ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିବାର ଏବେ ଆବଶ୍ୟକତା ନାହିଁ, ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିବାର ଆବଶ୍ୟକତା ନାହିଁ । ସେମାନେ ଫେରିଲେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବ । ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏହି ମତ ରଖିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । କରୋନା ଲକଡାଉନ୍‌ ପାଇଁ ବିଭିନ୍ନ ରାଜ୍ୟରେ ବହୁ ଶ୍ରମିକ ଅଟକି ରହିଛନ୍ତି । କୋଭିଡ୍‌ ଟେଷ୍ଟ କରାଇ ସେମାନଙ୍କୁ ନିଜ ନିଜ କାର୍ଯ୍ୟସ୍ଥଳୀରୁ ଘରକୁ ଫେରାଇ ଆଣିବାକୁ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ପିଟିସନ୍‌ ।

ଏହାର ଶୁଣାଣି ବେଳେ କେନ୍ଦ୍ର ସରକାର କହିଛନ୍ତି, ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା ଏବେ ଉଚିତ୍‌ ହେବ ନାହିଁ । ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟା କୋର୍ଟଙ୍କୁ ଅବଗତ କରାଇଛନ୍ତି ଯେ, ପ୍ରବାସୀ ଶ୍ରମିକଙ୍କ ସ୍ୱାସ୍ଥ୍ୟଗତ ଦିଗ ପ୍ରତି ସରକାର ସଚେତନ ଅଛନ୍ତି । ଆଜି ନେଗେଟିଭ୍‌ ଚିହ୍ନଟ ଜଣେ ବ୍ୟକ୍ତି କିଛି ଦିନ ଭିତରେ ପଜିଟିଭ୍‌ ନହେବ କିଏ କହିବ ? ଶ୍ରମିକମାନେ କିଭଳି ନିଜ ନିଜ ଘରକୁ ଫେରିବେ, ସେନେଇ ସବୁ ରାଜ୍ୟ ସହ କେନ୍ଦ୍ର ବିଚାରବିମର୍ଶ କରୁଥିବା କହିଛନ୍ତି ତୁଷାର ମେହେଟ୍ଟା । ସେପଟେ ପ୍ରବାସୀ ଶ୍ରମିକଙ୍କ ପାଇଁ କଣ ପଦକ୍ଷେପ ନେଇଛ ଜଣାଇବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆନ୍ତଃରାଜ୍ୟ ଶ୍ରମିକଙ୍କ ଚଳପ୍ରଚଳ ପାଇଁ ସପ୍ତାହେ ଭିତରେ ରିପୋର୍ଟ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.