କ୍ୱାରେଣ୍ଟାଇନ ସେଣ୍ଟରରେ ଯୁବତୀଙ୍କୁ ଅଶ୍ଳୀଳ ଆଚରଣ, ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ୍
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଭୁଟୁକାବାଦୀ କ୍ୱାରେଣ୍ଟାଇନ ସେଣ୍ଟରରେ ଯୁବତୀଙ୍କୁ ଅଶ୍ଳୀଳ ଆଚରଣ ଅଭିଯୋଗ। ଏହି ଅଭିଯୋଗ ଆଧାରରେ ଘୁଙ୍ଗୁପାହାଡି ଗ୍ରାମର ସଞ୍ଜୀବ କୁମାର ପାତ୍ରଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନାମିଳିଛି ।
ସୂଚନାନୁଯାୟୀ , ସଞ୍ଜୀବ କୁମାର ପାତ୍ର ରାଜସ୍ଥାନରୁ ଫେରିଥିବାରୁ ତାଙ୍କୁ ଭୁଟୁକାବାଦୀ ପଞ୍ଚାୟତ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ଦିନେ ରାତିରେ ଉକ୍ତ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ଜଣେ ଯୁବତୀଙ୍କ ରୁମକୁ ପଶିଯାଇ ଯୁବତୀଙ୍କ ଫଟୋ ଉତ୍ତୋଳନ କରି ତାଙ୍କୁ ଶାରୀରିକ ସମ୍ପର୍କ ରଖିବା ନେଇ ଧମକ ଦେଉଥିଲେ । ଘଟଣାଟି ପ୍ରଘଟ କଲେ ବା ତା କଥା ନ ମାନିଲେ ଫଟୋ ଭାଇରଲ କରିବାର ଧମକ ଦେଇ ଆସୁଥିଲେ ।
ଲଜ୍ଜ୍ୟା ଓ ଭୟରେ ଯୁବତୀ ଜଣକ ମଧ୍ୟ କାହାରିକୁ କିଛି କହିନଥିଲେ । କିନ୍ତୁ ଯେତେବେଳେ ବାରମ୍ବାର ଫୋନ ମାଧ୍ୟମରେ ଧମକ ଶୁଣିଲେ ଯୁବତୀ ଜଣକ ସାହସ କରି ସରପଞ୍ଚ ଓ ନୋଡାଲ ଅଫିସରଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ନ୍ୟାୟ ପାଇଁ ପୋଲିସର ସହାୟତା ଲୋଡିଥିଲେ । ବିଡ଼ିଓ ,ତହସିଲଦାର ଓ ପୋଲିସ ମିଳିତ ଭାବରେ ଘଟଣାର ତଦନ୍ତ କରିବା ପରେ ଅଭିଯୁକ୍ତକୁ ବାନ୍ଧି ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।