ପାକିସ୍ତାନ, ଶ୍ରୀଲଙ୍କା, ଆମେରିକା, ଚୀନ୍‌ ଠାରୁ ବି ଭାରତରେ ମହଙ୍ଗା ଅଛି ପେଟ୍ରୋଲ; ଏସବୁ ଦେଶରେ ମିଳୁଛି ଶସ୍ତାରେ

ଭାରତରେ ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ହୋଇଛି। ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିଛି। ସାଧାରଣ ଲୋକ ଏବେ ଘରୁ ଗାଡ଼ି କାଢ଼ିବାକୁ ବି ଡରୁଛନ୍ତି। ଆଗରୁ ପେଟ୍ରୋଲ ଦାମ୍‌ ୧୦୦ ଟଙ୍କା ଭିତରେ ରହୁଥିବା ବେଳେ ଏବେ ୧୨୦ ଛୁଇଁଲାଣି। ଇତି ମଧ୍ୟରେ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି, ଯାହା ଅନ୍ୟ ଦେଶର ପେଟ୍ରୋଲ ଦର ଓ ଭାରତର ଦରକୁ ତୁଳନା କରିଛି। ଏହି ରିପୋର୍ଟରୁ ଜଣାଯାଇଛି ଯେ ଭାରତରେ ପେଟ୍ରୋଲ ଦର ଅନ୍ୟ ବଡ଼ ଦେଶଠାରୁ ବି ଅଧିକ ରହିଛି। BOB Economics Research Report ମୁତାବକ, ଦେଶରେ ପେଟ୍ରୋଲ ଦାମ୍‌ ଚୀନ୍‌, ବ୍ରାଜିଲ, ଜାପାନ, ଆମେରିକା, ରୁଷ ଏମିତିକି ପାକିସ୍ତାନ ଓ ଶ୍ରୀଲଙ୍କା ଠାରୁ ବି ଢେର ଅଧିକ ଅଛି।

ଭାରତରେ ଇନ୍ଧନର ବର୍ଦ୍ଧିତ ଦର ଯୋଗୁ ଏବେ ତର୍କ ବିତର୍କ ଆରମ୍ଭ ହୋଇଛି। କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ଏହି ଦର କମାଇବେ ସେ ନେଇ ଆଲୋଚନା କରାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯଦି କିଛି କିଛି ଟ୍ୟାକ୍ସ କମାଇବେ, ତେବେ ଯାଇ ପେଟ୍ରୋଲ ଦର କମ୍‌ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି। ବିଶ୍ୱସ୍ତରରେ ତେଲ ଦାମ୍‌ ବଢ଼ିଥିବାରୁ ଇନ୍ଧନର ମୂଲ୍ୟ ଦ୍ରୁତ ବେଗରେ ବଢ଼ୁଛି। ଏଥିସହ ଡଲାର ମୂଲ୍ୟ ବଢ଼ିବା ଯୋଗୁ ମଧ୍ୟ ତୈଳ ଦର ପ୍ରଭାବିତ ହୋଇଛି।

ଏହି ରିପୋର୍ଟ ମୁତାବକ, ୧୦୬ ଦେଶର ଡାଟାକୁ ଏ ଅବସରରେ ତୁଳନା କରାଯାଇଥିଲା। ଏଥିରେ ଲିଟର ପ୍ରତି ୧.୩୫ ଡଲାର ମୂଲ୍ୟରେ ଭାରତର ପେଟ୍ରୋଲ ଦର ତାଲିକାରେ ୪୨ ତମ ସ୍ଥାନରେ ରହିଛି। ଏଭଳି ଭାବେ ୫୦ରୁ ଅଧିକ ଦେଶରେ ପେଟ୍ରୋଲ ଦର ଭାରତ ଠାରୁ ଅଧିକ ରହିଛି।

ଅନ୍ୟପଟେ ଅଷ୍ଟ୍ରେଲିଆ, ତୁର୍କୀ ଓ ଦକ୍ଷିଣ କୋରିଆରେ ପେଟ୍ରୋଲ ଦାମ୍‌, ଭାରତର ଦାମ୍‌ ପାଖାପାଖି ରହିଛି। ତେବେ ଭାରତରେ ପେଟ୍ରୋଲ ଦର ହଂକଂ, ଫିନ୍‌ଲ୍ୟାଣ୍ଡ୍‌, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ, ଗ୍ରୀସ୍‌, ଫ୍ରାନ୍ସ, ପର୍ତ୍ତୁଗାଲ ଓ ନରଧ୍ୱେ ତୁଳନାରେ କମ୍‌ ଅଛି। ଏହି ଦେଶରେ ପେଟ୍ରୋଲ ଦର ଲିଟର ପ୍ରତି ୨୦୦ରୁ ଅଧିକ ରହିଛି।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଭିଏତନାମ, କେନିଆ, ୟୁକ୍ରେନ୍‌, ବାଂଲାଦେଶ, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା ଓ ଭେନେଜୁଏଲା ତୁଳନାରେ ଭାରତରେ ପେଟ୍ରୋଲ ଦର ଅଧିକ ରହିଛି। ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶରେ ପେଟ୍ରୋଲ ଦର ବେଶ୍‌ କମ୍‌ ଥିବା ଦେଖାଯାଇଛି।

Also Read: ଇଏ କି ପାଠପଢ଼ା! କ୍ଲାସ୍‌ରେ ଗୋଟେ କଳାପଟାରେ ୨ ଶିକ୍ଷକ ପଢ଼ାଉଛନ୍ତି ପାଠ, ଜଣେ ହିନ୍ଦୀ ତ ଆଉ ଜଣେ ଉର୍ଦ୍ଦୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.