ଡାକ୍ତର ଓ ନର୍ସଙ୍କ ସୁରକ୍ଷା ପାଇଁ ସରକାରଙ୍କ ପଦକ୍ଷେପ : କରୋନା ରୋଗୀ ଅନ୍ୟ ହସପିଟାଲକୁ ନଯିବାକୁ ନିର୍ଦ୍ଦେଶ, କେବଳ କୋଭିଡ୍‌ ହସପିଟାଲରେ ହିଁ ଚିକିତ୍ସିତ ହେବେ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ଭାଇରସ୍‌ରେ ସଂକ୍ରମିତ ବ୍ୟକ୍ତି କେବଳ ସ୍ୱତନ୍ତ୍ର କୋଭିଡ୍‌ ହସପିଟାଲରେ ଚିକିତ୍ସତ ହେବେ । ଅନ୍ୟ ରୋଗୀଙ୍କ ଚିକିତ୍ସା କରାଯାଉଥିବା ସରକାରୀ ଓ ବେସରକାରୀ ଡାକ୍ତରଖାନାକୁ ସେମାନେ ଯିବେ ନାହିଁ । ଯେମିତି କି କଟକରେ ଏସ୍‌ସିବି ଏବଂ ସିଟି ହସପିଟାଲ ଏହି ସହ ସମସ୍ତ ଜିଲ୍ଲା ହେଡ୍‌କ୍ୱାର୍ଟର ହସପିଟାଲରେ ଅନ୍ୟ ରୋଗୀ ଚିକିତ୍ସିତ ହୋଇ ପାରିବେ । ଏ ନେଇ ସବୁ ସରକାରୀ ଓ ବେସରକାରୀ ହସପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ଲକ୍ଷଣ ଥିବା କିମ୍ବା ସନ୍ଦିଗ୍‌ଧ ବ୍ୟକ୍ତି ଏହି ସବୁ ହସପିଟାଲକୁ ନଯିବା ଲାଗି ଆଜି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର ଓ ନର୍ସ ସୁରକ୍ଷିତ ଅଛନ୍ତି । ସମସ୍ତ ନର୍ସ ଓ ଡାକ୍ତରଙ୍କୁ ପର୍ସନାଲ ପ୍ରୋଟେକ୍ସନ୍‌ ଇକ୍ୟୁପମେଣ୍ଟ ବା PPE ଯୋଗାଇ ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଓ ଡିଏମ୍‌ଇଟି ସିବିକେ ମହାନ୍ତି । ରାଜ୍ୟରେ ୭ଟି କୋଭିଡ ହସ୍ପିଟାଲ କରାଯାଇଛି । ଖୁବ୍‌ ଶୀଘ୍ର ଅନ୍ୟ ଜିଲ୍ଲାରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ହେବ । ଏହି ସବୁ କୋଭିଡ ହସ୍ପିଟାଲରେ ହିଁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯିବ । ବର୍ତ୍ତମାନ କଟକ ବଡ଼ ମେଡିକାଲରେ କୌଣସି କରୋନା ଆକ୍ରାନ୍ତ ନାହାନ୍ତି । ତେଣୁ ଏସ୍‌ସିବି ଯିବାରେ କୌଣସି ଅସୁବିଧା ନାହିଁ ବୋଲି ସ୍ୱାସ୍ଥ୍ୟ ସଚିବ ଓ ଡିଏମ୍‌ଇଟି ସିଭିକେ ମହାନ୍ତି ସୂଚନା ଦେଇଛନ୍ତି ।

ଯଦି ଆପଣଙ୍କର କିଛି ସନ୍ଦେହ ହେଉଛି ତେବେ ପ୍ରଥମେ ୧୦୪କୁ କଲ୍‌ କରି ପରାମର୍ଶ ନିଅନ୍ତୁ । ସେମାନେ କାଉନସେଲିଂ କରିବା ପରେ ସେମାନଙ୍କ ପରାମର୍ଶ ଅନୁସାରେ ସ୍ୱତନ୍ତ୍ର କୋଭିଡ୍‌ ହସପିଟାଲକୁ ପଠାଯିବ । ସେଠାକୁ ଗଲେ ସେମାନଙ୍କର ନମୂନା ପରୀକ୍ଷା ଏହବ ଏବଂ ଯଦି ପଜେଟିଭ୍‌ ବାହାରିଲା ତେବେ ସେମାନଙ୍କୁ ସ୍ୱତନ୍ତ୍ର କୋଭିଡ୍‌ ହସପିଟାଲରେ ଭର୍ତ୍ତି କରାଯିବ । ଏ ସମ୍ପର୍କରେ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି । କୋଭିଡ୍‌ ଚିକିତ୍ସା ପାଇଁ ଘୋଷଣା ହୋଇନଥିବା ଡାକ୍ତରଖାନାକୁ ସେଭଳି ରୋଗୀଙ୍କୁ ନେବେ ନାହିଁ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ବାହାର ରାଜ୍ୟରେ ଡାକ୍ତର ଓ ନର୍ସମାନେ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା ବେଳେ ସଂକ୍ରମିତ ହୋଇଛନ୍ତି । ତେଣୁ ସେମାନଙ୍କର ସୁରକ୍ଷା ହେଉଛି ରାଜ୍ୟ ସରକାରଙ୍କ ବଡ଼ ଦାୟିତ୍ୱ । ସେଥିଲାଗି ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ତେବେ ସାମାନ୍ୟ ରୋଗରେ ହସପିଟାଲ ନଯିବାକୁ ମଧ୍ୟ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମସ୍ତ ଡାକ୍ତରଙ୍କୁ ଅନୁରୋଧ କରିଛନ୍ତି କି ସେମାନେ ନିଜ ଟେଲିଫୋନ୍‌ ନମ୍ବର ରେଜିଷ୍ଟର କରି ଲୋକଙ୍କୁ ଟେଲି ମେଡିସିନ୍‌ ଜରିଆରେ ସହାୟତା କରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.