Below header

ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵନ, ବାଗଚୀ ଦେଲେ ସୂଚନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗୋଟଏ ଦିନର ବିରତି ପରେ ଆଜି ପୁଣି ଅପରାହ୍ନ ସାଢ଼େ ୪ଟା ସାମ୍ବାଦିକ ସମ୍ମିଳନୀକୁ ଆସିଥିଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସୂଚନା ଦେଇଥିଲେ ଏହି କରୋନା ସଂକଟ ସମୟରେ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ୫,୨୪୭ଟି ଗ୍ରାମପଞ୍ଚାୟତରେ ୩ ଲକ୍ଷ ୨୭ ହଜାର ଲୋକଙ୍କୁ ପ୍ରତିଦିନ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି ।

ରାଜ୍ୟରେ ଏବେ ୭ଟି କୋଭିଡ୍‌ ହସପିଟାଲ

ସେହିପରି ରାଜ୍ୟରେ ବର୍ତ୍ତମାନ ୭ଟି କୋଭିଡ୍‌-୧୯ ହସପିଟାଲ କାର୍ଯ୍ୟକ୍ଷମ ହୋଇଛି । ସେଠାରେ ରୋଗୀ ସେବା ଆରମ୍ଭ ହୋଇଗଲାଣି । ଆଜି ଦିନ ୧୨ଟା ସୁଦ୍ଧା ରିପୋର୍ଟ ଅନୁସାରେ ମୋଟ୍‌ ୧୮୮୮ ଜଣଙ୍କର ନମୂନା ପରୀକ୍ଷଣ ହୋଇଛି ଏବଂ ଏଥିରୁ ୩୯ ଜଣଙ୍କର ପଜେଟିଭ୍‌ ଆସିଛି । ସେଥିମଧ୍ୟରୁ ଭୁବନେଶ୍ୱରର ୩୧ ଜଣ ଅଛନ୍ତି । ୮୭ ଜଣ ସନ୍ଦିଗ୍‌ଧ ଏବେ ରାଜ୍ୟର ବିଭିନ୍ନ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଚବିଶି ଘଣ୍ଟାରେ ୨୪୯ ମାମଲା, ଭଦ୍ରକରେ ୧୯ ଦୋକାନୀ ଗିରଫ

ଲକ୍‌ଡାଉନ୍‌ ଭାଙ୍ଗିବା ଅଭିଯୋଗରେ ଗତ ୨୪ ଘଣ୍ଟା ମଧ୍ୟରେ ପୋଲିସ୍‌ ୨୪୯ଟି ମାମଲା ରୁଜୁ କରିଛି । ଏଥିରେ ୫ଟି ମାମଲା ହୋଇଛି ଗୁଜବ ସୃଷ୍ଟିକାରୀଙ୍କ ନାଁରେ । ଆଇନ୍‌ ଭାଙ୍ଗି ୪୨୭ ଜଣ ଗିରଫ ହୋଇଛନ୍ତି । ଏଥିରେ ଅଛନ୍ତି ଭଦ୍ରକର ୧୯ ଜଣ ଦୋକାନୀ ଗିରଫ । ସେମାନେ ସାମାଜିକ ଦୂରତାକୁ ନମାନି ବିକ୍ରି କରୁଥିଲେ ।

କଣ୍ଟେନମେଣ୍ଟ ଜୋନ୍‌ କଣ ?

ଏହି ଅବସରରେ କଣ୍ଟେନମେଣ୍ଟ ଜୋନ୍‌ କଣ ସେ ସମ୍ପର୍କରେ ଶ୍ରୀ ବାଗଚୀ ବୁଝାଇଥିଲେ । ଏହାର ଅର୍ଥ ହେଉଛି ସଂକ୍ରମଣ ପ୍ରତିରୋଧ ଅଞ୍ଚଳ । ଯାହାକୁ ଘେରାବନ୍ଦୀରେ ରଖା ଯାଇ ଅନ୍ୟ ଅଞ୍ଚଳ ଠାରୁ ବିଚ୍ଛିନ୍ନ କରାଯାଏ । ଯେଉଁଠାକୁ କେହି ଯାଇ ପାରିବେ ନାହିଁ କିମ୍ବା ସେହି ଅଞ୍ଚଳର ଲୋକ ବାହାରକୁ ଆସି ପାରିବେ ନାହିଁ । ଯେ ପର୍ଯ୍ୟନ୍ତ ବିଶେଷଜ୍ଞ ଅନୁମତି ନଦେଇଛନ୍ତି ସେ ଯାଏ କଣ୍ଟେନମେଣ୍ଟ ଅଞ୍ଚଳରୁ କଟକଣା ଉଠିବ ନାହିଁ ।

ଓଡ଼ିଶାରେ ସାମ୍ପ୍ରଦାୟିକତାର ସ୍ଥାନ ନାହିଁ : ମୁଖ୍ୟମନ୍ତ୍ରୀ

ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ବାର୍ତ୍ତା ସମ୍ପର୍କରେ ଶ୍ରୀ ବାଗଚୀ କହିଥିଲେ । ସାଲବେଗ, ଚୈତନ୍ୟ ପ୍ରମୁଖଙ୍କ ଉଦାହରଣ ଦେଇ ଓଡ଼ିଶା ହେଉଛି ସର୍ବଧର୍ମ ସମନ୍ଵୟର ସ୍ଥଳୀ । ଏଠାରେ ସାମ୍ପଦାୟିକତାର ସ୍ଥାନ ନାହିଁ । ସମସ୍ତେ ସାମ୍ପ୍ରଦାୟିକ ସଦଭାବ ବଜାୟ ରଖିବାକୁ ନବୀନ ଅନୁରୋଧ କରିଥିବା ଶ୍ରୀ ବାଗଚୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.