ଦଶହରା ପୂର୍ବରୁ ଲାଗିଲା ଝଟକା: ପୁଣି ବଢ଼ିଲା ରେପୋ ରେଟ୍, ମହଙ୍ଗା ହେବ EMI

ନୂଆଦିଲ୍ଲୀ : ପାର୍ବଣ ସିଜିନରେ ଗ୍ରାହକଙ୍କୁ ଝଟକା ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଆସନ୍ତାକାଲି ଠାରୁ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି। ଏଣିକି ଋଣରେ ଘର ଓ ଗାଡ଼ି କିଣିଥିଲେ ପଡ଼ିବ ଅଧିକ ଇଏମଆଇ । ମୁଦ୍ରାନୀତି ସମୀକ୍ଷା କରି ସୁଧହାର ବଢ଼ାଇଛି ଆରବିଆଇ । ରେପୋ ରେଟ୍‌ରେ ୫୦ ବେସିସି ପଏଣ୍ଟ ବୃଦ୍ଧି ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଫଳରେ ୫.୯୦ ପ୍ରତିଶତକୁ ବଢ଼ିଛି ରେପୋରେଟ୍‌ । ଫଳରେ ଗାଡ଼ି, ଗୃହ ଋଣ ଉପରେ ବଢ଼ିବ ଇଏମଆଇ । ପୂର୍ବରୁ ରେପୋରେଟରେ ମେ ମାସରେ ୪୦ ବେସିସ ପଏଣ୍ଟ ବୃଦ୍ଧି ହୋଇଥିଲା । ଜୁନ୍‌ ଓ ଅଗଷ୍ଟରେ ୫୦ ବେସିସ୍‌ ପଏଣ୍ଟ ଲେଖାଏ ବୃଦ୍ଧି ଘୋଷଣା କରିଥିଲା ଆରବିଆଇ ।

ବୁଧବାର ସେପ୍ଟେମ୍ୱର ୨୮ରୁ ଆରବିଆଇର ତିନି ଦିନିଆ ମୁଦ୍ରା ନୀତି କମିଟି ବୈଠକ ଆରମ୍ଭ ହୋଇଥିଲା । ତେବେ ଆଜି ଆରବିଆଇର ମନିଟାରି ପଲିସୀ କମିଟି (ଏମପିସି) ବୈଠକ ଶେଷ ହୋଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଗଭର୍ଣ୍ଣର ଶ୍ରୀ ଦାସ ସୂଚନା ଦେଇଛନ୍ତି । ଶ୍ରୀ ଦାସ ରେପୋ ରେଟରେ ୦.୫୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି । ମହଙ୍ଗା ମାଡ଼ରୁ ରକ୍ଷା ପାଇବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏହି ପଦକ୍ଷେପ ନେଇଥିବା ସେ କହିଥିଲେ ।

ଗତ ମାର୍ଚ୍ଚ ମାସରୁ ଆଜି ସୁଦ୍ଧା ରେପୋ ରେଟରେ ଚାରି ଥର ବୃଦ୍ଧି ହୋଇସାରିଛି । ପୂର୍ବରୁ ରେପୋ ରେଟ୍ ୫.୪୦ ରହିଥିବା ବେଳେ ଏବେ ତାହା ୫.୯୦ରେ ପହଞ୍ଚି ଯାଇଛି । କରୋନା ଭାଇରସ ମହାମାରୀ ଓ ୟୁକ୍ରେନ-ରୁଷ ଯୁଦ୍ଧର ଝଟକା ପରେ କେନ୍ଦ୍ରୀୟ ବ୍ୟାଙ୍କର ଆକ୍ରାମକ ମୌଦ୍ରିକ ନୀତି ଦେଖିବାକୁ ମିଳିଥିଲା । ଆର୍ଥିକ ବର୍ଷ ୨୦୨୨-୨୩ରେ ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତରୁ ହ୍ରାସ ପାଇ ୭ ପ୍ରତିଶତ ରହିବା ନେଇ ଅନୁମାନ କରାଯାଇଛି । ଏନେଇ ସୁବିସ୍ତୃତ ସୂଚନା ଦେଇଛନ୍ତି ଶ୍ରୀ ଦାସ ।

ଆରବିଆଇ ଲଗାତାର ଚତୁର୍ଥ ଥର ପାଇଁ ମୁଦ୍ରା ନୀତି ବୈଠକରେ ରେପୋ ରେଟରେ ବୃଦ୍ଧି କରିପାରେ । ଆରବିଆଇ ରେପୋ ରେଟ ବଢିବା ପରେ ବ୍ୟାଙ୍କ ଋଣ ଅଧିକ ହେବ, ଯାହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ । ରେପୋ ରେଟ ବଢିବା ପରେ ହୋମ ଲୋନ, କାର ଲୋନ ଏବଂ ବିଜନେସ ଲୋନ ମହଙ୍ଗା ହେବ। ପୂର୍ବରୁ ଯେଉଁମାନେ ରେପୋ ରେଟ ଆଧାରିତ ହୋମ ଲୋନ ନେଇଛନ୍ତି ସେମାନଙ୍କ ଇଏମଆଇ ବଢିବ। ନିକଟରେ ଆମେରିକା ଏବଂ ବ୍ରିଟେନର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ବୃଦ୍ଧି କରିଥିଲେ । ଏହା ପରେ ଆରବିଆଇ ମଧ୍ୟ ଋଣ ମହଙ୍ଗା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.