କ୍ୱାରେଣ୍ଟାଇନ୍ ଭଙ୍ଗକାରୀଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ, ଅମାନିଆ ହେଲେ ପୋଲିସ୍ ଗିରଫ କରିବ ଓ ଦୂରକୁ ବିଦା ହେବେ

ଭୁବନେଶ୍ୱର (କେ ନ୍ୟୁଜ୍) : କ୍ୱାରେଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଏବେ କଡ଼ା ଦଣ୍ଡ ଭୋଗିବାକୁ ପଡ଼ିବ । ପୋଲିସ୍ ଦ୍ୱାରା ଗିରଫ ହେବେ ଓ ତାଙ୍କୁ ଦୂର ଜାଗାକୁ କ୍ୱାରେଣ୍ଟାଇନ୍ରେ ପଠାଇ ଦିଆଯିବ । ଏଭଳି ଚେତାବନୀ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ପ୍ରବାସୀ ଓଡ଼ିଆମାନଙ୍କୁ ଅଣାଯାଉଛି । ବାହାରୁ ଅସୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ କିଭଳି ବ୍ୟବସ୍ଥିତ ଭାବେ ରଖା ଯିବ ସେଥିପାଇଁ ସାରା ରାଜ୍ୟରେ ଅନେକ କ୍ୱାରେଣ୍ଟାଇନ୍ ସେଣ୍ଟର କରାଯାଇଛି । ବସ୍ ଓ ଟ୍ରେନ୍ରେ ବିଭିନ୍ନ ରାଜ୍ୟରୁ ଯାତ୍ରୀ ଆସିଛନ୍ତି । ପୋଲିସ୍ ପ୍ରଶାସନ ସେମାନଙ୍କ ସୁବିଧା କାମରେ ପାଇଁ ଲାଗିଛନ୍ତି । ତେବେ କିଛି ଅମାନିଆଙ୍କ ପାଇଁ ଏସବୁ ବ୍ୟବସ୍ଥା ଯେମିତି ବ୍ୟର୍ଥ ହୋଇ ନଯାଉ ବୋଲି ସେ କହିଛନ୍ତି । ସେଭଳି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛୁ । ତେବେ ବିଶୃଙ୍ଖଳା କରି ସେମାନେ ନିଜର ଓ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଉଛନ୍ତି । ଏଭଳି ଅମାନିଆଙ୍କୁ ଗିରଫ କରାଯିବ ଏବଂ ସେମାନଙ୍କୁ ନେଇ ନିଜ ଗାଁଠାରୁ ଅଧିକ ଦୂରରେ ଥିବା ଅନ୍ୟ ଗାଁରେ କ୍ୱାରେଣ୍ଟାଇନ୍ କରାଯିବ । ସରପଞ୍ଚମାନେ କ୍ୱାରେଣ୍ଟାଇନକୁ ଭଲ ଭାବେ ତଦାରଖ କରନ୍ତୁ । କେହି ନିୟମ ଭାଙ୍ଗିଲେ ତୁରନ୍ତ ପୋଲିସ୍ ଓ ପ୍ରଶାସନକୁ ଜଣାନ୍ତୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଆହୁରି ମଧ୍ୟ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡ଼ିଆମାନେ ନିଶ୍ଚିତ ଭାବେ ରେଜିଷ୍ଟ୍ରେସନ୍ କରିବା ସହ ଭିଡ଼ ବସ୍ରେ ନ ଆସିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି ।ସେ ଆହୁରି କହିଛନ୍ତି ଯେ ଅଳ୍ପ କିଛି ଲୋକଙ୍କ ବିଶୃଙ୍ଖଳା ପାଇଁ ରାଜ୍ୟର ସୁନାମରେ ଆଞ୍ଚ ଆସୁଛି । ଏକଥା ହେବାକୁ ଦିଆଯିବ ନାହିଁ । କରୋନା ପାଇଁ କ୍ୱାରେଣ୍ଟାଇନ୍ ଏକ ଖେଳ କଥା ନୁହେଁ । ଏହା ଆଇନ୍ କାନୁନ୍ ଏବଂ ମଣିଷ ଜୀବନର କଥା ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ରାଜ୍ୟର ଅନେକ ସ୍ଥାନରୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ବିଶୃଙ୍ଖଳା ଦେଖା ଦେଇଥିବାର ସୂଚନା ଆସିଛି । ଲୋକେ ଅମାନିଆ ହୋଇ କ୍ୱାରେଣ୍ଟାଇନ୍ରୁ ବାହାରି ଯାଉଛନ୍ତି । ଏହା ପରେ ରାଜ୍ୟ ସରକାର ଏଭଳି କଠୋର ହୋଇଛନ୍ତି ।
Live Press Briefing #Covid19 #Odisha by @SecyChief https://t.co/2wubdoJe27
— I & PR Department, Odisha (@IPR_Odisha) May 3, 2020