ଚୁଟିରେ ଲାଗିରହିଥାଏ କରୋନା ଭାଇରସ, ସେଥିପାଇଁ କନେଷ୍ଟବଳଠୁ ନେଇ ଇନ୍ସପେକ୍ଟର ପର୍ଯ୍ୟନ୍ତ ସମସ୍ତେ କରାଇଲେ ମୁଣ୍ଡନ

କରୋନା ଭାଇରସର ସଂକ୍ରମଣରୁ ବଞ୍ଚିବା ପାଇଁ ଆଗ୍ରାର ଫତେହପୁର ପୋଲିସ ଏକ ଭିନ୍ନ ପ୍ରକାରର ଉପାୟ ଆପଣେଇଛନ୍ତି । ଗତକାଲି ଏହି ଥାନାର ଇନ୍ସପେକ୍ଟର ସମେତ ୭୫ ଜଣ ପୋଲିସ କର୍ମଚାରୀ ମୁଣ୍ଡନ କରାଇଛନ୍ତି । ତେବେ ଏହାପରେ ଲକ୍ ଡାଉନ୍ ସ୍ଥିତିରେ ଯେତେବେଳେ ସେମାନେ ନିଜ ଡ୍ୟୁଟିରେ ବାହାରିଥିଲେ ସେତେବେଳେ ଲୋକମାନେ ଘର ଭିତରୁ ଏମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତେବେ ଏନେଇ ଥାନା ନିରୀକ୍ଷକ ଭୁପେନ୍ଦ୍ର ସିଂ କହିଥିଲେ ଯେ ଡାକ୍ତରଙ୍କ କହିବା ଅନୁସାରେ କରୋନା ଭାଇରସ୍ ମୁଣ୍ଡ ଚୁଟିରେ ମଧ୍ଯ ଲାଗିରହିଥାଏ । ଆଉ ତାପରେ ଏହା ନିଶ୍ୱାସ ଦ୍ଵାରା ଶରୀର ଭିତରକୁ ଯିବାର ସମ୍ଭାବନା ରହିଥାଏ । ସେଥିପାଇଁ ଆମେ ସମସ୍ତେ ମୁଣ୍ଡନ କରାଇବାପାଇଁ ନିଷ୍ପତ୍ତି ନେଇଥିଲୁ । ପୁରା ଥାନା ଏଥିରେ ସହମତ ଥିଲା ସେଥିପାଇଁ ଆମେ ସମସ୍ତେ ୭୫ ଜଣ ପୋଲିସ କର୍ମଚାରୀ ମୁଣ୍ଡନ କରାଇଥିଲୁ । ତେବେ ଲଣ୍ଡା ହେବା ସମୟରେ ସାମାଜିକ ଦୂରତା ମଧ୍ୟ ପାଳନ କରାଯାଇଥିଲା ।

ମୁଣ୍ଡନ କରାଇଥିବା ପ୍ରଭାରୀ ନିରୀକ୍ଷକଙ୍କ ବ୍ୟତୀତ ଇନସପେକ୍ଟର, ସବ୍ଇନ୍ସପେକ୍ଟର, ହେଡ୍ କନେଷ୍ଟବଳ ଏବଂ କନେଷ୍ଟବଳ ମଧ୍ଯ ଏଥିରେ ସାମିଲ ରହିଥିଲେ । ତେବେ ମୁଣ୍ଡନ ପରେ ଡ୍ୟୁଟିରେ ଗଲାପରେ ଏକାବେଳେ ଏତେ ଜଣ ପୋଲିସ ଲଣ୍ଡା ହୋଇଥିବା ଦେଖି ଲୋକମାନେ ଆଶ୍ଚର୍ଯ୍ଯ ହୋଇଯାଇଥିଲେ । ଇନ୍ସପେକ୍ଟରଙ୍କ କହିବା ଅନୁଯାୟୀ ମୁଣ୍ଡନ କରାଇବା ପୋଲିସ ପ୍ରୋଟୋକଲର ଉଲଂଘନ ନୂହେଁ ବରଂ ଲମ୍ବା ଚୁଟି ରଖିବା ନିୟମ ବିରୁଦ୍ଧ ଅଟେ ।

Leave A Reply

Your email address will not be published.