ତିନି ଜିଲ୍ଲାରେ ସମ୍ପର୍କୀୟ ବଢ଼ାଇଛନ୍ତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଲାଗୁଛି କରୋନା ପଜେଟିଭ୍‌ କ୍ଷେତ୍ରରେ ପ୍ରତିଯୋଗିତା ଚାଲିଛି ରାଜ୍ୟର ତିନିଟି ଜିଲ୍ଲା ମଧ୍ୟରେ । ବାଲେଶ୍ୱର, ଭଦ୍ରକ ଓ ଯାଜପୁର । ଏହି ତିନି ଜିଲ୍ଲାରେ କୋଲକାତା ଲିଙ୍କ୍‌ଙ୍କ ପ୍ରବେଶ ଯୋଗୁଁ ଏବେ ସ୍ଥିତି ସଂଗୀନ ହେବାକୁ ବସିଛି । ଗତ କିଛି ଦିନ ହେଲା ଏହି ତିନି ଅଞ୍ଚଳରୁ ପଜେଟିଭ୍‌ଙ୍କ ସଂଖ୍ୟା ବଢ଼ି ଚାଲିଛି । ସେଥିପାଇଁ ତିନିଟି ଯାକ ଜିଲ୍ଲାରେ ସଟ୍‌ଡାଉନ୍‌ ଘୋଷଣା କରି ରାଜ୍ୟ ସରକାର । ୬୦ ଘଣ୍ଟା ଧରି ସମ୍ପୂର୍ଣ୍ଣ ବନ୍ଦ ରହିବ ଏହି ତିନି ଜିଲ୍ଲା ।

1ତେବେ ଏଠି କଥା ଉଠୁଛି ଯେ ନିଜାମୁଦ୍ଦିନ୍‌ ଲିଙ୍କରୁ ମୁକ୍ତି ପାଇବାର ସଂଘର୍ଷ ସରି ଆସିଲା ବେଳକୁ କୋଲକାତା ଲିଙ୍କ୍‌ ଓଡ଼ିଶାକୁ ଆକ୍ରନ୍ତ କରିବାକୁ ବସିଛି । ଏଥିପାଇଁ ଦାୟୀ କିଏ ? ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ତ ସଚେତନତାରୁ ଆରମ୍ଭ କରି କଠୋର ହେବାକୁ ବି ପଛାଇ ନାହାନ୍ତି । ତଥାପି କାହିଁକି ଗୋଟିଏ ପରେ ଗୋଟିଏ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ? ଯଦି ଟିକେ ଭଲ କରି ଚିନ୍ତା କରିବା ତେବେ ଆମ ସମ୍ପର୍କର ମୋହ ହିଁ ବଢ଼ାଇଛି କରୋନାକୁ ।

2ଗୋଟିଏ ଉଦାହରଣ ଦେଲେ ଭଲ ହେବ । ଗୋବିନ୍ଦ ବାବୁ କୋଲକାତାରେ ଏକ ବେସରକାରୀ କମ୍ପାନୀରେ ଚାକିରି କରନ୍ତ । ପିଲାଛୁଆ ଭଦ୍ରକର ଏକ ଗାଁରେ ରୁହନ୍ତି । ସାରା ଦେଶରେ ଲକ୍‌ଡାଉନ୍‌ ପରେ ଗୋବିନ୍ଦ ବାବା କିଛି ଦିନ ଅପେକ୍ଷା କଲେ କାଳେ ଲକ୍‌ଡାଉନ୍‌ ଉଠିଯିବ । ହେଲେ ସେକଥା ହେଲା ନାହିଁ । ତେଣୁ ସେ ଏନ୍‌ଏଚ୍‌-୧୬ ଦେଇ ଏକ ମାଲବାହୀ ଟ୍ରକ୍‌ରେ ବସି ଆସି ଭଦ୍ରକରେ ରାତି ଅଧିଆ ଓହ୍ଲାଇ ପଡ଼ିଲେ । ଭଦ୍ରକ ଟାଉନ୍‌ରୁ ଶ୍ୱଶୁର ଘର ମାତ୍ର ଦୁଇ କିଲୋମିଟର ଦୂର । ତେଣୁ ଶଳାଙ୍କୁ ଫୋନ୍‌ କରି ଦେଲେ ଯେ ଏନ୍‌ଏଚ୍‌ କଡ଼ରେ ପହଞ୍ଚିଗଲେ ବୋଲି । ଶାଳକ ମହାଶୟ ବାଇକ୍‌ ଧରି ଆସିଲେ ଓ ଭିଣୋଇ ବାବୁଙ୍କ ନେଇ ଘରେ ପହଞ୍ଚିଗଲେ । ଗୋବିନ୍ଦ ବାବୁ ଚିନ୍ତା କଲେ ନାହିଁ କି ସରକାର କରୋନାକୁ ନେଇ କରିଥିବା ଏତେ ସଚେତନତା କଥାକୁ ମନେ ପକାଇଲେ ନାହିଁ । ପୁଣି ବୋଧହୁଏ ସେ ଭୁଲିଗଲେ ଯେ କୋଲକାତାରୁ ଆସିଛନ୍ତି ବୋଲି । ଶ୍ୱଶୁର ଘରେ ପହଞ୍ଚି ଯାଇଛନ୍ତି ବୋଲି ଖୁବ୍‌ ଖୁସି ହେଲେ ।

3

ପହଞ୍ଚିବା ପରେ କିଭଳି କଷ୍ଟରେ ମାଲବାହୀ ଗାଡ଼ିରେ ଆସିଲେ ସେକଥା ବର୍ଣ୍ଣନା କଲେ । ଅନ୍ୟପଟେ ଜ୍ୱାଇଁଙ୍କୁ ଦେଖି ଶ୍ୱଶୁର ଘର ଲୋକେ ମନ ଭିତରେ ସିନା ଶଙ୍କା କଲେ ହେଲେ ବାହାରେ କହି ପାରିଲେ ନାହିଁ । ନିଜ ଘରକୁ ଯିବା ପୂର୍ବରୁ ଗୋବିନ୍ଦ ବାବୁ ଚାରି ପାଞ୍ଚଦିନ ଶ୍ୱଶୁର ଘରେ ରହି ଜ୍ୱାଇଁ ଚର୍ଚ୍ଚା ପାଇଲେ । ଖାନା ପିନା ସବୁ ଜମିଲା । ହେଲେ ତା ଭିତରେ ସେ ବାଣ୍ଟି ଦେଇ ଆସିଲେ କରୋନା ଭାଇରସ୍‌ ।
ଇଏ ଥିଲା ଏକ ଉଦାହରଣ । ହେଲେ ଗୋଟିଏ ସତ୍ୟ ଘଟଣାକୁ ଆଧାର କରି । କୋଲକାତାରୁ ଫେରିଥିବା କିଛି ବ୍ୟକ୍ତି ଏମିତି ଭାବେ କରୋନା ସଂକ୍ରମିତ କରିଛନ୍ତି ନିଜ ସମ୍ପର୍କୀୟମାନଙ୍କୁ । ସେ ବାଲେଶ୍ୱର କେସ୍‌ ହେଉ ଅବା ଭଦ୍ରକ କି ଯାଜପୁର । ସବୁଠାରେ କୋଲକାତା ଲିଙ୍କରରେ ସମ୍ପର୍କୀୟମାନେ ଆକ୍ରାନ୍ତ ହୋଇଛନ୍ତି । ପୁଅକୁ ଅନେକ ଦିନ ପରେ ଦେଖିଲେ ମା’ ଭାବପ୍ରବଣ ହୋଇପଡ଼ିବ । ଆବେଗରେ କୁଣ୍ଢାଇ ପକାଇବ । ହେଲେ ଏହି ଭାବାବେଗ କରୋନା ସଂକ୍ରମଣର ଅନ୍ୟତମ କାରଣ ପାଲଟିଛି । ସେଥିପାଇଁ ନିଶ୍ଚିତ ଭାବେ ମୁଖ୍ୟ ଦାୟୀ ରହିବେ ଭାଇରସ୍‌ ବାହକ ଜଣକ ।

4

କାରଣ ସାରା ଦେଶରେ ସଂକ୍ରମଣ ରୋକିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ କଣ କରିବାକୁ ପଡ଼ିବ ସେ କଥା ପ୍ରତି ମୁହୂର୍ତ୍ତରେ ଜଣାଇ ଦିଆଯାଉଛି । ତଥାପି ଏମାନେ ଏତେ ବେପରଓ୍ଵା ଥିଲେ ଯେ ଗାଁକୁ ଆସି ନିଜ ପରିବାର ସହ ସାଙ୍ଗସାଥୀ ମେଳରେ ବୁଲିବା, ଭୋଜି କରିବାକୁ ମଧ୍ୟ ପଛାଇ ନଥିଲେ । ଏମିତିକି ସ୍ଥାନୀୟ ପ୍ରଶାସନ ନିକଟରେ ପ୍ରବାସୀ ଓଡ଼ିଆ ଭାବେ ନିଜ ନାମ ରେଜିଷ୍ଟ୍ରେସନ୍‌ ମଧ୍ୟ କରିନଥିଲେ । ଯାହାଫଳରେ ଏବେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ହେବାକୁ ଯାଉଛି କରୋନା ହଟ୍‌ସ୍ପଟ୍‌ । ସହରରେ ସୀମିତ ଥିବା କରୋନା ଭାଇରସ୍‌ ଗାଁ ଭିତରକୁ ମାଡ଼ି ଚାଲିଲା କେବଳ ଏମାନଙ୍କ ନିର୍ବୋଧତା ଯୋଗୁଁ । ସେହିପରି ସମ୍ପର୍କୀୟମାନଙ୍କୁ ମଧ୍ୟ ସଚେତନ ରହିବାର ଅଛି । କାରଣ ଏଠି ସମ୍ପର୍କ ଜୀବନ ନେଇଯିବାର ଆଶଙ୍କା ରହିଛି । ସମ୍ପର୍କ ତ ପରବର୍ତ୍ତୀ ସମୟରେ ଯୋଡ଼ି ହେବ କିନ୍ତୁ ଜୀବନ ରହିଲେ ତ ?

5ବର୍ତ୍ତମାନ ସମୟରେ ଆବେଗକୁ ପଛ କରି ବାସ୍ତବ ସ୍ଥିତିକୁ ସାମନା କରିବାର ବେଳ ଅସିଛି । ଏଠି ଭାବପ୍ରବଣତାର ସ୍ଥାନ କେବଳ ହୃଦୟରେ, ଶରୀରର ନୁହେଁ । ଯଦି ସେମାନେ ନିଜ ସମ୍ପର୍କରେ ତଥ୍ୟ ନଲୁଚାଇ ନିଜ ପରିବାର ଠାରୁ ପୃଥକ ରହିଥାନ୍ତେ ତେବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା । ତେଣୁ ବିଭିନ୍ନ ଗଳାବାଟ ନେଇ ନିଜ ଗାଁକୁ ଫେରିଥିବା ପଶ୍ଚିମବଙ୍ଗ ଫେରନ୍ତାମାନେ ନିଜକୁ ପ୍ରଶାସନ ନିକଟରେ ସମର୍ପି ଦେଇ ନିଜକୁ ଓ ନିଜ ପରିବାର ଓ ସମ୍ପର୍କୀୟମାନଙ୍କ ଜୀବନ ରକ୍ଷା କରିବା ଦରକାର । ଏହା ହେଉଛି ବର୍ତ୍ତମାନ ସମୟର ଆହ୍ଵାନ ଏବଂ ସାମାଜିକ ଓ ମାନବିକତାର ମୂଲ୍ୟବୋଧ । କାରଣ ଅଦୃଶ୍ୟ ଶତ୍ରୁ କରୋନା କେତେବେଳେ କାହାକୁ ବି ଆକ୍ରମଣ କରି ପାରେ ।

 

ଗୋବିନ୍ଦ ବାବୁ ଶ୍ୱଶୁର ଘରେ ରହି ଜ୍ୱାଇଁ ଚର୍ଚ୍ଚା ପାଇଲେ ତା ଭିତରେ ବାଣ୍ଟି ଦେଇ ଆସିଲେ କରୋନା ଭାଇରସ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.