Below header

ମଣିଷର ମସ୍ତିଷ୍କକୁ ଏଭଳି ନଷ୍ଟ କରିଦେଉଛି କରୋନା ଭୁତାଣୁ, ଗବେଷଣାରୁ ଆସିଲା ନୂଆ ତଥ୍ୟ

ସାଧାରଣତଃ ଆମେ ଜାଣିଛେ ଯେ କରୋନାରେ ସଂକ୍ରମିତ ବ୍ୟକ୍ତିଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥାଏ । ଥଣ୍ଡା, କାଶ ହେବା ସହିତ ଏହା ମଣିଷ ଶରୀରର ଫୁସଫୁସକୁ ପ୍ରଭାବିତ କରିଥାଏ । କିନ୍ତୁ ବର୍ତ୍ତମାନ କରୋନାକୁ ନେଇ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନିକଟରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଥିବା କିଛି ବ୍ୟକ୍ତିଙ୍କର ମସ୍ତିଷ୍କ କ୍ଷତିଗ୍ରସ୍ତ ହେଉଥିବାର ଜଣାପଡୁଛି । ଏହି ଭୂତାଣୁ ଏବେ ମସ୍ତିଷ୍କରେ ଏକାପ୍ରକାର ଜ୍ୱଳନ ସୃଷ୍ଟି କରୁଛି । କେବଳ ସେତିକି ନୁହେଁ ଏହାଦ୍ୱାରା ମସ୍ତିଷ୍କରୁ ରକ୍ତସ୍ରାବ ହେବା ସହିତ ସ୍ନାୟୁ କୋଷିକାର ବି ମୃତ୍ୟୁ ହେଉଛି । ପୂର୍ବରୁ ଇଟାଲୀ ଏବଂ ଚୀନରେ କେତେକ କରୋନା ଆକ୍ରାନ୍ତ ରୋଗୀ ସେମାନଙ୍କ ମସ୍ତିଷ୍କରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିଥିଲେ । ତେବେ ଅନେକ ଗବେଷଣା ପରେ କରୋନା ଯୋଗୁ ଏପରି ହେଉଥିବାର ଜଣାପଡିଥିଲା ଯେଉଁ କାରଣରୁ ଉଭୟ ଦେଶରେ ମସ୍ତିଷ୍କ କ୍ଷତିଗ୍ରସ୍ତ ହୋଇଥିବା କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ନ୍ୟୁରୋଲୋଜି ୱାର୍ଡ ସ୍ଥାପନ କରାଯାଇଥିଲା ।

coronaaa

ସୂଚନା ଅନୁଯାୟୀ ନିକଟରେ ଆମେରିକାରେ ମଧ୍ୟ ଠିକ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ୭୪ ବର୍ଷୀୟ ପୁରୁଷ ଏବଂ ଅନ୍ୟ ଜଣେ ୫୮ ବର୍ଷୀୟା ମହିଳା କରୋନାରେ ସଂକ୍ରମିତ ହେବା ପରେ ସେମାନଙ୍କ ମସ୍ତିଷ୍କ କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡ଼ିଛି । ତେବେ ତାଙ୍କ ମସ୍ତିଷ୍କର ସ୍କାନ କରିବା ପରେ ଜଣାପଡିଥିଲା ଯେ କରୋନା ଭୂତାଣୁ ଆକ୍ରମଣ ଯୋଗୁ ଏପରି ଘଟିଛି । ବ୍ରେନ ସ୍କାନରୁ ସେମାନଙ୍କ ମସ୍ତିଷ୍କର ଘନତ୍ୱ କମିଯିବା ସହିତ ସେଠାରେ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା । ଉଭୟଙ୍କଠାରେ ସ୍ମୃତି ଶକ୍ତି, ଇନ୍ଦ୍ରିୟ ଅନୁଭୂତି, ସ୍ନାୟବିକ ପ୍ରତିକ୍ରିୟା, ସଚେତନତା ଏବଂ ସ୍ନାୟବିକ ସ୍ତରରେ ସୂଚନା ଆଦାନ ପ୍ରଦାନ ପାଇଁ ଉଦ୍ଦିଷ୍ଟ ମସ୍ତିଷ୍କର ଅଂଶ ଭୂତାଣୁ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିଲା । ଏନସିଫାଲାଇଟିସରେ ଆକ୍ରାନ୍ତ ହେଲେ ଯେମିତି ମସ୍ତିଷ୍କର କିଛି ଅଂଶ ଫୁଲି ଯାଇଥାଏ, ସେମାନଙ୍କଠାରେ ମଧ୍ୟ ଠିକ୍‌ ସେହିପରି ଲକ୍ଷଣ ଦେଖିବାକୁ ମିଳିଥିଲା । ତେବେ ନିକଟରେ ହୋଇଥିବା ଏକ ଗବେଷଣାରେ ଦେଖିବାକୁ ମିଳିଥିଲା ଯେ କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ନିଜର ଶୁଙ୍ଘିବା ଏବଂ ସ୍ୱାଦ ବାରିବାର ଶକ୍ତି ହରାଇଥାନ୍ତି କିନ୍ତୁ ବର୍ତ୍ତମାନ ଏଥିରେ ମସ୍ତିଷ୍କରେ ଜ୍ୱଳନ ମଧ୍ୟ ଯୋଡି ହୋଇଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.