ବାସ୍କେଟରେ ତୈଳ ଦର ମହଙ୍ଗା ହେବା ଦେଶରେ ବଜାର ଦରକୁ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଉଛି।

ବର୍ତ୍ତମାନ ‘ଇଣ୍ଡିଆନ ବାସ୍କେଟ୍ କ୍ରୁଡ ଅଏଲ’ ବ୍ୟାରେଲ ମୂଲ୍ୟ ବୃଦ୍ଧି ପାଇଥିବାରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ଗତ ଶୁକ୍ରବାର ସୁଦ୍ଧା ଇଣ୍ଡିଆନ ବାସ୍କେଟ କ୍ରୁଡ ଅଏଲ ମୂଲ୍ୟ ବିଗତ ୧୦ ବର୍ଷ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚିବା ସହିତ ବ୍ୟାରେଲ ପିଛା ମୂଲ୍ୟ ୧୨୧.୨୮ ଡଲାର ଛୁଇଁଛି। ଯାହାକି ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବଢିବାର କାରଣ ହୋଇପାରେ ବୋଲି କୁହାଯାଉଛି। ତେବେ ଆଗକୁ ଏହା ବ୍ୟାରେଲ ପିଛି ୧୫୦ ଡଲାର ହେବ ବୋଲି ଆଶଙ୍କା କରାଯାଉଛି। ଏବେ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ ୯୬.୭୨ ଟଙ୍କା ଏବଂ ଡିଜେଲର ମୂଲ୍ୟ ୮୯.୬୨ ଟଙ୍କା ରହିଛି।

ଏପଟେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଉଥିବାରୁ ଏହା ମଧ୍ୟ ଚିନ୍ତାର ଅନ୍ୟତମ କାରଣ ହୋଇଛି। ‘ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ ସେଲ(ପିପିଏସି) ’ ଦ୍ୱାରା ପ୍ରକାଶ କରାଯାଇଥିବା ତଥ୍ୟ ଅନୁସାରେ ଗତ ୭ ତାରିଖ ସୁଦ୍ଧା ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୭.୭୨ ରହିଥିଲା ବେଳେ ଇଣ୍ଡିଆନ ବାସ୍କେଟ କ୍ରୁଡ ମୂଲ୍ୟ ବ୍ୟାରେଲ ପିଛା ୧୧୮.୦୬ ଡଲାରକୁ ବୃଦ୍ଧି ପାଇଥିଲା। ଏହାସତ୍ତ୍ବେ ଗତ ମଙ୍ଗଳବାର ସୁଦ୍ଧା ଏହି ମୂଲ୍ୟ ହାରାହାରି ଭାବେ ୧୧୭.୦୧ ଡଲାର ରହିଥିଲା। କିନ୍ତୁ ଅଚାନକ ଭାବେ ଶୁକ୍ରବାର ଏହି ମୂଲ୍ୟ ୧୨୧ ଡଲାର ପାର୍‌ କରିବା ଘଟଣା ପେଟ୍ରୋଲ ଏବଂ ଡିଜେଲର ପୁଣି ମୂଲ୍ୟ ବୃଦ୍ଧି ପ୍ରତି ଆଶଙ୍କା ଆଣିଛି।

ଭାରତ ତୈଳ ଆବଶ୍ୟକତାକୁ ପୂରଣ କରିବା ପାଇଁ ୮୫ ପ୍ରତିଶତ ଆମଦାନୀ ଉପରେ ନିର୍ଭରଶୀଳ। ତେଣୁ ସ୍ଥାନୀୟ ପେଟ୍ରୋଲ ପମ୍ପରେ ତେଲ ଦର ଆନ୍ତର୍ଜାତୀୟ ମୂଲ୍ୟ ଉପରେ ନିର୍ଭର କରୁଛି। ସୂତ୍ରରୁ ଜଣାପଡିଛି ଯେ, ଅଶୋଧିତ ତୈଳ ମୂଲ୍ୟ ସ୍ଥାନୀୟ ପେଟ୍ରୋଲ ପମ୍ପରେ ବ୍ୟାରେଲ ପିଛା ପ୍ରାୟ ୮୫ ଡଲାରରେ ଧାର୍ଯ୍ୟ ହୋଇଛି। କିନ୍ତୁ ତୈଳ ସଂସ୍ଥାଗୁଡ଼ିକ ମୂଲ୍ୟରେ ପରିବର୍ତ୍ତନ କରି ନାହାଁନ୍ତି, କାରଣ ସେମାନେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ସାହାଯ୍ୟ କରୁଛନ୍ତି।

ସୂତ୍ରରୁ ପ୍ରକାଶ ଯେ, ଏହି ଶିଳ୍ପ ପେଟ୍ରୋଲ ଲିଟର ପିଛା ପ୍ରାୟ ୧୮ ଟଙ୍କା ଏବଂ ଡିଜେଲ ୨୧ ଟଙ୍କା କ୍ଷତିରେ ବିକ୍ରି କରୁଛି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଗତ ଏପ୍ରିଲ ୬ରେ ସଂଶୋଧିତ ହୋଇଥିଲା ଏବଂ ସେହି ଦିନଠାରୁ ତାହା ସ୍ଥିର ରହିଛି। ଗତମାସରେ ସରକାର ପେଟ୍ରୋଲ ଉପରେ ଏକ୍ସାଇଜ ଡ୍ୟୁଟି ଲିଟର ପିଛା ୯ ଟଙ୍କା ଏବଂ ଡିଜେଲ ଉପରେ ୭ ଟଙ୍କା ହ୍ରାସ କରିବା ପରେ ତେଲ ସାମାନ୍ୟ ଶସ୍ତା ହୋଇଛି। ଗତ ସପ୍ତାହରେ ତୈଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଥିଲେ ଯେ, ତୈଳ କମ୍ପାନୀଗୁଡିକ ଦାୟିତ୍ୱବାନ କର୍ପୋରେଟ୍ ନାଗରିକ ଏବଂ ତେଲର ଖୁଚୁରା ବିକ୍ରୟ ମୂଲ୍ୟ ଉପରେ ସରକାର ନିୟନ୍ତ୍ରଣ କରୁ ନାହାଁନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.