ସଟଡାଉନ ଉଠିବା ପରେ ବି ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ଭୁବନେଶ୍ୱର ( କେନ୍ୟୁଜ) : ଆମେ ଯଦି ନିଜେ ସଚେତନ ରହିବା ତେବେ କରୋନା ସଙ୍କଟ ଦୂର ହେବ । ସରକାରଙ୍କୁ ଲକଡାଉନ କି ସଟଡାଉନ କରିବାକୁ ପଡିବ ନାହିଁ । ଲୋକ ଯଦି ନମାନିବେ ତେବେ ଲକଡାଉନ କି ସଟଡାଉନ ନୁହେ ତାଠାରୁ ଆହୁରି ଅଧିକ କଡା ପଦକ୍ଷେପ ନେବାକୁ ପଡିବ । ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳ ସମେତ କଟକ, ଭଦ୍ରକ ସହରରେ ଶୁକ୍ରବାର ରାତି 8ଟାରୁ ସଟଡାଉନ ଥିଲା । କରୋନା ଚେନକୁ କାଟିବା, ଆବଶ୍ୟକ ସାନିଟାଇଜେସନ ଏବଂ ସର୍ଭିଲାନ୍ସ ଆଦି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା । ଯାହା ଆଜି ରାତି 8 ଟାରେ ଶେଷ ହେବ । ରାତି 8ଟା ପରେ ଆବଶ୍ୟକ ଦୋକାନ ବଜାର ଖୋଲା ରହିବ ।

ତେବେ ଲୋକେ ଅଚାନକ ଦୋକାନରେ ଭିଡ ନକରି ଆରାମରେ ଜିନିଷ କିଣିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ କିଣାକିଣି ବେଳେ ଲୋକେ ଯଦି ସାମାଜିକ ଦୂରତା ରକ୍ଷା ନକଲେ ଲକଡାଉନ କି ସଟଡାଉନର କୌଣସି ମୂଲ୍ୟ ରହିବ ନାହିଁ । ତେଣୁ ପୂର୍ବ ପରି ଲକଡାଉନ ନିୟମ ମାନି ଚାଲିବ । କାରଣ ସାମାଜିକ ଦୂରତା ହେଉଛି କରୋନାରୁ ରକ୍ଷା ପାଇବାର ଗୋଟିଏ ମାତ୍ର ଉପାୟ । ନହେଲେ ଆପଣ ପରିବା କିଣିବାକୁ ଯାଇ ଘରକୁ କରୋନା ଆଣିବେ । ଅବଶ୍ୟ ସଟଡାଉନରେ ଲୋକଙ୍କ ସହଯୋଗ ପାଇଁ ସେ ଧନ୍ୟବାଦ ଜଣାଇ ଥିଲେ । ଆଉ ପରୋକ୍ଷରେ ଜଣାଇ ଦେଥିଲେ ଯେ ସଟଡାଉନ ସମୟ ଆଉ ବଢିବ ନାହିଁ । ଆହୁରି ମଧ୍ୟ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ନାହିଁ ବୋଲି ସେ ପୁଣି ଥରେ କହିଛନ୍ତି ।

ଆଉ ଏକ ଗୁରୁତ୍ୱପୂର୍ଣ କଥା ମଧ୍ୟ ମୁଖ୍ୟ ଶାସନ ସଚିବ କହିଛନ୍ତି । ଏବେଠାରୁ ପ୍ରତି ଜିଲ୍ଲାପାଳଙ୍କୁ ବଜାର ଏବଂ ଦୋକାନରେ ଯେମିତି ସାମାଜିକ ଦୂରତା ରକ୍ଷା ହେବ ସେଥି ପ୍ରତି କଡା ଦୃଷ୍ଟି ଦେବାକୁ କୁହାଯାଇଛି । ସଂକ୍ରମଣର ଆଶଙ୍କା ଥିବା ସ୍ଥାନକୁ ସେମାନେ ହଟସ୍ପଟ ଭାବେ ଗ୍ରହଣ କରି ସଟଡାଉନ ଭଳି କଡା ପଦକ୍ଷେପ ନେଇ ପାରିବେ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.