ବଢିଲା ପ୍ଲାଟଫର୍ମ ଟିକେଟ ଦାମ୍, ଏବେ ୧୦ ଟଙ୍କା ନୁହେଁ ଦେବାକୁ ପଡିବ ୩୦ ଟଙ୍କା

ମାର୍ଚ୍ଚ ଆରମ୍ଭରୁ ମହଙ୍ଗା ମାଡ଼। ପ୍ରଥମେ ତେଲ ଆଉ ତା ପରେ ଏଲପିଜି ଦାମ୍ ମହଙ୍ଗା ହୋଇଥିବା ବେଳେ ଏବେ ପ୍ଲାଟଫର୍ମ ଟିକେଟ ଦାମ୍ ବଢାଇଛି ଭାରତୀୟ ରେଲୱେ। ଭାରତୀୟ ରେଳବାଇ ଏବେ ପ୍ଲାଟଫର୍ମ ଟିକେଟର ଦାମ୍ ବୃଦ୍ଧି କରିଛି । କରୋନା ପାଇଁ ଗତ ଦୀର୍ଘ ଦିନ ଧରି ପ୍ଲାଟଫର୍ମ ଟିକେଟ୍ ସେବା ବନ୍ଦ ରହିଥିଲା । ଏହାକୁ ପୁଣିଥରେ ଦିଲ୍ଲୀର ପ୍ରମୁଖ ଷ୍ଟେସନରେ ଆରମ୍ଭ କରାଯାଇଛି । ଗୁରୁବାର ରାତ୍ର ୧୨ଟାଠାରୁ ଏହି ସେବା ପୁଣି ଆରମ୍ଭ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ପୂର୍ବରୁ ଗୋଟିଏ ପ୍ଲାଟଫର୍ମ ଟିକେଟ୍ ପାଇଁ ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ଏବେ ୩୦ ଟଙ୍କା ଦେବାକୁ ହେବ ।

ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଥିବା ଦୃଷ୍ଟିରୁ ରେଳ ଷ୍ଟେସନ ପ୍ଲାର୍ଟଫର୍ମରେ ଲୋକଙ୍କ ଭିଡ କମ କରିବାକୁ ସରକାର ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ଗୁରୁବାର ରାତି ୧୨ଟାରୁ ନୂଆଦିଲ୍ଲୀର ପ୍ରମୁଖ ଷ୍ଟେସନରେ ଏହି ସେବା ପୁଣି ଆରମ୍ଭ ହୋଇଛି । ନୂଆ ଦର ଦେଶର ସବୁ ରେଳ ଷ୍ଟେସନରେ ଲାଗୁ ହେବ । ନୂଆ ଦର ଆସନ୍ତା ଜୁନ ୧୫ ଯାଏ ଲାଗୁ ହେବ । ଏହା ସାମୟିକ ସମୟ ପାଇଁ ଲାଗୁ କରାଯାଇଥିବା ରେଲୱେ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏନେଇ ନିଜ ଅଞ୍ଚଳରେ ବୃଦ୍ଧି ନେଇ DRM ମାନେ ନିଷ୍ପତ୍ତି ନେବେ ।