Below header

ଜନସାଧାରଣଙ୍କ ସହଯୋଗ ପାଇଁ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ନାହିଁ, ସତର୍କ ନରହିଲେ ୩ରୁ ୩୦୦ ହେବାକୁ ବେଶି ସମୟ ଲାଗିବନି : ବାଗଚି

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ଏତେ ଦିନ ଧରି ମାତ୍ର ତିନିଟି କରୋନା ପଜେଟିଭ ବାହାରିବା ଏକ ଶୁଭ ଖବର । ରାଜ୍ୟବାସୀଙ୍କ ସହଯୋଗ ଫଳରେ ଏହା ସମ୍ଭବ ହୋଇଛି ବୋଲି ଆଜି ଅପରାହ୍ନ ପ୍ରେସ୍‌ମିଟ୍‌ରେ କହିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚି ।
ଓଡ଼ିଶାରେ ପ୍ରଥମ ପଜେଟିଭ ମାର୍ଚ୍ଚ ୧୫, ଦ୍ୱିତୀୟ ୧୯ ଓ ତୃତୀୟ କରୋନା ପଜେଟିଭ୍‌ ମାର୍ଚ୍ଚ ୨୬ ତାରିଖରେ ଚିହ୍ନଟ ହୋଇଥିଲେ । ଏପର୍ଯ୍ୟନ୍ତ ସଂଖ୍ୟା ସେତିକି ଅଛି । ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା କମିବାର କାରଣ ଜନସାଧାରଣଙ୍କ ସହଯୋଗ । ସେମାନେ ସରକାରଙ୍କ କଥା ମାନି ସାମାଜିକ ଦୂରତ୍ୱ ବଜାୟ ରଖି ଲକ୍‌ଡାଉନ୍‌ ମାନିବା ଫଳରେ ଏହା ସମ୍ଭବ ହୋଇଛନ୍ତି । ଏହି ସମୟରେ ପୋଲିସ୍‌ ସବୁଠାରୁ ଅଧିକ କାମ କରିଛନ୍ତି । ସେହିଭଳି ଛୋଟ ପିଲା ଘରେ ରହି ବଡ଼ମାନଙ୍କ କଥା ମାନିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଘରେ ଥିବା ବୟସ୍କମାନଙ୍କର ଯତ୍ନ ନେବାକୁ ମଧ୍ୟ ସେ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଜନବହୁଳ ସହରକୁ ବିପଦ ରହିଛି

ଓଡ଼ିଶାରେ ଜନବହୁଳ ସହର ଭାବେ ପୁରୀ, ଭୁବନେଶ୍ୱର, କଟକ, ରାଉରକେଲା ଆଦି ରହିଛି । ତେଣୁ ଏହି ସହରଗୁଡ଼ିକରେ ସାମାଜିକ ଦୂରତା ରକ୍ଷା ପାଇଁ ଅଧିକ ସତର୍କ ହେବାକୁ ପଡ଼ିବ । ପୁରୀ ଓ ନ୍ୟୁୟର୍କ ସହରରେ ପ୍ରତି ସ୍କୋୟାର କିଲୋମିଟରରେ ଜନବହୁଳତା ସମାନ । ଠିକ୍‌ ସେହିପରି ଆମ ଜୟପୁର ସହରର ଜନବହୁଳତା ଇଟାଲୀର ରୋମ୍‌ ସହିତ ସମାନ । ନ୍ୟୁୟର୍କ ଓ ରୋମ୍‌ରେ ଯାହା ଘଟି ସାରିଛି ସେକଥା ଆମ ରାଜ୍ୟରେ ବି ଘଟି ପାରେ। ତେଣୁ ପୁରୀ, ଭୁବନେଶ୍ୱର ଜୟପୁର ଆଦି ସହରରେ ଜନବହୁଳତା ଯୋଗୁଁ ଏସବୁ ଜାଗାରେ ସଂକ୍ରମଣର ଆଶଙ୍କା ଅଧିକ ରହିଛି । ଏବେ ଆମର ମାତ୍ର ତିନି ଜଣ ପଜେଟିଭ୍‌ ଅଛନ୍ତି । ଆମେ ସତର୍କ ନରହିଲେ ଏହା ୩ରୁ ୩୦୦ରେ ପହଞ୍ଚିବାକୁ ବେଶି ଡେରି ଲାଗିବ ନାହିଁ ବୋଲି ବାଗଚି କହିଛନ୍ତି ।
ସେଥିଲାଗି ବର୍ତ୍ତମାନ ଯେଭଳି ଭାବେ ଲୋକମାନେ ଲକ୍‌ଡାଉନ୍‌କୁ ମାନୁଛନ୍ତି, ହାତ ସଫା କରିବା ସହ କରୋନା ଠାରୁ ଦୂରେଇ ରହିବା ପାଇଁ ସତର୍କତା ଅବଲମ୍ବନ କରୁଛନ୍ତି ସେହି ସବୁ ଜାରି ରଖନ୍ତୁ ବୋଲି ବାଗଚୀ ଦୋହରାଇଛନ୍ତି ।
ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ୍‌ ୪୭୩ଟି ନମୂନା ରିପୋର୍ଟ ଆସିଛି । ସେଥିରୁ କେବଳ ଏହି ତିନି ଜଣଙ୍କର ପଜେଟିଭ୍‌ ଆସିଥିବା ବେଳେ ଅନ୍ୟମାନଙ୍କର ନେଗେଟିଭ୍‌ ରହିଛି । ବିଭିନ୍ନ ଜାଗାରେ ୫୭ ଜଣ ସନ୍ଦିଗ୍ଧଙ୍କୁ ଆଇସୋଲେସନ୍‌ରେ ରଖା ଯାଇଛି ।

ଖୋଲା ରହିବ ପଶୁ ଚିକିତ୍ସା କ୍ଲିନିକ୍‌ ଓ ପଶୁ ଖାଦ୍ୟ ଦୋକାନ

ପଶୁ ଚିକିତ୍ସା କ୍ଲିନିକ ଓ ପଶୁଖାଦ୍ୟ ଦୋକାନକୁ ରାଜ୍ୟ ସରକାର ଅତ୍ୟାବଶ୍ୟକ ଭାବେ ଗ୍ରହଣ କରି ଏସବୁ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ବୁଲା ଗାଈ ଗୋରୁ ଏବଂ କୁକୁର ଆଦିଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.