ଭାରତ ଏବେ କରୋନାର ଦ୍ୱିତୀୟ ପର୍ଯ୍ୟାୟରେ, ଆହୁରି ସାବଧାନ ରହିବା ଦରକାର : ସୁବ୍ରତ ବାଗଚୀ

ଭୁବନେଶ୍ୱର ( କେ ନ୍ୟୁଜ୍‌) : ଆମ ଦେଶରେ କରୋନା ଏବେ ଦ୍ୱିତୀୟ ପର୍ଯ୍ୟାୟରେ । ଏହି ଜନବହୁଳ ଦେଶରେ ଟିକିଏ ଅସାବଧାନ ହେଲେ ଏହା ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚି ମହାମାରୀ ରୂପ ନେବାକୁ ବେଶି ସମୟ ଲାଗିବ ନାହିଁ । ତେଣୁ ସମସ୍ତେ ଅତ୍ୟନ୍ତ ସତର୍କ ରହିବା ଦରକାର । ଆଜି ଅପରାହ୍ନ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

୧୪ ଦିନ ଭିତରେ କୋଭିଡ୍‌-୧୯ ହସପିଟାଲ ହେବ

ରାଜଧାନୀର ଦୁଇଟି ବୃହତ୍‌ ହସପିଟାଲରେ କୋଭିଡ୍‌-୧୯ ପାଇଁ ସ୍ୱତନ୍ତ୍ର ହସପିଟାଲ କରିବାକୁ ଚୁକ୍ତି ହୋଇଛି । ସେମାନେ ହେଲେ କିମସ୍‌ ଓ ସମ୍‌ । ଆଗାମୀ ୧୪ ଦିନ ମଧ୍ୟରେ ଏଠାରେ ଷ୍ଟେଜ୍‌-୩ ପାଇଁ ହସପିଟାଲ ତିଆରି ହେବ । ମୋଟ୍‌ ୧ ହଜାର ଶଯ୍ୟା ବିଶିଷ୍ଟ ହସପିଟାଲ ତିଆରି କରାଯିବ । ଏଥିରୁ କିମ୍‌ସରେ ୪୫୦ ଶଯ୍ୟା ରହିବ ବୋଲ।

ରାଜ୍ୟ ବାହାରେ ଫସିଥିବା ଓଡ଼ିଆଙ୍କ ପାଇଁ

ଲକ୍‌ଡାଉନ୍‌ ଦୃଷ୍ଟିରୁ ଯାନବାହନ ଚଳାଚଳ ଉପରେ କଟକଣା ଲାଗିଛି । ତେବେ ଏତିକି ବେଳେ ଅନେକ ରାଜ୍ୟରେ ଶହ ଶହ ଓଡ଼ିଆ ଲୋକ ଫସି ରହି ଯାଇଛନ୍ତି । ରାଜ୍ୟକୁ ଫେରି ପାରୁ ନାହାନ୍ତି । ସେମାନଙ୍କୁ ଏହି ସମୟରେ ଆଣିବା ସମ୍ଭବ ହେଉନଥିବାରୁ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ଫସି ରହିଥିବା ଓଡ଼ିଆଙ୍କ ପ୍ରତି ସମ୍ବେଦନଶୀଳ ହେବା ସହ ସେମାନଙ୍କ ସମସ୍ୟା ଦୂର କରିବାକୁ ଚିଠିରେ ସେ ଅନୁରୋଧ କରିଛନ୍ତି ।

ଲକ୍‌ଡାଉନ୍‌ ଉଲ୍ଲଂଘନକାରୀଙ୍କ ସଂଖ୍ୟା ବଢ଼ିଛି

ଗତ ୪୮ ଘଣ୍ଟା ଭିତରେ ଲକଡାଉନ୍‌ ନିମୟ ଉଲ୍ଲଂଘନ ଅଭିଯୋଗରେ ରାଜ୍ୟରେ ୪୦୪ଟି ମାମଲା ରୁଜୁ କରାଯାଇଛି । ଏମାନଙ୍କ ଭିତରୁ ୧୦ ଜଣ କ୍ୱାରେଣ୍ଟାଇନ୍‌ରେ ଥାଇ ବାହାରେ ଆସି ବୁଲୁଥିଲେ ।

ପ୍ରିଣ୍ଟ ମିଡିଆକୁ ଅନୁମତି

ପ୍ରିଣ୍ଟ ଗଣମାଧ୍ୟମ ପାଇଁ କିଛି ନିୟମ କୋହଳ କରାଯାଇଛି। ନ୍ୟୁଜ୍‌ ପ୍ରିଣ୍ଟ ଗାଡ଼ିକୁ ଯାତାୟତ ଲାଗି ଅନୁମତି ଦିଆଯାଇଥିବା ବେଳେ ସମ୍ବାଦପତ୍ର ବିତରକମାନେ ସକାଳ ୭ରୁ୮ଟା ଭିତରେ ଖବରକାଗଜ ବିତରଣ କରିବେ ବୋଲି କୁହାଯାଇଛି । ତେବେ ସେମାନେ ଭଲ ଭାବେ ହାତ ଧୋଇବେ ।
ସେହିଭରି କ୍ଷୀର, ମାଂସ ଆଦି ନେବା ଆଣିବା କରୁଥିବା ଗାଡ଼ିଗୁଡ଼ିକୁ ପୂର୍ବ ଭଳି କଟକଣା ଭିତରେ ରଖାଯିବ ନାହିଁ ବୋଲି ସୁବ୍ରତ ବାଗଚୀ କହିଛନ୍ତି ।

ରାଜ୍ୟରେ ନୂଆ ପଜେଟିଭ୍‌ ନାହିଁ

ରାଜ୍ୟରେ ଏପର୍ଯ୍ୟନ୍ତ ଆଉ କୌଣସି ନୂଆ କରୋନା ପଜେଟିଭ୍‌ ବାହାରି ନାହାନ୍ତି । ଯେଉଁ ଦୁଇ ଜଣ ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି ସେମାନେ ଭଲ ଅଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୫୫ ଜଣଙ୍କ ସହ ଯେଗାଯୋଗ ହୋଇ ସାରିଛି । ସେମାନଙ୍କ ମଧ୍ୟରୁ ୩୪ ଜଣ ଆଇସୋଲେସନ୍‌ରେ ଅଛନ୍ତି ବୋଲି ବାଗଚି କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିବା ଅନୁସାରେ ନିଜ ପିଲା ତଥା ବାପା ମା’ଙ୍କ ନାଁରେ ଶପଥ ନେବା ଯେ ଘରୁ ବାହାରିବା ନାହିଁ । ଏହି ଶପଥ ଲକ୍ଷାଧିକ ଲୋକ ନେଇ ସାରିଲେଣି ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଭିଡିଓ ପଠାଇଥିବା ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.